୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର, ଶୁକ୍ରବାର ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତି ଜଣାଇବ ମାଲିକ ସଂଘ

NEWS7
icmr-chief-said-covid-guideline-to-be-obey-after-vaccine

କଟକ ୨୨।୧: ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର ରହିଲା । କଟକ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଅଧିକାଂଶ କର୍ମକର୍ତ୍ତା ଯୋଗ ଦେଇଥିଲେ । ଗୁରୁବାର ପୂର୍ବାହ୍ନରେ ପରିବହନ ବିଭାଗ ମୁଖ୍ୟାଳୟରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ପଞ୍ଚାୟତରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ଚଳାଇବାକୁ ସରକାର ନେଇଥିବା ନିଷ୍ପତ୍ତି ଓ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତିକୁ ବିରୋଧ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା, ପରିବହନ ବିଭାଗ ଅଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ କମିଟି ଗଠନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି କମିଟିର ନିଷ୍ପତ୍ତି ଉପରେ ଆସନ୍ତା ୨୪ ତାରିଖରେ ବସ୍ ଧର୍ମଘଟ ହେବ ନା ନାହିଁ ନିର୍ଭର କରୁଛି । ତେଣୁ ଏ ନେଇ ଗୁରୁବାର ଅପରାହ୍ନରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କମିଟିର କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ବସ୍ ଧର୍ମଘଟ ଡାକରା ବଳବତ୍ତର ରହିବ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଶୁକ୍ରବାର ସନ୍ଧ୍ୟା ୫ଟାରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଅଧିକାଂଶ ଜିଲ୍ଲାରେ ଏହି ବିବାଦର ସମାଧାନ ହୋଇଯାଇଛି । କେବଳ ଜଗତସିଂହପୁର ଜିଲ୍ଲାରେ ବିବାଦ ସମାଧାନ ହୋଇନାହିଁ । ଜଗତସିଂହପୁର ଜିଲ୍ଲା ବିବାଦ ପାଇଁ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହାର ହୋଇପାରୁ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି ।