ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦକୁ ମିଳିଲା ଅନ୍ତରୀଣ ଜାମିନ

NEWS7
icc-made-a-big-change-in-the-point-system-of-the-world-test-championship-12-points-will-be-given-for-winning-a-match

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦକୁ ଅନ୍ତରୀଣ ଜାମିନ ମିଳିଛି । ଭଉଣୀ ବିବାହରେ ସାମିଲ ହେବାକୁ ଯିବ ଉମର ଖାଲିଦ । ତାକୁ ୧୬ ଡିସେମ୍ବରରୁ ୨୯ ଡିସେମ୍ବର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦିଆଯାଇଛି । ଅନ୍ତରୀଣ ଜାମିନ ପ୍ରଦାନ କରିବା ସମୟରେ ଦିଲ୍ଲୀର କରକାରଡୁମା କୋର୍ଟ କହିଛନ୍ତି ଯେ, ଉମରକୁ ଡିସେମ୍ବର ୨୯ ସନ୍ଧ୍ୟାରେ ଆତ୍ମସମର୍ପଣ କରିବାକୁ ପଡିବ। ଏହି ସମୟ ମଧ୍ୟରେ ଉମର ଖାଲିଦ ସୋସିଆଲ ମିଡିଆ ବ୍ୟବହାର କରିବ ନାହିଁ, କୌଣସି ସାକ୍ଷୀଙ୍କ ସହିତ ଯୋଗାଯୋଗ କରିବ ନାହିଁ ଏବଂ କେବଳ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ସହିତ ସାକ୍ଷାତ କରିପାରିବ।

ପୂର୍ବତନ ଜେଏନୟୁ ଛାତ୍ର ନେତା ଉମର ଖାଲିଦ କରକାରଡୁମା କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ଖାଲିଦ ନିଜ ଭଉଣୀଙ୍କ ବିବାହରେ ଯୋଗଦେବା ପାଇଁ ଡିସେମ୍ବର ୧୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ତା ଭଉଣୀଙ୍କ ବିବାହ ଡିସେମ୍ବର ୨୭ ତାରିଖରେ ହେବାକୁ ଯାଉଛି ଏବଂ ଗୁରୁତ୍ୱପୂର୍ଣ୍ଣ ପାରିବାରିକ କାର୍ଯ୍ୟକ୍ରମ ପାଇଁ ତାର ଉପସ୍ଥିତି ଜରୁରୀ।

ସେପ୍ଟେମ୍ବର ୨୦୨୦ରେ, ଦିଲ୍ଲୀ ପୋଲିସ ଉମର ଖାଲିଦକୁ ଗିରଫ କରିଥିଲା। ଫେବୃଆରୀ ୨୦୨୦ରେ ଦିଲ୍ଲୀରେ ବଡ଼ ଧରଣର ହିଂସା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ନେଇ ଅଭିଯୋଗ ହୋଇଥିଲା । ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଖାଲିଦଙ୍କ ସହିତ, ଶର୍ଜିଲ ଇମାମ ଏବଂ ଅନ୍ୟ କେତେ ଜଣଙ୍କୁ ମଧ୍ୟ ସମାନ ମାମଲାରେ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ ହୋଇଥିଲା । ଦିଲ୍ଲୀ ଦଙ୍ଗାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

CAA ଏବଂ NRC ବିରୋଧୀ ପ୍ରତିବାଦ ସମୟରେ ହିଂସା ଆରମ୍ଭ ହୋଇଥିଲା । ଅନେକ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଗତ ଶୁଣାଣିରେ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା (ଯିଏ ଦିଲ୍ଲୀ ପୋଲିସର ପ୍ରତିନିଧିତ୍ୱ କରୁଛନ୍ତି) କହିଥିଲେ ଯେ, ୨୦୨୦ ହିଂସା ସାମ୍ପ୍ରଦାୟିକ ସଂଘର୍ଷ ନୁହେଁ ବରଂ ଜାତୀୟ ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା।