ମନ୍ଦିରରେ ଲୁଚାଇଥିଲା ବାଘ ଛାଲ ଓ ୧୩୩ଟି ନଖ; ୯୦ ବର୍ଷୀୟ କେୟାର ଟେକରର ମୃତ୍ୟୁ ପରେ ଖୁଲାସା

NEWS7
holiday-declared-by-state-govt-for-solar-eclipse

ଭଦୋଦରା: ଗୁଜରାଟର ଭଦୋଦରାର ରାଜପିପଲା ମନ୍ଦିର। ଜଣେ ୯୦ ବର୍ଷୀୟ ବୃଦ୍ଧ ସେଠାରେ ଦୀର୍ଘ ଦିନ ଧରି ରହୁଥିଲେ। ତାଙ୍କର କାମ ମନ୍ଦିରର ଯତ୍ନ ନେବା ଥିଲା। କିନ୍ତୁ ବର୍ତ୍ତମାନ, ତାଙ୍କ ମୃତ୍ୟୁ ପରେ ଯେଉଁ ଖୁଲାସା ହୋଇଛି ତାହା ସମସ୍ତଙ୍କୁ ବିସ୍ମିତ କରିଛି। ମନ୍ଦିର ଟ୍ରଷ୍ଟ ଏବଂ ବନ ବିଭାଗ ମଧ୍ୟ ତାଙ୍କ କୋଠରୀରେ ଥିବା ରହସ୍ୟ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେମାନେ ଯାହା ଦେଖିବାକୁ ପାଇଛନ୍ତି, ସେମାନଙ୍କୁ ଲାଗୁଛି ଏହା କେଉଁ କାଳରାତିର ଦୁଃସ୍ୱପ୍ନ !

ମନ୍ଦିରରୁ ୩୭ଟି ବାଘ ଛାଲ ଏବଂ ୧୩୩ଟି ନଖ ମିଳିଛି । ଏହା ପରେ ମନ୍ଦିରର ଶାନ୍ତ ପରିବେଶରେ ହଠାତ୍ ହଇଚଇ ସୃଷ୍ଟି ହୋଇଛି । ବାଘ ଛାଲ ଉପରେ ରଙ୍ଗ ବୋଳାଯାଇଛି ବୋଲି ବନ ବିଭାଗ କର୍ମଚାରୀ ସନ୍ଦେହ କରୁଛନ୍ତି । ତେଣୁ ବାଘ ଛାଲ ଏବଂ ନଖଗୁଡ଼ିକୁ ପରୀକ୍ଷା ପାଇଁ ପଠାଯିବ। ଏହି ଘଟଣା କେବଳ ମନ୍ଦିର କର୍ମଚାରୀଙ୍କୁ ଚକିତ କରିନାହିଁ ବରଂ ସମଗ୍ର ଅଞ୍ଚଳରେ ଶିକାର ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ।

ବନ ବିଭାଗ କହିଛି ଯେ, ପ୍ରଥମେ ଛାଲଗୁଡ଼ିକ ନକଲି ମନେ ହେଉଥିଲା । କିନ୍ତୁ ସେଗୁଡ଼ିକର ପରୀକ୍ଷା କରାଯିବ । ବନ ବିଭାଗ ଅଧିକାରୀ ଜୟପାଲ ସିଂହ କହିଛନ୍ତି, ‘ଆମେ ସେଗୁଡ଼ିକୁ ପରୀକ୍ଷା କରାଇବୁ।’କେୟାର ଟେକର ମାଧବାନନ୍ଦ ମନ୍ଦିରରେ ବହୁ ବର୍ଷ ଧରି ରହୁଥିଲେ ଏବଂ ଏହାର ଦାୟିତ୍ୱ ନେଇଥିଲେ। ସେ କେବେବି କାହାକୁ ତାଙ୍କ କୋଠରୀ ଭିତରକୁ ପ୍ରବେଶ କରିବାକୁ ଦେଉନଥିଲେ । ତାଙ୍କ ମୃତ୍ୟୁ ପରେ, ଯେତେବେଳେ ମନ୍ଦିର ପରିଚାଳନା କମିଟି ଏକ ନୂତନ କୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନେଲା, ଏହି ଚମଡ଼ା, ନଖ ଏବଂ ଦାନ୍ତ ସଂପର୍କରେ ଜଣାପଡ଼ିଥିଲା ।

ବନ ଅଧିକାରୀମାନେ କହିଛନ୍ତି ଯେ, ମାଧବାନନ୍ଦ ମଧ୍ୟପ୍ରଦେଶର ବାସିନ୍ଦା ଥିଲେ । ତେଣୁ ସେ ଶିକାରରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ତଦନ୍ତ ଚାଲିଛି ଏବଂ ସମସ୍ତ ବାଘ ଛାଲ ଓ ନଖର ପରୀକ୍ଷା କରାଯାଉଛି । ସତ୍ୟତା ଜଣାପଡ଼ିବା ପରେ, ମାଧବାନନ୍ଦ କିଭଳି ଏବଂ କାହିଁକି ବାଘ ଶିକାର କରୁଥିଲେ ସେନେଇ ଜଣାପଡ଼ିବ ।