ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ହେବେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି

NEWS7
hyderabad-need-221-run-to-win-against-rajastan

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ହେବେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି। ଗୁରୁବାର ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି।

ବିଚାରପିତଙ୍କ ନିଯୁକ୍ତି ନେଇ ଗୁରୁବାର (ଡିସେମ୍ବର ୧୮) ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ କଲେଜିୟମର ଏକ ବୈଠକ ବସିଥିଲା। ଯେଉଁଠାରେ ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପାଞ୍ଚ ଜଣ ହାଇକୋର୍ଟ ବିଚାରପତିଙ୍କୁ ପଦୋନ୍ନତି ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ବୈଠକରେ ଜଷ୍ଟିସ୍ ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ କଲେଜିୟମ ସୁପାରିଶ କରିଛି।

ସୂଚନା ଥାଉକି ଜଷ୍ଟିସ୍ ସାହୁଙ୍କର ଜନ୍ମ ୫ ଜୁନ୍ ୧୯୬୪ ମସିହାରେ ହୋଇଥିଲା। ସେ କଟକ ଲ କଲେଜରୁ ଏଲଏଲବି କରିବା ପରେ ୧୯୮୯ ମସିହାରେ ଓଡ଼ିଶା ରାଜ୍ୟ ବାର୍ କାଉନସିଲ, କଟକ ଅଧୀନରେ ଜଣେ ଓକିଲ ଭାବରେ ପଞ୍ଜିକୃତ ହୋଇଥିଲେ। ପରବର୍ତ୍ତି ସମୟରେ ଜଷ୍ଟିସ ସାହୁ ୨ ଜୁଲାଇ ୨୦୧୪ ମସିହାରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ।

ବର୍ତ୍ତମାନ ଜଷ୍ଟିସ ସାହୁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ବେଞ୍ଚ ଏବଂ ପ୍ରଶାସନରେ ତାଙ୍କର ବ୍ୟାପକ ଅଭିଜ୍ଞତା ତାଙ୍କୁ ପାଟନା ହାଇକୋର୍ଟର ନେତୃତ୍ୱ ନେବାର ସହାୟକ ହେବ।

ମିଡିଆ ରିପୋର୍ଟ ଅନୁସାରେ, ଜଷ୍ଟିସ୍ ସାହୁ କଟକର ନୂଆବଜାର ହାଇସ୍କୁଲରୁ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ। ଏବଂ ପରେ କଟକର ଷ୍ଟିୱାର୍ଟ ସାଇନ୍ସ କଲେଜରେ ସାଇନ୍ସ ନେଇ ପାଠ ପଢ଼ିଥିଲେ। ପରେ ସେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଏବଂ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ, ଏବଂ କଟକର ଲ’ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ।

ଗୁରୁବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ବିଭିନ୍ନ ହାଇକୋର୍ଟର ପାଞ୍ଚ ଜଣ ବରିଷ୍ଠ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ସମ୍ପୃକ୍ତ ହାଇକୋର୍ଟରେ କାର୍ଯ୍ୟରତ ମୁଖ୍ୟ ବିଚାରପତିଙ୍କ ଅବସର କିମ୍ବା ସ୍ଥାନାନ୍ତର ପରେ ହୋଇଥାଏ।

କଲେଜିୟମର ସୁପାରିଶଗୁଡ଼ିକ...

୧. ଜଷ୍ଟିସ୍ ମନୋଜ କୁମାର ଗୁପ୍ତା (ଆହ୍ଲାବାଦ ହାଇକୋର୍ଟ) ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହେବେ।
୨. ଜଷ୍ଟିସ୍ ରେବତୀ ପି. ମୋହିତେ ଡେରେ (ବମ୍ବେ ହାଇକୋର୍ଟ) ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ।
୩. ଜଷ୍ଟିସ୍ ଏ. ମହମ୍ମଦ ମୁସ୍ତାକ (କେରଳ ହାଇକୋର୍ଟ) ସିକିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ।
୪. ଜଷ୍ଟିସ୍ ସଙ୍ଗମ କୁମାର ସାହୁ (ଓଡିଶା ହାଇକୋର୍ଟ) ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ।
​​​​​​​୫. ଜଷ୍ଟିସ୍ ଏମ୍.ଏସ୍. ସୋନକ (ବମ୍ବେ ହାଇକୋର୍ଟ) ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ।