ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ପୁଣି ନୂଆ ଟାରିଫ ଲଗାଇଲେ ଟ୍ରମ୍ପ, ଭାରତ ପାଇଁ ପଦଳିବ କି ସ୍ଥିତି ? ଟ୍ରମ୍ପ କହିଲେ ନା, ଭାରତ କହିଲା...

NEWS7
husband-hatya-wife-in-khurda

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ତାଙ୍କ ଜିଦ୍ ଆଗେ, ବାକିସବୁ ପଛରେ। ଦେଶର ସର୍ବୋଚ୍ଚ କ୍ଷମତାରେ ବସିଥିବା ଟ୍ରମ୍ପ ଆଇନକୁ ବି ଫୁ କହି ଶାସନ ଚଳାଉଛନ୍ତି। ତେବେ ଆମେରିକା ସୁପ୍ରିମକୋର୍ଟ କିନ୍ତୁ ଟ୍ରମ୍ପ ଟାରିଫ ନେଇ ଯେଉଁ ରାୟ ଶୁଣାଇଛନ୍ତି, ସେଥିରେ ତାଙ୍କୁ ଶକ୍ତ ଝଟ୍କା ଲାଗିଛି।ବିଶ୍ୱର ବିଭିନ୍ନ ଦେଶ ଉପରେ ଟ୍ରମ୍ପ ଲଗାଇଥିବା ଶୁଳ୍କ ରଦ୍ଦ କରିଦେଇଛନ୍ତି ଆମେରିକା ସୁପ୍ରିମକୋର୍ଟ। ଆଉ ଏହି ରାୟ ପରେ ଭାରତ ଉପରେ ଆମେରିକା ଲଗାଇଥିବା ୧୮ ପ୍ରତିଶତ ଶୁଳ୍କ ବି ଅବୈଧ ହୋଇଯାଇଛି। ହେଲେ ଟ୍ରମ୍ପ ତାଙ୍କ ଜିଦ୍ରେ ଅଟଳ। ସୁପ୍ରିମକୋର୍ଟଙ୍କ ରାୟ ପରେ ବି ସେ ପୁଣିଥରେ ସାରା ବିଶ୍ୱ ଉପରେ ଟାରିଫ ବୋଝ ଲଦିବାକୁ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ପଢନ୍ତୁ ସ୍ପେଶାଲ ରିପୋର୍ଟ। 

ଆମେରିକା ସୁପ୍ରିମକୋର୍ଟ ଶୁକ୍ରବାର ବିଶ୍ୱର ବିଭିନ୍ନ ଦେଶ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅବୈଧ ଘୋଷଣା କରି ଏହାକୁ ରଦ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତି ଭାରତ ଉପରେ ଲାଗୁ ହୋଇଥିବା ୧୮% ପାରସ୍ପରିକ ଶୁଳ୍କକୁ ମଧ୍ୟ ଅବୈଧ ହୋଇଯାଇଛି। ଜାତୀୟ ସୁରକ୍ଷା ଆଳରେ ଟ୍ରମ୍ପ ଏପ୍ରିଲ ୨୦୨୫ ରେ ପ୍ରାୟ ୧୦୦ ଟି ଦେଶ ଉପରେ ଶୁଳ୍କ ଲଗାଇବା ପାଇଁ IEEPA ଆଇନର ବ୍ୟବହାର କରିଥିଲେ। ହେଲେ କୋର୍ଟ କହିଛନ୍ତି ଟ୍ରମ୍ପଙ୍କର ଏହି ଆଇନ ଲାଗୁ କରିବାର କୌଣସି ଅଧିକାର ନାହିଁ। କେବଳ ଦେଶର ସଂସଦ, ମାନେ ଆମେରିକାର କଂଗ୍ରେସ IEEP ଲାଗୁ କରିବା ନିଷ୍ପତ୍ତି ନେଇ ପାରିବ। ଆମେରିକା ସୁପ୍ରିମକୋର୍ଟର ମୋଟ ୯ ଜଣିଆ ବିଚାରପତି ଅଛନ୍ତି। ଏଥିରେ ୬ ବିଚାରପତି ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ରାୟ ଶୁଣାଇଥିବା ବେଳେ ୩ ଜଣ ଟାରିଫକୁ ସମର୍ଥନ କରିଥିଲେ। ବହୁମତ ଦୃଷ୍ଟିରୁ ରାୟ ଟ୍ରମ୍ପଙ୍କ ବିରୁଦ୍ଧରେ ଯାଇଥିଲା।

ଏହା ପୂର୍ବରୁ ମଧ୍ୟ ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଟାରିଫ ନେଇ ଟ୍ରମ୍ପଙ୍କ ଉପରେ ଅଶନ୍ତୋଷ ପ୍ରକାଶ କରିଥିଲେ। ରାଷ୍ଟ୍ରପତିଙ୍କ ପାଖରେ IEEPA ଆଇନ ଲାଗୁ କରିବାର ଅଧିକାର ନାହିଁ ବୋଲି କୋର୍ଟ କହିଥିଲେ। ଏପ୍ରିଲ ମାସରେ ଟ୍ରମ୍ପ ବିଶ୍ୱର ଏକାଧିକ ଦେଶ ଉପରେ ଟାରିଫ ଘୋଷଣା କରିବା ପରେ ଏହା ଆମେରିକାର ଛୋଟ ବ୍ୟବସାୟୀଙ୍କ କମର ଭାଙ୍ଗି ଦେଇଥିଲା। କାରଣ ଟାରିଫ ବୋଝ ସେମାନଙ୍କ ଉପରେ ପଡ଼ିଥିଲା। ସେମାନେ ବିଦେଶରୁ ଯେଉଁ ସାମଗ୍ରୀ ଆମଦାନୀ କଲେ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିଲା।

ଯେତେବେଳେ କୌଣସି ଦେଶ ଅନ୍ୟ ଦେଶର ସାମଗ୍ରୀ ଉପରେ ଟାରିଫ ଲଗାଏ, ସେତେବେଳେ ଟାରିଫ ଘୋଷଣା କରିଥିବା ରାଷ୍ଟ୍ରର ଆମଦାନୀକାରୀଙ୍କୁ ଏହି ବୋଝ ଉଠାଇବାକୁ ପଡ଼େ। ଆଉ ବ୍ୟବସାୟୀମାନେ ନିଜ ସାମଗ୍ରୀ ମହଙ୍ଗା କରି ଏହାକୁ ଜନତାଙ୍କ ଉପରେ ଲଦି ଦିଅନ୍ତି। ଫଳରେ ସବୁ ଭାର ଜନତାଙ୍କ ଉପରେ ପଡ଼େ। ଉଦାହରଣ ସ୍ୱରୁପ ଯଦି ଆମେରିକା ଭାରତ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ତେବେ ଭାରତରୁ ସାମଗ୍ରୀ ଆମଦାନୀ କଲେ, ଆମେରିକାର ବ୍ୟବସାୟୀଙ୍କୁ ଏହି ଟାରିଫ ଦେବାକୁ ପଡ଼ିବ। ଫଳସ୍ୱରୁପ ଆମେରିକାରେ ଉକ୍ତ ସାମଗ୍ରୀ ମହଙ୍ଗା ହୋଇଯିବ।

ତେଣୁ ଟାରିଫର ବୋଝ ପଡ଼ିବାରୁ ଆମେରିକାର ଅନେକ ଛୋଟ ବ୍ୟବସାୟୀ ଓ ୧୨ଟି ରାଜ୍ୟ ଏହି ଶୁଳ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ରାଷ୍ଟ୍ରପତି ତାଙ୍କ ନିଜ ସୀମା ବାହାରେ ଯାଇ ଆମଦାନୀ ଉପରେ ନୂଆ ଶୁଳ୍କ ଲାଗୁ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ନିମ୍ନ ଅଦାଲତଗୁଡ଼ିକରେ ବି ଟ୍ରମ୍ପଙ୍କ ଶୁଳ୍କକୁ ନିନ୍ଦା କରାଯାଇଥିଲା। ଶୁକ୍ରବାର ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ ଘଟଣା ସ୍ପଷ୍ଟ କରିଦେଇଛନ୍ତି।

ସୁପ୍ରିମକୋର୍ଟ ରାୟ ପରେ ବି ଟ୍ରମ୍ପ କିନ୍ତୁ ତାଙ୍କ ଜିଦରେ ଅଟଳ। କୋର୍ଟ ରାୟ ଶୁଣାଇବାର ୩ ଘଣ୍ଟା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କଲେ, ଆଉ ବିଚାରପତିମାନଙ୍କୁ ତୀବ୍ର ସମାଲୋଚନା କଲେ। ଆଉ ଏକ ନୂଆ ଆଇନ ବଳରେ ସେ ପୁଣି ବିଭିନ୍ନ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇ ଦେଲେ। ଆଉ ଏହି ନୂଆ ଟାରିଫ ୨୪ ଫେବ୍ରୁଆରୀରୁ ଲାଗୁ ହେବ। ତେବେ ଏଥିରେ ମଧ୍ୟ ପେଞ୍ଚ ରହିଛି। ଆଗକୁ ପଢ଼ନ୍ତୁ...

କୋର୍ଟଙ୍କ ନିଷ୍ପତ୍ତିର ତିନି ଘଣ୍ଟା ପରେ, ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏକ ନୂଆ ଆଇନ (ଧାରା ୧୨୨) ବ୍ୟବହାର କରି ବିଶ୍ୱବ୍ୟାପୀ ଦେଶଗୁଡ଼ିକ ଉପରେ ୧୦% ଶୁଳ୍କ ଲାଗୁ କରିବାର ଘୋଷଣା କରିଥିଲେ। ଆଉ ଏହି ଆଦେଶ ଉପରେ ଟ୍ରମ୍ପ ଶନିବାର ସ୍ୱାକ୍ଷର କରିଛନ୍ତି। ଫେବୃଆରୀ ୨୪ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ସାମ୍ବାଦିକ ସମ୍ମିଳନୀରେ ବିଚାରପତିମାନଙ୍କ ଉପରେ ବି ବର୍ଷିଥିଲେ ଟ୍ରମ୍ପ। କହିଥିଲେ- ମୁଁ ଏହି କୋର୍ଟର କିଛି ବିଚାରପତିଙ୍କ ପାଇଁ ଲଜ୍ଜିତ। ସେମାନେ ଦେଶ ପାଇଁ କଳଙ୍କ, ଆମ ଦେଶ ପାଇଁ ଯାହା ଠିକ୍ ତାହା କରିବାର ସାହସ ସେମାନଙ୍କର ନାହିଁ।

ସେପଟେ ନୂଆ ଟାରିଫ ନେଇ ବିଭିନ୍ନ ମିଡିଆରେ ଜୋରସୋରରେ ଖବର ପ୍ରକାଶ ପାଇଛି। ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ବିବିସିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମେରିକା ସହ ବ୍ୟବସାୟ କରୁଥିବା ସମସ୍ତ ପାର୍ଟନର ଦେଶଗୁଡ଼ିକୁ ଏହି ନୂଆ ଶୁଳ୍କ ଦେବାକୁ ପଡ଼ିବ। ଯେଉଁଥିରେ, ବ୍ରିଟେନ, ଭାରତ ଓ ୟୁରୋପିୟନ ୟୁନିୟନ ମଧ୍ୟ ରହିଛନ୍ତି। ନୂଆ ଶୁଳ୍କରେ ଭାରତକୁ ଆଉ ୧୮ ପ୍ରତିଶତ ନୁହେଁ ୧୦ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିପାରେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟ୍ରମ୍ପ ଯେଉଁ ସେକ୍ସନ ୧୧୨ ଅନୁସାରେ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ତାହା ସ୍ୱଳ୍ପ ଦିନର ହେବ।

ଧାରା ୧୨୨ ହେଉଛି ୧୯୭୪ ମସିହାର ବାଣିଜ୍ୟ ଆଇନ ନାମକ ଏକ ଆମେରିକୀୟ ଆଇନର ଏକ ଅଂଶ। ଯଦି ଦେଶ ହଠାତ୍ ବାଣିଜ୍ୟ ନିଅଣ୍ଟ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଏ, ତେବେ ଏହି ଆଇନ ଆମେରିକାର ରାଷ୍ଟ୍ରପତିଙ୍କୁ ଆମଦାନୀ ଉପରେ ତୁରନ୍ତ ଶୁଳ୍କ ଲାଗୁ କରିବାର ଅଧିକାର ପ୍ରଦାନ କରେ। ଯଦ୍ୱାରା ରାଷ୍ଟ୍ରପତି ବିନା ଯାଞ୍ଚରେ ଅସ୍ଥାୟୀ ଟାରିଫ ଲଗାନ୍ତି। ଏହା ୧୫୦ ଦିନ ପର୍ଯ୍ୟନ୍ତ ହୋଇଥାଏ। ଏହାପରେ ସମୀକ୍ଷା କରି ପରବର୍ତ୍ତି ନିଷ୍ପତ୍ତି ନିଆଯାଇଥାଏ। ନୂଆ ନିୟମ ଅନୁସାରେ ସମସ୍ତ ଦେଶ ଉପରେ ମାତ୍ର ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ପୂର୍ବରୁ ଯେଉଁ ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗିଛି, ସେଗୁଡ଼ିକ ଆପେ ଆପେ କମି ୧୦% ହୋଇଯିବ।

ସେପଟେ ଆଉ ଏକ ବଡ଼ କଥା ହେଲା ମୋଟା ଅଙ୍କର ଟାରିଫ ଲଗାଇ ଟ୍ରମ୍ପ ସରକାର ଯେଉଁ ଆୟ କରିଛନ୍ତି, ସେଗୁଡ଼ିକୁ ତାଙ୍କୁ ଫେରାଇବାକୁ ପଡ଼ିପାରେ। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଗତ ବର୍ଷ ଆରମ୍ଭରୁ ୨୦୦ ବିଲିୟନ ଡଲାରରୁ ଅଧିକ ଶୁଳ୍କ ଆଦାୟ କରିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏହି ଟଙ୍କା ଫେରସ୍ତ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି। କାରଣ ମାମଲା କୋର୍ଟରେ ପହଞ୍ଚିବା ପୂର୍ବରୁ ଟ୍ରମ୍ପ ସରକାର କହିଥିଲେ ଯେ ଯଦି ଆମେ ମାମଲା ହାରୁ ତେବେ ଆମକୁ ବିଭିନ୍ନ ଦେଶ ସହିତ କରିଥିବା ଚୁକ୍ତି ହଟଇବାକୁ ପଡ଼ିବ ଓ ଆଦାୟ ହୋଇଥିବା ଶୁଳ୍କ ଫେରସ୍ତ କରିବାକୁ ପଡ଼ିପାରେ। ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି।

ସେପଟେ କୋର୍ଟଙ୍କ ଆଦେଶ ଟ୍ରମ୍ପଙ୍କ ସମସ୍ତ ଶୁଳ୍କ ସମାପ୍ତ କରିପାରିବି ନାହିଁ। ଇସ୍ପାତ ଏବଂ ଆଲୁମିନିୟମ ଶୁଳ୍କ ପୃଥକ ଆଇନ ଅଧୀନରେ ଲାଗୁ କରାଯାଇଥିଲା, ତେଣୁ ସେଗୁଡ଼ିକ ବଳବତ୍ତର ରହିବ। ତେବେ ଦୁଇ ପ୍ରମୁଖ ଟାରିଫ- ଜବାବୀ ଶୁଳ୍କ ଓ ୨୫% ଶୁଳ୍କ ହଟାଇଯିବ।

ଆମେରିକା ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଏବେ ଭାରତକୁ ନେଇ ହୋଇଥିବା ଟ୍ରେଡ୍ ଡିଲକୁ ନେଇ ପ୍ରଶ୍ନ ଉଠିଛି। ଡିଲ୍ ଅନୁସାରେ ଭାରତ ଉପରେ ଆମେରିକା ୧୮ପ୍ରତିଶତ ଶୁଳ୍କ ଲଗାଇବା ଓ ଭାରତ ସୁବିଧା ଅନୁସାରେ କିଛି ଶୁଳ୍କ ଛାଡ଼ କରିବ ଓ ଆଉ କିଛିରେ ଟ୍ୟାକ୍ସ କସିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ ଟ୍ରମ୍ପଙ୍କ ୧୦%ଶୁଳ୍କ ଘୋଷଣା ପରେସ୍ଥିତି କଣ ହେବ ସେ ନେଇ ପ୍ରଶ୍ନ ଛିଡ଼ା ହୋଇଛି। ହେଲେ ଟ୍ରମ୍ପ କିନ୍ତୁ କହୁଛନ୍ତି ଭାରତ ପାଇଁ କିନ୍ତୁ କିଛି ବଦଳିବ ନାହିଁ, ଭାରତକୁ ପୂରା ଟାରିଫ ଦେବାକୁ ପଡ଼ିବ। ହେଲେ ଆମେରିକା କିଛି ଦେବନି। ଏନେଇ ଭାରତ କଣ କହୁଛି ଆସନ୍ତୁ ଜାଣିବା

ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ଟାରିଫକୁ ରଦ୍ଦ କରିବା ପରେ ଭାରତ ସହିତ ହୋଇଥିବା ଟ୍ରେଡ୍ ଡିଲକୁ ନେଇ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ରଖିଥିଲେ ଆମେରିକା ରାଷ୍ଟ୍ରପତି। ଏଥର ବି ଭାରତ ପ୍ରତି ସେହି ସମାନ ଆଚରଣ ଥିଲା ତାଙ୍କର। ଟ୍ରମ୍ପ କହିଥିଲେ କିଛି ପରିବର୍ତ୍ତନ ହେବ ନାହିଁ, ଭାରତଙ୍କୁ ଶୁଳ୍କ ଦେବାକୁ ପଡିବ ହେଲେ ଆମେ ଶୁଳ୍କ ଦେବୁ ନାହିଁ। ଏହା ପୂର୍ବ ସ୍ଥିତିର ଲେଉଟାଣି ବୋଲି ଟ୍ରମ୍ପ କହିଛନ୍ତି। ଅର୍ଥାତ୍ ଭାରତ ପୂର୍ବରୁ ଟାରିଫ ଲଗାଉଥିଲେ, ହେଲେ ଆମେରିକା ଖୁବ୍ କମ ଶୁଳ୍କ ଆଦାୟ କରୁଥିଲା। ହେଲେ ଏବେ ସ୍ଥିତି ଓଲଟିବ, ଭାରତ ଶୁଳ୍କ ଦେବ ହେଲେ ଆମେରିକା ଦେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଭାରତ ସହିତ ଟ୍ରେଡ୍ ଡିଲ୍ ଏକ ଉଚିତ୍ ଡିଲ୍ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପୁଣିଥରେ ଭାରତ ପାକିସ୍ତାନ ଯୁଦ୍ଧ କଥା ଉଠାଇଥିଲେ ଟ୍ରମ୍ପ। ଏବଂ କହିଥିଲେ ତାଙ୍କର ଧମକ ଯୋଗୁ ଦୁଇ ଦେଶ ଯୁଦ୍ଧ ବନ୍ଦ କରିଥିଲେ। ଟ୍ରମ୍ପ କହିଥିଲେ ଭାରତ ସହ ଆମର ଭଲ ସମ୍ପର୍କ ରହିଛି, ଆମେ ବ୍ୟବସାୟ ମଧ୍ୟ କରୁଛୁ। ମୋ ଅନୁରୋଧ ପରେ ଭାରତ ଋଷ ଠାରୁ ସମ୍ପର୍କ ଭାଙ୍ଗି ଅଲଗା ହୋଇଯାଇଛି। ଋଷ ଠାରୁ ତେଲ ଆମଦାନୀ ବହୁତ କମେଇ ଦେଇଛି। ତା ଛଡ଼ା ମୁଁ ୨୦୦ ପ୍ରତିଶତ ଶୁଳ୍କ ଧମକ ଦେବାରୁ ଉଭୟ ଦେଶ ମୋତେ ଫୋନ୍ କରି କହିଲେ ଆମେ ଶାନ୍ତି ପାଇଁ ରାଜି ଅଛୁ। ଟ୍ରମ୍ପଙ୍କର ଏହି କଥାରେ କିଛି ସତ୍ୟତା ଥାଉ ବା ନଥାଉ ତାଙ୍କ ଶୈଳୀ କିନ୍ତୁ ଧମକପୂର୍ଣ୍ଣ ରହିଥିଲା। ଆଉ ଭାରତ ଟ୍ରମ୍ପଙ୍କର ଏଭଳି କଥାରେ କେବେ ବି ସିଧା କୌଣସି ପ୍ରତିକ୍ରିୟା ଦେଇପାରି ନାହିଁ। ତେବେ ଟ୍ରମ୍ପଙ୍କର କଥାରେ ଯୁଦ୍ଧ ବନ୍ଦ ହୋଇ ନାହିଁ, ବରଂ ପାକିସ୍ତାନର ଅନୁରୋଧରେ ହୋଇଛି ବୋଲି ଭାରତ ଦାବି କାରି ଆସୁଛି।

ଏପଟେ ଦୁଇ ଦେଶ ମଧ୍ୟରେ ହୋଇଥିବା ଟ୍ରେଡ୍ ଡିଲ୍ କଥା ଯଦି ଦେଖିବା ତେବେ ଏଯାଏ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଫେବ୍ରୁଆରୀ ଶେଷରେ ଡିଲ୍ ଚୂଡ଼ାନ୍ତ ହେବ ଓ ମାର୍ଚ୍ଚରେ ସ୍ୱାକ୍ଷର ହୋଇପାରେ ବୋଲି ବାଣିଜ୍ୟମନ୍ତ୍ରଣାଳୟ କହିଛି। ତେବେ ଶୁଳ୍କ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବଂ ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ପରେ, ଭାରତ ସରକାର କହିଛନ୍ତି ଯେ ଏହା ସମଗ୍ର ମାମଲା ଉପରେ କଡ଼ା ନଜର ରଖିଛି। ଆମେରିକା ପ୍ରଶାସନ ଦ୍ୱାରା ନିଆଯାଇଥିବା ନୂଆ ପଦକ୍ଷେପର ଭାରତ ଉପରେ ସମ୍ଭାବ୍ୟ ପ୍ରଭାବ ମୂଲ୍ୟାଙ୍କନ କରାଯାଉଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ଆମେରିକା ଦ୍ୱାରା କିଛି ନୂଆ ଘୋଷଣା କରାଯାଇଛି। ଏହା ଭାରତ ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉପରେ କି ପ୍ରଭାବ ପକାଇପାରେ ଏହାର ଅନୁଧ୍ୟାନ କରାଯାଉଛି ବୋଲି ଶନିବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି।

ତେବେ ବିବିସିର ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ ବି ଶୁଳ୍କ ହ୍ରାସ ହୋଇ ୧୦ ପ୍ରତିଶତ ହୋଇଯିବ। ହେଲେ ଟ୍ରମ୍ପ କହୁଛନ୍ତି କିଛି ବଦଳିବନି, ଭାରତ ଆମକୁ ୧୮ ପ୍ରତିଶତ ଶୁଳ୍କ ଦେବ, ହେଲେ ଆମେ ଦେବୁ ନାହିଁ,। ଏହି ଦୁଇଟି କଥାରେ ଭାରତ ନିରପେକ୍ଷ ଉତ୍ତର ଦେଇ କହିଛି ଆମେ ସ୍ଥିତି ଅନୁଧ୍ୟାନ କରୁଛୁ।

ଆମେରିକା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ଶୁକ୍ରବାର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଫେବୃଆରୀ ଶେଷ ସୁଦ୍ଧା ଆମେରିକା ସହିତ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହେବ। ଏହା ମାର୍ଚ୍ଚରେ ସ୍ୱାକ୍ଷରିତ ହେବ ଏବଂ ଏପ୍ରିଲରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ।

ଡିଲ୍ ନେଇ ଫେବୃଆରୀ ୨୩ ତାରିଖରୁ, ଭାରତୀ ଓ ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଆମେରିକାରେ ଏକ ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ବୈଠକ ବସିବ। ବାଣିଜ୍ୟ ମନ୍ତ୍ରଣାଳୟର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଫେବୃଆରୀ ୭ ତାରିଖରେ ଦୁଇ ଦେଶର ଜାରି ହୋଇଥିବା ମିଳିତ ବିବୃତ୍ତି ଉପରେ ଆଧାରିତ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବେ।

ଏହା ବ୍ୟତୀତ, ଭାରତ ଆଗାମୀ ମାସଗୁଡ଼ିକରେ ପ୍ରମୁଖ ଦେଶଗୁଡ଼ିକ ସହିତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବ। ଏପ୍ରିଲରେ ବ୍ରିଟେନ ଏବଂ ଓମାନ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ଆରମ୍ଭ ହେବାର ଆଶା କରାଯାଉଛି।