ପଶ୍ଚିମ ଏସିଆ ଯୁଦ୍ଧ ଏବେ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ପହଞ୍ଚିଲା: ଶ୍ରୀଲଙ୍କା ନିକଟରେ ଇରାନର ଯୁଦ୍ଧ ଜାହାଜକୁ ଟାର୍ଗେଟ୍ କରି ବୁଡାଇଲା ଆମେରିକା: ୮୭ ମୃତ

NEWS7
husband-killed-wife-in-udala-of-mayurbhanj

କଲୋମ୍ବୋ: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ପହଞ୍ଚିଲାଣି। କାରଣ ଭାରତ ଠାରୁ ଅଳ୍ପ ଦୂରରେ ଏକ ବଡ଼ ଆକ୍ରମଣ ହୋଇଛି। ଆଉ ଏହି ଆକ୍ରମଣର ଗନ୍ଧ ଓ ଶକ୍ତିକୁ ଧୀରେ ଧୀରେ ଭାରତକୁ ଅନୁଭବ ହେବା ଆରମ୍ବ ହୋଇଗଲାଣି। ଶ୍ରୀଲଙ୍କାର ଭାରତ ମହାସାଗରରେ ଇରାନର ଏକ ଯୁଦ୍ଧଜାହାଜକୁ ଧକ୍କା ଦେଇ ବୁଡ଼ାଇ ଦେଇଛି ଆମେରିକୀୟ ବୁଡ଼ାଜାହାଜ। ଏଥିରେ ଅତି କମରେ ୮୭ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକା ଓ ଇରାନ ନୌସେନାରୁ ତଥ୍ୟ ନେଇ ବୁଧବାର ଏହି ଖବର ପ୍ରକାଶ କରିଛି ଆସୋସିଏଟେଡ୍ ପ୍ରେସ୍।

ଶ୍ରୀଲଙ୍କାର ଦକ୍ଷିଣ ଉପକୂଳ ନିକଟରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନୀ ଜାହାଜ ଉପରେ ଆକ୍ରମଣ କରିଥିବା କଥା ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ସ୍ପଷ୍ଟ କରିବା ପରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହି ଆକ୍ରମଣ ନେଇ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ ପୂର୍ବରୁ ସଂସଦକୁ କହିଥିଲେ ଯେ ମଉଜ-କ୍ଲାସ୍ ଫ୍ରିଗେଟ୍ ଆଇଆରଆଇଏସ୍ ଡେନା ନାମକ ଏହି ଯୁଦ୍ଧ ଜାହାଜରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ବିପଦ ସଂକେତ ସ୍ୱରୂପ ଡିସଟ୍ରେସ୍ କଲ୍ କରିବା ପରେ ଏହା ଦ୍ୱୀପରୁ ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦୂରରେ ବୁଡ଼ି ଯାଇଥିଲା।

ଶ୍ରୀଲଙ୍କା ଅଧିକାରୀ ଏହି ଘୋଷଣା କରିବାର କିଛି ସମୟ ପରେ ଆମେରିକା ଏନେଇ ସ୍ପଷ୍ଟ କରିଥିଲା। ହେଗ୍ସେଥ କହିଥିଲେ ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଏକ ଆମେରିକୀୟ ବୁଡ଼ାଜାହାଜ ଇରାନର ଏକ ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଛି। ଆମେରିକାର ଏକ ସାମରିକ ବୁଡ଼ାଜାହାଜ ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା ବୋଲି ହେଗ୍ସେଥ ସୂଚନା ଦେଇଛନ୍ତି।

IRINS Dena ନାମକ ଏହି ଜାହାଜଟି ଇରାନ ଫେରିବା ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭାରତରେ ଆନ୍ତର୍ଜାତୀୟ ନୌସେନା ସମୀକ୍ଷା ୨୦୨୬ ରେ ଅଂଶ ଗ୍ରହଣ କରିଥିଲା। ୱେବସାଇଟ୍ ଅନୁଯାୟୀ, ଏହା ଫେବୃଆରୀ ୧୮ରୁ ଫେବୃଆରୀ ୨୫ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଅନୁଷ୍ଠିତ ଏକ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରୁଥିବା ଭାବରେ ତାଲିକାଭୁକ୍ତ ହୋଇଥିଲା।

ତେବେ ଆମେରିକାର ଷ୍ଟ୍ରାଇକ୍ ପରେ ଶ୍ରୀଲଙ୍କା ପକ୍ଷରୁ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷ କହିଛନ୍ତି ଯେ ୩୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଲେ ସମୁଦ୍ରରୁ ଅନେକ ମୃତଦେହ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ଦକ୍ଷିଣ ବନ୍ଦର ସହର ଗାଲେର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବର୍ତ୍ତମାନ ମୃତକଙ୍କ ସଠିକ ସୂଚନା ଦିଆଯାଇପାରିବ ନାହିଁ ବୋଲି ଶ୍ରୀଲଙ୍କା ନୌସେନା ମୁଖପାତ୍ର କମାଣ୍ଡର ବୁଦ୍ଧିକା ସମ୍ପଥ କହିଛନ୍ତି।