ବିଦେଶୀ କୋର୍ଟରେ ହୋଇପାରିବ ଭାରତୀୟ ଦମ୍ପତ୍ତିଙ୍କ ଛାଡପତ୍ର ଶୁଣାଣି : କୋଲକାତା ହାଇକୋର୍ଟ

NEWS7
hollywood-tries-toresume-production-movies-and-tv-shows-in-the-coronavirus-era

କୋଲକାତା ୨୮।୧୨: ବିବାହ ବିଚ୍ଛେଦ ସମ୍ପର୍କି ଏକ ମାମଲାରେ କୋଲକାତା ହାଇକୋର୍ଟ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟାଖ୍ୟା କରି ସ୍ପଷ୍ଟ କରିଛନ୍ତି ଯେ ଯଦି ପତି ଅଥବା ପତ୍ନୀଙ୍କ ମଧ୍ୟରୁ କେହି ବି ବିଦେଶରେ ରହୁଛନ୍ତି, ସେମାନଙ୍କ ବିବାହ ଭାରତରେ ସମ୍ପନ୍ନ ହୋଇଥିଲେ ବି ବିଦେଶୀ କୋର୍ଟରେ ଛାଡପତ୍ର ମାମଲାର ଶୁଣାଣି ହୋଇ ପାରିବ। କୋର୍ଟ କହିଛନ୍ତି ଯେ ଭାରତୀୟ ଆଇନ ଅନୁସାରେ ଏହି ପ୍ରକ୍ରିୟାରେ କୌଣସି ବାଧା ନାହିଁ।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ଓ ଜଷ୍ଟିସ୍ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଖଣ୍ଡପୀଠ ଏକ ଏପରି ମାମଲାରେ ଏହି ରାୟ ଦେଇଛନ୍ତି ଯେଉଁଥିରେ ଆଇନର କ୍ଷେତ୍ରାଧିକାରକୁ ନେଇ ବିବାଦ ଉପୁଜିଥିଲା। ଉଲ୍ଲେଖଯୋଗ୍ୟ ଯେ ଏକ ଦମ୍ପତ୍ତିଙ୍କ ବିବାହ ୧୫ ଡିସେମ୍ବର ୨୦୧୮ରେ ହିନ୍ଦୁ ରୀତିନୀତିରେ କୋଲକାତାରେ ସମ୍ପନ୍ନ ହୋଇଥିଲା। ତେବେ ୪ ଡିସେମ୍ବର ୨୦୨୪ରେ ପତି କୋଲକାତାର ଅଲିପୁର କୋର୍ଟରେ ଛାଡପତ୍ର ନିବେଦନ ଦାଖଲ କରିଥିଲେ। ଏହାର କିଛି ସମୟ ପରେ ପତ୍ନୀ ବ୍ରିଟେନର ଏକ କୋର୍ଟରେ ଛାଡପତ୍ର ଓ ଭରଣପୋଷଣା ମାମଲା ରୁଜୁ କରିଥିଲେ।

ପତ୍ନୀଙ୍କ ତର୍କ ଥିଲା ସେ ୨୦୧୫ରେ ଛାତ୍ର ଓ ପରେ ୱାର୍କ ଭିସାରେ ବ୍ରିଟେନରେ ବସବାସ କରୁଛନ୍ତି ଓ ପତି-ପତ୍ନୀ ଭାବେ ସେମାନଙ୍କ ଶେଷ ଠିକଣା ମଧ୍ୟ ବ୍ରିଟେନ ଥିଲା। ବ୍ରିଟିଶ କୋର୍ଟ ମେ ୨୦୨୫ରେ ପତିଙ୍କୁ ଭରଣ-ପୋଷଣ ଦେବାକୁ ଆଦେଶ ଦେଇଥିଲା। ହେଲେ ଅଲିପୁରର ନିମ୍ନ କୋର୍ଟ ଏହି ଆଦେଶ ଉପରେ ରୋକ ଲଗାଇ ଦେଇଥିଲେ। ଯେହେତୁ ପତି-ପତ୍ନୀ ପ୍ରଥମେ ଭାରତରେ ମାମଲା ରୁଜୁ କରିଥିଲେ ଓ ପତ୍ନୀଙ୍କର ବ୍ରିଟେନରେ ସ୍ଥାୟୀ ନାଗରିକତା ନାହିଁ ଏଣୁ ମାମଲା ବିଦେଶୀ କୋର୍ଟଙ୍କ ଅଧିକାର କ୍ଷେତ୍ରର ନୁହେଁ ବୋଲି କହି ବ୍ରିଟେନ କୋର୍ଟର ଆଦେଶକୁ ଓଲଟାଇ ଦେଇଥିଲେ।

ଏଥିରେ ମାମଲା ହାଇକୋର୍ଟକୁ ପହଞ୍ଚିବା ପରେ କୋର୍ଟ ଜାଣିବାକୁ ପାଇଲେ ପତି ସ୍ୱୟଂ ବ୍ରିଟେନ କୋର୍ଟରେ ତାଙ୍କର ସାକ୍ଷ ଓ ପ୍ରମାଣ ଉପସ୍ଥାପନ କରିଥିଲେ। ଏଣୁ ସେ ସେଠାକାର ଆଇନଗତ ପ୍ରକ୍ରିୟାରେ ସେ ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି କୋର୍ଟ କହିଛନ୍ତି। ଏହା ବ୍ୟତୀତ ହାଇକୋର୍ଟ ପତିଙ୍କ ସେହି ତର୍କକୁ ଖାରଜ କରିଦେଇଛନ୍ତି ଯେଉଁଥିରେ କୁହାଯାଇଥିଲା ବ୍ରିଟେନରେ ଛାଡପତ୍ରର ଆଧାର (ବିବାହ ସମ୍ପୂର୍ଣ୍ଣ ଭାଙ୍ଗିଯିବା) ଭାରତୀୟ ଆଇନ ଅନୁସାରେ ମାନ୍ୟ ନୁହେଁ।

ଏଣୁ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ଏକ ପୁରୁଣା ରାୟର ଉଦାହରଣ ଦେଇ କହିଛନ୍ତି ଯେ ଯଦି ବୈବାହିକ ସମ୍ପର୍କ ସେହି ସ୍ତର ପର୍ଯ୍ୟନ୍ତ ବିଗିଡି ଯାଏ ଯେଉଁଥିରେ ସୁଧାର ସମ୍ଭବ ନ ହୁଏ ତେବେ ଏହାକୁ କ୍ରୁରତା ସହ ସମାନ ମନେ କରାଯିବ ଓ ଏହି ଆଧାରରେ ବିବାହ ବିଚ୍ଛେଦ ସମ୍ଭବ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦ୍ୟାପି ହିନ୍ଦୁ ବିବାହ ଆଇନରେ ଜିଲ୍ଲା କୋର୍ଟର ଅର୍ଥ ଭାରତୀୟ କୋର୍ଟ ସହ ରହିଛି ତେବେ ବୈଶ୍ୱିକ ପରିପ୍ରେକ୍ଷରେ ବିଦେଶ କୋର୍ଟଙ୍କ ରାୟ ଉପରେ ପୂର୍ଣ୍ଣ କଟକଣା ଲଗା ଯାଇ ପାରିବନି।