ବୋମା ଧମକ ପରେ ଆଲର୍ଟ : କଟକର ବିଭିନ୍ନ କୋର୍ଟ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

NEWS7
husband-make-tatoo-in-their-wifes-face-for-making-her-ugly-in-myanmar

କଟକ ୯।୧: ବୋମା ଧମକ ପରେ କୋର୍ଟ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ହାଇକୋର୍ଟ ସମେତ ନିମ୍ନ ଅଦାଲତରର ଆଜି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଉଭୟ ସ୍ଥାନରେ ଅଧିକ ସାଢ଼େ ୩ ପ୍ଲାଟୁନ ସଶସ୍ତ୍ର ବାହିନୀ ମୁତୟନ ହୋଇଛନ୍ତି । ଉଭୟ ହାଇକୋର୍ଟ ଏବଂ ଜିଲ୍ଲା ଜଜ୍ କୋର୍ଟରେ ଅଧିକ ସଂଖ୍ୟକ ମେଟାଲ ଡିଟେକ୍ଟର । ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ କଡ଼ାକଡ଼ି ଚେକିଂ କରାଯାଉଛି । ହାଇକୋର୍ଟ ଭିତରକୁ କୌଣସି ବକ୍ସ କିମ୍ବା ବ୍ୟାଗ୍ ଅବା ଜିନିଷପତ୍ର ନେବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏଭଳି ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଇନଜୀବୀ ମାନେ ସନ୍ତୋଷ ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଦେବଗଡ଼, ସମ୍ବଲପୁର ଏବଂ କଟକ ଜିଲ୍ଲା କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା । ତେବେ ପରେ ଜଣାପଡ଼ିଥିଲା ଯେ ଏହା ଏକ ଗୁଜବ ସୃଷ୍ଟିକାରୀ ଇ-ମେଲ୍‌ ଥିଲା । ଦେଶର ଆଉ ୬ଟି ରାଜ୍ୟରେ ମଧ୍ୟ ସମାନ ଧରଣର ମେଲ୍‌ ଆସିଥିବା ବେଳେ ସେଠାରେ ମଧ୍ୟ ଚେକିଂ କରାଯାଇଥିଲା ।

ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଉଭୟ କ୍ରାଇମବ୍ରାଞ୍ଚ ଏବଂ ସାଇବର ସେଲ ମାମଲାର ତଦନ୍ତ ଆରମ୍ଭ କରିଛି ବୋଲି ପୋଲିସ କମିଶନର କହିଥିଲେ । ଧମକପୂର୍ଣ୍ଣ ଇ-ମେଲ୍‌ର ସୋର୍ସ କ’ଣ ତାହା ଜାଣିବା ଲାଗି ପୋଲିସ ସବୁ ପ୍ରକାରର ଚେଷ୍ଟା କରୁଛି ବୋଲି କହିଥିଲେ ପୋଲିସ କମିଶନର । ଏଭଳି ହୀନକାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ବାର୍ ଆସୋସିଏସନ ତରଫରୁ ଦାବି ହୋଇଥିଲା ।