ମହାରାଷ୍ଟ୍ର ନଗରନିଗମ ନିର୍ବାଚନ: ନିର୍ବିରୋଧ ବିଜୟୀ ପ୍ରାର୍ଥୀଙ୍କ ସଂଖ୍ୟାରେ ନିର୍ବାଚନ କମିଶନ ତାଜୁବ, ଜାରି କଲେ ନୂଆ ନିୟମ

NEWS7
i-dont-want-to-live-i-hate-this-place-says-girl-setting-herself-on-fire-death

ମୁମ୍ବାଇ ୪।୧: ମହାରାଷ୍ଟ୍ର ପାଳିକା ନିର୍ବାଚନରେ ବହୁ ସଂଖ୍ୟାରେ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହେବା ଏବେ ନିର୍ବାଚନ ଆୟୋଗଙ୍କୁ ଚିନ୍ତାରେ ପକାଇଛି। ଏଣୁ ନିର୍ବାଚନ ଆୟୋଗ ଏପରି ମାମଲାରେ ନୂଆ ନିୟମ କରିଛନ୍ତି। ଏବେ ଯଦି କୌଣସି ନିର୍ବାଚନରେ କେହି ପ୍ରାର୍ଥୀ ନିର୍ବିରୋଧ ଜିତନ୍ତି ତେବେ ପୁରା ରିପୋର୍ଟ ରାଜ୍ୟ ନିର୍ବାଚନ ଆୟୋଗକୁ ଦିଆଯିବ। ନିର୍ବିରୋଧ ନିର୍ବାଚନ ବିବାଦରେ ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ପାଳିକା ନିର୍ବାଚନରେ ଚାପ କାରଣରୁ ନାମ ପ୍ରତ୍ୟାହାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରିବନି। ଏଣୁ ଭବିଷ୍ୟତରେ ଯଦି ଏପରି ହୁଏ ସ୍ଥାନୀୟ ଅଧିକାରୀ ରିପୋର୍ଟ ଦେବା ଜରୁରି।

ଆୟୋଗଙ୍କ ଅନୁସାରେ ସ୍ଥାନୀୟ ସ୍ୱାୟତଶାସନ ସଂସ୍ଥା ନିର୍ବାଚନ କାଳରେ ଅନେକ ଥର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପରେ କେବଳ ଜଣେ ପ୍ରାର୍ଥୀ ଶେଷ କୁ ଥାନ୍ତି। ଏଣୁ ତାଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଏ। ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଅନେକ ପ୍ରାର୍ଥୀ ନିଜନିଜର ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତି। ହେଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ କେବଳ ଜଣେ ପ୍ରାର୍ଥୀଙ୍କୁ ଛାଡି ବାକି ପ୍ରାର୍ଥୀ ସେମାନଙ୍କ ନୋମିନେସନ ଫର୍ମ ଫେରାଇ ନେଉଛନ୍ତି।

ଏଭଳି ପରିସ୍ଥିତିରେ ଏ କଥାକୁ ଅସ୍ୱୀକାର କରାଯାଇ ନ ପାରେ ଯେ ସମ୍ପର୍କିତ ପ୍ରାର୍ଥୀ ଅନ୍ୟ ପ୍ରାର୍ଥୀଙ୍କ ଉପରେ ଚାପ ପକାଇ ସେମାନଙ୍କ ନୋମିନେସନ ପ୍ରତ୍ୟାହାର କରାଇ ଥାଇ ପାରନ୍ତି । ଏଣୁ ଏହାକୁ ଧ୍ୟାନରେ ରଖି ଭବିଷ୍ୟତରେ ଏପରି ପରିସ୍ଥିତି ଉପୁଜିଲେ ସମ୍ପର୍କିତ ବିସ୍ତୃତ ରିପୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସ୍ଥାନୀୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ କଣ କରାଯିବ ଓ ନ କରାଯିବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ। ଏହି ନିଷ୍ପତ୍ତି ଅନୁସାରେ ଏକମାତ୍ର ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ।

ରାଜ୍ୟ ନିର୍ବାଚନ ଆୟୋଗ ଏହି ଆଦେଶର କପି ରାଜ୍ୟର ସବୁ ମହାନଗର ପାଳିକା ଆୟୁକ୍ତ ଓ କଲେକ୍ଟରଙ୍କୁ ମଧ୍ୟ ପଠାଇଛନ୍ତି। ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ନିର୍ବାଚନରେ ମହାଯୁତୀ ମେଣ୍ଟର ୬୮ ଜଣ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଏଥିରେ ବିଜେପିର ୪୪ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଶିବସେନାର ୨୨ ଓ ଅଜିତ ପାୱାରଙ୍କ ଏନସିପିର ୨ଜଣ ପ୍ରାର୍ଥୀ ଜିତିଛନ୍ତି। ଏହିପରି ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ସଖ୍ୟା ଠାଣେ ଜିଲ୍ଲାର କଲ୍ୟାଣ-ଡୋମ୍ବିଭେଲି ନଗରନିଗମରେ ସର୍ବାଧିକ। ଏହା ପଛକୁ ପୁଣେ ଆସୁଥିବା ବେଳେ ତା ପଛକୁ ପିମ୍ପିରି ଚିଞ୍ଚୱାଡ, ପନବେଲ, ଭିୱଣ୍ଡି, ଧୂଲେ, ଜଲଗାଁଓ ଏବଂ ଅହିଲ୍ୟା ନଗର ରହିଛି।

ଏଣୁ ଶିବସେନା(ୟୁବିଟି) ଓ ମନସେ ଶୁକ୍ରବାର କ୍ଷମତାସୀନ ଦଳଙ୍କ ଉପରେ ବିରୋଧୀ ପ୍ରାର୍ଥୀଙ୍କୁ ଜାନୁୟାରୀ ୧୫ ତାରିଖରେ ହେବାକୁ ଥିବା ନଗରନିଗମ ନିର୍ବାଚନ ପୂର୍ବରୁ ପଛକୁ ହଟାଇବା ପାଇଁ ପଇସା ଉପଯୋଗ କରୁଥିବା ଓ ଧମକ ଦେଉଥିବା ଅଭିଯୋଗ କରିଥିଲେ। ମହାରାଷ୍ଟ୍ରରେ ଜାନୁୟାରୀ ୧୫ ତାରିଖ ଦିନ ୨୯ ନଗନିଗମ ପାଇଁ ଭୋଟ ଗ୍ରହଣ ହେବ।