LIVE TV

ଶିକ୍ଷକଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ: ନଭେମ୍ବରରେ ଗଲାଣି ଏକାଧିକ ଜୀବନ

NEWS7
how-a-muslim-boy-made-hindu-for-his-girlfriend

ନୂଆଦିଲ୍ଲୀ: ଶିକ୍ଷକଙ୍କ ନିର୍ଯାତନା ସହି ନପାରି ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିଛି ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ। ଛାତ୍ରୀ ଜଣଙ୍କ ଏକ ଘରୋଇ ସ୍କୁଲର ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ। ମୃତ୍ୟୁ ପୂର୍ବରୁ ସେ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କରି ଏକ ସୁଇସାଇଡ ନୋଟ୍ ଛାଡ଼ି ଯାଇଥିବା ଶୁକ୍ରବାର ରେୱା ପୁଲିସ ସୂଚନା ଦେଇଛି।

ଅତିରିକ୍ତ ପୋଲିସ ଅଧୀକ୍ଷକ (ଏଏସ୍ ପି) ଆରତୀ ସିଂହଙ୍କ ସୂଚନା ଅନୁସାରେ, ୧୭ ବର୍ଷୀୟା ପୀଡିତାଙ୍କୁ ନଭେମ୍ବର ୧୬ ତାରିଖରେ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୋଲିସ ତାଙ୍କ ନୋଟବୁକରେ ଏକ ହାତଲେଖା ନୋଟ ପାଇଛି।

ଯେଉଁଥିରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ହାତକୁ ଟାଇଟ୍ କରି ଧରିଥିଲେ। ଏବଂ ତାଙ୍କ ହାତମୁଠା ଖୋଲିବାକୁ ଚ୍ୟାଲେଞ୍ଜ କରିଥିଲେ। ଦଣ୍ଡ ଦେବା ବାହାନାରେ ଆଙ୍ଗୁଳି ମଝିରେ କଲମ ରଖି ରଗଡ଼ିଥିଲେ। ଏବଂ ସେ ଆହୁରି କହିଛନ୍ତି ଯେ ସେ ବେଞ୍ଚରେ ବସିବା ବେଳେ ଶିକ୍ଷକ ଏମିତି ସାଧାରଣ ଭାବେ ତାଙ୍କ ହାତ ଧରିପକାନ୍ତି ଓ ହାତ କାହିଁକି ଥଣ୍ଡା ଲାଗୁଛି ବୋଲି ପଚାରନ୍ତି।

ଘଟଣାରେ ପୀଡ଼ିତାଙ୍କ ବାପାମା କହିଛନ୍ତି ଯେ ତାଙ୍କ ଝିଅ ଘରେ ସମ୍ପୂର୍ଣ୍ଣ ଠିକାଠାକ୍ ଥିଲା। ତେବେ ସ୍କୁଲ୍ରେ କେହି ଜଣେ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରୁଥିଲା। ତେବେ ଝିଅର ସମ୍ପୂର୍ଣ୍ଣ କଲ୍ ଡିଟେଲ୍ସ ଯାଞ୍ଚ କରିବା ସହିତ ସ୍କୁଲ୍ରେ କିଏ ନିର୍ଯାତନା ଦେଉଥିଲେ ସେ ବିଷୟରେ ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ତେବେ ପୁଲିସ ସବୁ ଦିଗରୁ ମାମଲାର ତଦନ୍ତ କରୁଛି ବୋଲି ଏଏସ୍ପି ସିଂହ କହିଛନ୍ତି।

ଚଳିତ ମାସରେ ଏକାଧିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା

କେବଳ ରିୱାରେ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଚଳିତ ମାସ ଭିତରେ ଏକାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। ମଙ୍ଗଳବାର ଜଣେ ୧୬ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ର ଦିଲ୍ଲୀର ରାଜେନ୍ଦ୍ର ପ୍ଲେସ୍ ମେଟ୍ରୋ ଷ୍ଟେସନରୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ। ତାଙ୍କର ସ୍ୱପ୍ନ ଥିଲା ସେ ଯେ ଦେଶରେ ପରବର୍ତ୍ତି ଶାହରୁଖ ଖାନ ହେବେ। ତେବେ ଆତ୍ମହତ୍ୟା ପଛରେ ସେ ବି ଶିକ୍ଷକଙ୍କ ନିର୍ଯାତନାକୁ ଦାୟୀ କରିଥିଲେ। ତେବେ ସୁଇସାଇଡ ନୋଟ୍ରେ ସେ ତାଙ୍କ ପରିବାରକୁ କ୍ଷମା ମାଗିବା ସହିତ ତାଙ୍କ ଅଙ୍ଗ ଦାନ କରି ଦେବାକୁ ଅନୁରୋଧ କରିଥିଲେ।

ପୁଣି ଗୁରୁବାର ମହାରାଷ୍ଟ୍ର ଥାନେ ଜିଲ୍ଲା କଲ୍ୟାଣ ଇଷ୍ଟର ଅର୍ଣ୍ଣଭ ଲକ୍ଷ୍ମଣ ଖୈରେ ନାମକ ଜଣେ ୧୯ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ପୁଲିସ ରିପୋର୍ଟ କରିଥିଲା। ମରାଠୀ ଭାଷା କହି ନପାରିବା ନେଇ ଲୋକାଲ ଟ୍ରେନ୍ରେ ମାର୍ପିଟ୍ ହେବା ପରେ ମାନସିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ କଲ୍ୟାଣ ଇଷ୍ଟରେ ଥିବା ତାଙ୍କ ଆପାର୍ଟମେଣ୍ଟରେ ଛାତ୍ର ଆତ୍ମହତ୍ୟା କରିଥିବା ପୁଲିସ ଅଧିକାରୀ କହିଛନ୍ତି।

ଏହି ମାସର ଆରମ୍ଭରେ, ଜୟପୁରର ଏକ ଘରୋଇ ସ୍କୁଲ କୋଠାର ଚତୁର୍ଥ ମହଲାରୁ ଡେଇଁ ପଡ଼ି ଜଣେ ୯ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା। ପୋଲିସ ଦ୍ୱାରା ପ୍ରାପ୍ତ ସିସିଟିଭି ଫୁଟେଜରେ ଝିଅଟି ପ୍ରାୟ ୪୮ ଫୁଟ ଉଚ୍ଚତାରୁ ରେଲିଂରୁ ଖସିପଡ଼ିଥିବା ଦେଖାଯାଇଥିଲା। ଏହି ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ଦୀର୍ଘ ୧୮ ମାସ ହେବ ସବୁବେଳେ ଧମକ ଚମକ ଦେଉଥିଲେ। ଅସଭ୍ୟ କଥା କହୁଥିଲେ। ନିର୍ଯାତନା ସହି ନପାରିବାରୁ ସେ ଆତ୍ମହତ୍ୟା କରିଥିଲେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ତଦନ୍ତ କରି ଜାଣିବାକୁ ପାଇଥିଲା।