LIVE TV
LIVE TV

ରାଓ୍ୱଲପିଣ୍ଡିରେ ଗର୍ଜିବେ ଇମ୍ରାନଙ୍କ ସମର୍ଥକ, ଭୟରେ ୧୪୪ ଧାରା ଲଗାଇଲେ ପାକ୍ ସରକାର

NEWS7
husband-beaten-lover-of-wife-with-the-help-of-friends

ଲାହୋର, ୦୨ /୧୨: ପାକିସ୍ତାନରେ ଆଭ୍ୟନ୍ତରୀଣ ସଙ୍କଟ । ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି ଇମ୍ରାନ ଖାନଙ୍କ ସମର୍ଥକ । ଇମ୍ରାନଙ୍କ କୌଣସି ଠୋସ୍ ଖୋଜ ଖବର ନଥିବା କଥା ଜଣାପଡିବା ପରେ ରାଗିଯାଇଛନ୍ତି ତାଙ୍କ ସମର୍ଥକ । ସେ ଜେଲରେ ଭଲ ଅଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ମଧ୍ୟ ଲାଗି ରହିଛି ସସପେନ୍ସ ।

ରିପୋର୍ଟ ଅନୁସାରେ, ରାଓ୍ୱଲପିଣ୍ଡିରେ ଇମ୍ରାନ ସମର୍ଥକମାନେ ଏକ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଯାଉଛନ୍ତି । ଯାହାକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ରାଓ୍ୱଲପିଣ୍ଡି ସାରା ଧାରା ୧୪୪ ଲଗାଇଦେଇଛି । ଏହାସହ ଏକାଠି ହେବାକୁ ଲୋକଙ୍କୁ ମନା କରାଯାଇଛି । ଇମ୍ରାନଙ୍କ ପିଟିଆଇ ସମର୍ଥକଙ୍କ ଉପରେ ମଧ୍ୟ ପୋଲିସ କଡା ନଜର ରଖିଛି ।

କିଛି ଦିନ ତଳେ ଇମ୍ରାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ଆସିଥିଲା । ସେ ଜେଲରେ ପ୍ରାଣ ହରାଇଥିବା କେହି କେହି କହିଥିଲେ । କାରଣ ପରିବାର ଲୋକଙ୍କୁ ଜେଲ ମଧ୍ୟକୁ ପ୍ରବେଶ ଅନୁମତି ମିଳୁନାହିଁ । ଇମ୍ରାନଙ୍କୁ କେହି ସାକ୍ଷାତ କରି ପାରୁ ନାହାଁନ୍ତି । ଏପରିକି ତାଙ୍କୁ ଭେଟିବା ପାଇଁ ଦାବି କରୁଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉଭଣୀକୁ ପୋଲିସ ମାଡ ମାରିଥିଲା । ଶେଷରେ ଜେଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଇମ୍ରାନ ସୁସ୍ଥ ଥିବା କହିଥିଲେ । କିନ୍ତୁ ତାଙ୍କ କଥାକୁ ପିଟିଆଇ ସମର୍ଥକ ଗ୍ରହଣ କରିପାରୁ ନାହାଁନ୍ତି ।

ରାଓ୍ୱଲପିଣ୍ଡିର ଡେପୁଟି କମିଶନର ହାସନ୍ ଓ୍ୱାକର କହିଛନ୍ତି ଯେ, ସହର ସାରା ୧୪୪ ଧାରା ଲାଗୁ କରାଯାଇଛି । ତିନି ଦିନ ଯାଏଁ ଏହାକୁ କଡାକଡି ଭାବେ ପାଳନ କରାଯିବ । କୌଣସି ପ୍ରକାର ସଭା, ସମିତି, ଧାରଣ, ବିକ୍ଷୋଭ ଉପରେ ପ୍ରତିବନ୍ଧକ ଲାଗିଛି । ହାତରେ କୌଣସି ଅସ୍ତ୍ରଶସ୍ତ୍ର ଧାରଣ କଲେ ଗିରଫ କରାଯିବ । ଏହାସହ ଲାଇଡ୍ ସ୍ପିକର ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

ପୂର୍ବରୁ ପୋଲିସକୁ ସହରରେ କିଛି ବ୍ୟକ୍ତି ହିଂସାକାଣ୍ଡ ଭିଆଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ଆସିଥିଲା । ସେମାନେ ସରକାରୀ ସମ୍ପତ୍ତିକୁ କ୍ଷତି ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏପରିକି ସରକାରୀ ଦପ୍ତରରେ ମଧ୍ୟ ଭଙ୍ଗାରୁଜା ହୋଇପାରେ । ଯାହାକୁ ନଜରରେ ରଖି ଧାରା ୧୪୪ ଲାଗୁ କରାଯାଇଥିବା ଡେପୁଟି କମିଶନର କହିଛନ୍ତି ।