ମେଘାଳୟରେ ବଡ଼ ଅଘଟଣ, କୋଇଲା ଖଣିରେ ବିସ୍ଫୋରଣ, ୧୦ ଶ୍ରମିକ ମୃତ

NEWS7
husband-put-objectionable-pictures-of-wife-in-group-posing-as-call-girl

ସିଲଙ୍ଗ: ମେଘାଳୟର ତାସଖାଇ ସ୍ଥିତ ଏକ କୋଇଲା ଖଣିରେ ଭୀଷଣ ବିସ୍ଫୋରଣ ଘଟିଛି। ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ତାସଖାଇର କୋଇଲା ଖଣିରେ ଅଚାନକ ବଡ଼ ବିସ୍ଫୋରଣ ଘଟିଥିଲା। ଫଳରେ ଖଣି ଭିତରେ କାମ କରୁଥିବା ଶ୍ରମିକ ଏହାର କବଳରେ ଆସିଥିଲେ। ଧମାକା ଏତେ ତୀବ୍ର ଥିଲା ଯେ, ଖଣି ଭିତରେ ଥିବା ଶ୍ରମିକଙ୍କୁ ବାହାରିବାର ସୁଯୋଗ ବି ମିଳି ନ ଥିଲା। ମୃତକଙ୍କ ମଧ୍ୟରୁ ସମସ୍ତ ଶ୍ରମିକ ଆସାମର ହୋଇଥିବା କୁହାଯାଉଛି। ତେବେ ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ।

ଘଟଣାର ସୂଚନା ମିଳିବା ମାତ୍ରେ ମେଘାଳୟ ପୋଲିସ ଓ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆାରମ୍ଭ କରିଛନ୍ତି। ଖଣି ଭିତରେ ଫସିଥିବା ଅନ୍ୟ ଶ୍ରମିକଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ପ୍ରଶାସନ ଆଖପାଖ  ଅଞ୍ଚଳକୁ ଘେରାଉ କରି ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି। ଅଧିକାରୀଙ୍କ କହିବା କଥା କେଉଁ କାରଣରୁ ବିସ୍ପୋରଣ ଘଟିଲା ତାର କାରଣ ଜଣା ପଡ଼ିନାହିଁ। ତଦନ୍ତ ଜାରି ରହିଛି। ପ୍ରାରମ୍ଭିକ ତଦନ୍ତରୁ  ଖଣିରୁ ଗ୍ୟାସ୍ ଲିକ୍ ଓ  ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବାର ସମ୍ଭାବନା ରହିଛି। ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ କୁହାଯାଇ ପାରିବ ବୋଲି ଅଧିକାରୀ କହିଛନ୍ତି।

ଦୁର୍ଘଟଣା ପରେ ଶ୍ରମିକଙ୍କ ସୁରକ୍ଷା ଓ ଅବୈଧ ଖନନକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ପ୍ରଶାସନ ଆଶ୍ଵାସନ ଦେଇଛି ଯେ, ମାମଲାକୁ ଗୁରୁତର ସହ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ପରିଜନକୁ ଯଥା ସମ୍ଭବ ସହାୟତା ଦିଆଯିବ।