LIVE TV

ମଲାଲା ୟୁସୁଫଜଈଙ୍କ ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି, ଅକ୍ସଫୋର୍ଡ ୟୁନିଭର୍ସିଟିରେ ଟାଣିଥିଲେ ଗଞ୍ଜେଇ

NEWS7
hunter-arrested-in-kamakhyanagar-range-of-dhenkanal

ନୂଆଦିଲ୍ଲୀ ୧୩।୧୦:  ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନୀତ ମଲାଲା ୟୁସୁଫଜଈ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି କରିଛନ୍ତି। କହିଛନ୍ତି ସେ ଅକ୍ସଫର୍ଡ ୟୁନିଭର୍ସିଟିରେ ବନ୍ଧୁଙ୍କ ଗହଣରେ ଗଞ୍ଜେଇ ସେବନ କରିବା ପରେ ୧୩ ବର୍ଷ ପୂର୍ବେ ତାଲିବାନଙ୍କ ଦ୍ୱାରା ତାଙ୍କ ଉପରେ କରାଯାଇଥିବା ଆକ୍ରମଣର ସ୍ମୃତି ତାଜା ହୋଇଯାଇଛି। ୨୮ବର୍ଷ ବୟଷ୍କା ମଲାଲାଙ୍କ ମୁଣ୍ଡକୁ  ୨୦୧୨ ମସିହାରେ ଜନୈକ ତାଲିବାନ ବନ୍ଧୁକଧାରୀ ଗୁଳି କରିଥିଲା।

ମଲାଲା ତାଙ୍କ ସମସ୍ମରଣ ‘ଫାଇଣ୍ଡିଂ ମାଇଁ ୱେ’ ବିମୋଚନ ପୂର୍ବରୁ ଗତ ସପ୍ତାହନ୍ତରେ ‘ଦି ଗାର୍ଡିଆନ’ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ‘ବୋଙ୍ଗ’ ଅର୍ଥାତ ହୁକାରେ ଗଞ୍ଜେଇ ସେବନ କରିବା ପରେ ଗୁଳିକାଣ୍ଡର ସେହି ସ୍ମୃତି ତାଙ୍କ ମନରେ ତାଜା ହୋଇଯାଇଥିଲା। ସାରା ବିଶ୍ୱରେ ବାଳିକା ଶିକ୍ଷା ଅଧିକାର ନିମନ୍ତେ ସ୍ୱର ଉତ୍ତୋଳନ କରୁଥିବା ମଲାଲା ୟୁସୁଫଜଈ ପାକିସ୍ତାନର ଶ୍ୱାତ ଉପତ୍ୟାକାରେ ସ୍କୁଲରୁ ବସ୍ ଯୋଗେ ଘରକୁ ଫେରୁଥିବା ବେଳେ ଜଣେ ମୁଖା ପିନ୍ଧା ତାଲିବାନ ବନ୍ଧୁକଧାରୀ ତାଙ୍କ ମୁଣ୍ଡକୁ ଗୁଳି କରିଥିଲା।

ଏହି ଗୁଳିମାଡରେ ମଲାଲାଙ୍କ ମୁହଁର ଶିରା ଫାଟି ଯିବା ସହ କାନର ପର୍ଦ୍ଦା ମଧ୍ୟ ଫାଟିଯାଇଥିଲା ଓ ପାଟିର ଖାଇ ଖସିଯାଇଥିଲା। ସେ ଦୀର୍ଘ ମାସ ଧରି ଗୁରୁତର ଅବସ୍ଥାରେ ଥିଲେ। ପରେ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ନିମନ୍ତେ ବ୍ରିଟେନ ପଠାଯାଇଥିଲା। ସେ ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟର ଲେଡି ମାର୍ଗରେଟ ହଲ କଲେଜରେ ଗଞ୍ଜେଇ ସେବନ ଘଟଣାର ଉଲ୍ଲେଖ କରି କହିଛନ୍ତି ଯେ ସେହି (ରାତି)ପରେ  ସବୁକିଛି ସବୁଦିନ ପାଇଁ ବଦଳି ଯାଇଛି। ସେ ‘ଦି ଗାର୍ଡିୟନ’କୁ କହିଛନ୍ତି ଯେ ‘ମୁଁ ପୂର୍ବରୁ କେବେ ସେହି ଆକ୍ରମଣକୁ ଏତେ ପାଖରୁ ଅନୁଭବ କରିନଥିଲି। ସେହି କ୍ଷଣରେ ଏମିତି ଲାଗିଲା ଯେମିତି ମୁଁ ପୁଣି ସେହି ସ୍ଥିତିରେ ଅଛି, ଯେମିତି ମୁଁ ମରିଯାଇଛି ଓ ପରଲୋକରେ ଅଛି’।

ସେ ମନେପକାଇ କହିଛନ୍ତି ଯେ ହୁକା ପିଇବା ପରେ ଯେତେବେଳେ ମୁଁ ମୋ ରୁମକୁ ଫେରୁଥିଲି ସେତେବେଳେ ଅଚାନକ ଅଚେତ ହୋଇ ପଡିଯାଇଥିଲି ଓ ସାଙ୍ଗମାନେ ମୋତେ ଉଠାଇ ନେଇଥିଲେ। ତେବେ ମୋ ମସ୍ତିଷ୍କରେ ଗୁଳି ଶବ୍ଦ, ରକ୍ତ ଓ ଆମ୍ବୁଲାନ୍ସ ଧାଁ ଧପଡ ପୁଣି ମୁଣ୍ଡରେ ଚାଲିବାକୁ ଲାଗିଥିଲା। ମଲାଲା କହିଛନ୍ତି ଯେ ଏହି ଅନୁଭବ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି ଓ ତାଙ୍କୁ ବିଚଳିତ ଲାଗୁଛି। ଏହା ତାଙ୍କ ପାଠ ପଢା ଉପରେ ମଧ୍ୟ ପ୍ରଭାବ ପକାଇଛି ଓ ସେ ପୁଣି ଏଥି ପାଇଁ ଚିକିତ୍ସାଧୀନ ହୋଇଛନ୍ତି।

ସେ କହିଛନ୍ତି ଯେ ମୁଁ ସେହି ଝିଅ ଯାହାକୁ ଗୁଳି କରାଯାଇଥିଲା। ମୁଁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛି ଓ ମୋର କିଛି ହୋଇ ନାହିଁ, ମୁଁ ଏହାକୁ ହସରେ ଉଡାଇ ଦେଇଛି। ସେ କହିଛନ୍ତି ଯେ ମୁଁ ଏବେ ଭଲ ଭାବେ ବୁଝୁଛି ଯେ ଗଞ୍ଜେଇ ସେବନର ନୂଆ ସ୍ୱୀକାରୋକ୍ତି ଯୋଗୁ କିଛି ସମାଲୋଚନାର ସମ୍ମୁଖୀନ ହୋଇଛି। ହେଲେ ଏଥି ପାଇଁ ମୁଁ ପ୍ରସ୍ତୁତ, ମୋତେ ଲାଗୁ ନାହିଁ ଏ  ସମ୍ପର୍କରେ ମୋତେ କୌଣସି ରକ୍ଷାତ୍ମକ ପଦକ୍ଷେପ ନେବାକୁ ପଡିବ। ମୁଁ କୌଣସି ବୟାନ ଜାରି କରିବି ନାହିଁ। ଯଦି କାହାର କୌଣସି ଭ୍ରମ ଥାଏ ସେ ମୋ ପୁସ୍ତକ ପଢି ନିଜେ ନିଷ୍ପତ୍ତି ନେଇ ପାରିବେ। ତେବେ ତାଙ୍କ ଜନ୍ମ ସ୍ଥାନ ପାକିସ୍ତାନରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ପଚରା ଯିବାରୁ ମଲାଲା କହିଛନ୍ତି ଏହା ମୋତେ ବାସ୍ତବିକ ଦୁଃଖିତ କରୁଛି।