ଅଲ ଫଲାହ ୟୁନିଭର୍ସିଟି ଛାତ୍ର ଓ ଷ୍ଟାଫଙ୍କୁ ଘର ଭଡ଼ା ଦେଉ ନାହାନ୍ତି ଲୋକେ, ବାହାରିବାକୁ କରୁଛନ୍ତି ବାଧ୍ୟ

NEWS7
huge-amount-of-liquor-seized-from-patna-ganga-riverbank

ଫରିଦାବାଦ ୧୩।୧୨: ଦିଲ୍ଲୀ ବିସ୍ଫୋରଣ ଘଟଣାର ତାର ଫରିଦାବାଦ ଅଲ ଫଲାହ ୟୁନିଭର୍ସିଟିକୁ ଲମ୍ବିବା ଏହି ଶିକ୍ଷଣାନୁଷ୍ଠାନର ଛାତ୍ର ଓ କର୍ମଚାରୀଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ବିଶ୍ୱବିଦ୍ୟାଳୟ ପରିସର ଆଖପାଖର ଗାଁ ଲୋକଙ୍କ ଘର ଭଡ଼ା ନେଇ ରହୁଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଘର ମାଲିକ ଘର ଖାଲି କରାଉଛନ୍ତି। ଏହି ମାମଲାର ତଦନ୍ତ ଏନଆଇଏ କରୁଛି। ଏଣୁ ଲଗାତାର ଚାଲିଥିବା ଯାଞ୍ଚରେ ଘରମାଲିକ ନିଜ ଲାଗି ବିପଦ ମନେ କରୁଛନ୍ତି। ଏଣୁ ଆଇନକାନୁନ ଜାଲରେ ନ ପଡିବା ଲାଗି ସେମାନଙ୍କ ଘରେ ରହୁଥିବା ଛାତ୍ର ଓ କର୍ମଚାରୀଙ୍କୁ ଘର ଖାଲି କରିବାକୁ କହିଛନ୍ତି।

ୟୁନିଭର୍ସିଟି ନିକଟରେ ଥିବା ଗାଁ ଧୌଜ ଓ ଫତେହପୁରା ତଗାରେ ଶହଶହ ସଂଖ୍ୟାରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଲୋକଙ୍କ ଘର ଓ ପିଜି ନେଇ ରହୁଥିଲେ। ଏଠାରେ ଏହି ସମସ୍ୟା ଏବେ ସବୁଠୁ ଅଧିକ। ଏହି ଘର ଓ ପିଜି ମାଲିକମାନେ ପିଲା ଓ କର୍ମଚାରୀଙ୍କୁ ଅଲ୍ଟିମେଟମ ଦେବା ଆରମ୍ଭ କରିଛନ୍ତି। ଅଲ ଫଲାହ ୟୁନିଭର୍ସିଟି ଯାଞ୍ଚ ଏଜେନ୍ସୀଙ୍କ ପରିସରକୁ ଆସିବାର କାରଣ ହେଲା ଦିଲ୍ଲୀ ବିସ୍ଫୋରଣ ଆତଙ୍କବାଦୀ ନେଟୱାର୍କରେ ସାମିଲ କିଛି ସନ୍ଦିଗ୍ଧଙ୍କର ଏହି ବିଶ୍ୱବିଦ୍ୟାଳୟ ସହ ସମ୍ପର୍କ ଥିଲା। ଏହି ମାମଲାର ଯାଞ୍ଚ କରୁଥିବା ଏନଆଇଏ ଲଗାତାର ଡାକ୍ତର ଓ କର୍ମଚାରୀଙ୍କୁ ପଚରା ଉଚରା କରୁଛି।

ତେବେ ସବୁଠୁ ଯାହା ଚିନ୍ତାର ବିଷୟ ତାହା ହେଉଛି ନଭେମ୍ବର ୧୦ରେ ଜମ୍ମୁ-କାଶ୍ମୀର ପୋଲିସ ଡା.ମୁଜମ୍ମିଲର ଗିରଫ ପରେ ଫରିଦାବାଦର ଏହି ଗାଁମାନଙ୍କରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ଧୌଜ ଗାଁରେ ମୁଜମ୍ମିଲ ୨୪୦୦ ଟଙ୍କା ମାସିକ ଭଡାରେ ଏକ ଘର ନେଇଥିଲା। ଏହି ଘରେ ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍ ସହ ବିସ୍ଫୋରକ ସାମଗ୍ରୀ, ୨୦ଟି ଟାଇମର ଓ ୨୦ଟି ବ୍ୟାଟେରୀ ମିଳିଥିଲା। ଏହି ବିସ୍ଫୋରକ ଜବତ ଘଟଣା ପରେ ପୋଲିସ ଧୌଜ ଓ ଫତେହପୁରା ତଗା ଗାଁର ଅନେକ ଘର ମାଲିକଙ୍କୁ ପଚରା ଉଚରା କରିଥିଲା। ଏଣୁ ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ସୃଷ୍ଟି ହୋଇଛି।