ବସ୍ ଡ୍ରାଇଭରରୁ ଭେନେଜୁଏଲାର ରାଷ୍ଟ୍ରପତି ହୋଇଥିଲେ ମାଡୁରୋ, ଭାରତ ସହ ଥିଲା ଆଧ୍ୟାତ୍ମିକ ସମ୍ପର୍କ

NEWS7
hike-in-old-age-pension-niranjan-target-naveen

ନୂଆଦିଲ୍ଲୀ ୩।୧: ଆବର୍ଜ୍ଜନାମୟ ବସ୍ତିରେ ଜନ୍ମ, ହାତରେ ବସ୍ ଷ୍ଟିୟରିଂ ଓ ବିଶ୍ୱର ସର୍ବ ବୃହତ୍ତ ତୈଳ ଭଣ୍ଡାର ଥିବା ଦେଶର ରାଷ୍ଟ୍ରପତି କୌଣସି ଫିଲ୍ମୀ କାହାଣୀରୁ କମ୍ ନୁହେଁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କ ଜୀବନୀ। ସାରା ବିଶ୍ୱରେ ଜଣେ ଏକଛତ୍ରବାଦୀ ଭାବେ ଜଣାଶୁଣା ଏହି ରାଷ୍ଟ୍ରପତିଙ୍କ ଏକ ସମ୍ପର୍କ ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟର ପୁଟପର୍ତ୍ତି ସ୍ଥିତ ସତ୍ୟସାଇ ସଂସ୍ଥା ସହିତ ଜଡିତ। ଜଣେ ବସ୍ ଡ୍ରାଇଭର ଭାବେ ଜୀବନ ଆରମ୍ଭ କରିଥିବା ବ୍ୟକ୍ତି ଭାରତର ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କ ଭକ୍ତ ହେଲେ କିପରି? ଆସନ୍ତୁ ଜାଣିବା ଆସ୍ଥା ଓ ଅଧ୍ୟାତ୍ମ୍ୟର ଏହି ଅନନ୍ୟ କାହାଣୀ।

ଏହି ରାଜନୈତିକ ଉଠାପକା ମଧ୍ୟରେ ମାଡୁରୋଙ୍କ ଆଧ୍ୟାତ୍ମିକ ପକ୍ଷ ମଧ୍ୟ ଏବେ ଚର୍ଚ୍ଚାକୁ ଆସିଛି। ପୂର୍ବତନ ବସ୍ ଚାଳକ ଓ ଟ୍ରେଡ ୟୁନିୟନ ନେତା ମାଡୁରୋ ମହାନ ଭାରତୀୟ ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କର ଜଣେ ଦୃଢ ଅନୁଗାମୀ। ୨୦୦୫ ମସିହାରେ ମାଡୁରୋ ତାଙ୍କ ପତ୍ନୀ ସିଲିୟାଙ୍କ ସହିତ ଆନ୍ଧ୍ରପ୍ରଦେଶର ପୁଟପୁର୍ତ୍ତି ଆସିଥିଲେ ଓ ସାଇବାବାଙ୍କ ବ୍ୟକ୍ତିଗତ ଆଶିର୍ବାଦ ଗ୍ରହଣ କରିଥିଲେ। ଏହା ସେହି ସମୟ ଥିଲା ଯେତେବେଳେ ଭେନେଜୁଏଲାରେ ଚାଭିଜିମ୍ ଶିଖରରେ ଥିଲା, ତେବେ ଶାସନର ଶୀର୍ଷ ସ୍ଥାନରେ ଥିବା ଚାଭେଜ-ମାଡୁରୋ ଯୋଡି ଶାନ୍ତି ସନ୍ଧାନରେ ପୂର୍ବକୁ ମହାଇଁଥିଲେ।

ମାଡୁରୋଙ୍କ ରାଷ୍ଟ୍ରପତି କାର୍ଯ୍ୟାଳୟରେ ସତ୍ୟ ସାଇବାବାଙ୍କର ଏକ ବିଶାଳ ଫଟୋଚିତ୍ର ଲାଗି ରହିଛି। ସାଇ ଟ୍ରଷ୍ଟ ଅନୁସାରେ ମାଡୁରୋ ତାଙ୍କର ଜଟିଳ ସମୟରେ ପ୍ରାୟତଃ ଗୁରୁଙ୍କ ଶିକ୍ଷାର ସାହାରା ନିଅନ୍ତି। ତେବେ ନୂଆ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ ରାଜନୀତିରେ ସେତେବେଳେ ଭୂମିକମ୍ପ ଆସିଥିଲା ଯେତେବେଳେ ମାଡୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋର୍ସଙ୍କ ଗିରଫ ନେଇ ଆମେରିକା ରାଷ୍ଟ୍ରପତି ଚାଞ୍ଚଲ୍ୟକର ଘୋଷଣା କଲେ।

୩ ଜାନୁୟାରୀ ୨୦୨୬ ପ୍ରତ୍ୟୁଷରେ କାରାକାସରେ ହୋଇଥିବା ସିରିଜ ବିସ୍ଫୋରଣ ଓ ଆମରିକା ସ୍ୱତନ୍ତ୍ର ଫୋର୍ସଙ୍କ ଗୁପ୍ତ ଅଭିଯାନ ପରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ସାଇଟ୍ ଟ୍ରୁଥ ସୋସିଆଲରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନର ପୁଷ୍ଟି କରିଛନ୍ତି। ସେ ଲେଖିଛନ୍ତି ଯେ ଆମେରିକା ସୁରକ୍ଷା ବାହିନୀ ଏକ ସ୍ୱତନ୍ତ୍ର ଅଭିଯାନରେ ଭେନେଜୁଏଲାର ବିବାଦୀୟ ରାଷ୍ଟ୍ରପତି ନିକୋଲାସ ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି।

ଏହି ଖବର ବିଶ୍ୱ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଭେନେଜୁଏଲାରେ ଦୀର୍ଘକାଳୀନ ଆର୍ଥିକ ସଂକଟ ଓ ରାଜନୈତିକ ଅଚଳାବସ୍ଥା ମଧ୍ୟରେ ଏହି କାର୍ଯ୍ୟ ସିଧାସଳଖ ଶାସନ ପରିବର୍ତ୍ତନର ସଂକେତ ଦେଉଛି। ତେବେ ଟ୍ରମ୍ପ କହିଛନ୍ତି ଯେ ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରି ଦେଶ ବାହାରକୁ ନେଇ ନିଆ ଯାଇଛି। ତେବେ ଭେନେଜୁଏଲା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗଜ ରାଷ୍ଟ୍ରପତି ମାଡୁରୋ ଓ ତାଙ୍କ ପତ୍ନୀଙ୍କ ବିଷୟରେ କିଛି ଜାଣିନଥିବା କହିଛନ୍ତି। ତେବେ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକୀୟ ସେନାର ଶୀର୍ଷ ସ୍ୱତନ୍ତ୍ର ମିଶନ ୟୁନିଟି ଡେଲ୍ଟା ଫୋର୍ସ ଦ୍ୱାରା ବନ୍ଦୀ କରାଯାଇଛି।