LIVE TV

ବିହାର ବିଧାନସଭା ନିର୍ବାଚନ: ଛିଡ଼ୁନି ଇଣ୍ଡିଆ ମେଣ୍ଟର ଆସନ ଅଙ୍କ: ଲାଲୁଙ୍କୁ ଫୋନ୍ କଲେ ରାହୁଲ

NEWS7
heavy-rain-fall-from-tomorrow-in-odisha-alert-issued

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଥିବା ବେଳେ ବିରୋଧୀ ଇଣ୍ଡିଆ ମେଣ୍ଟରେ ଅଙ୍କ ଛିଡ଼ୁ ନାହିଁ। ଆର୍‌ଜେଡି ଓ କଂଗ୍ରେସ ମଧ୍ୟରେ ଅଡ଼ୁଆ ରହିଛି। ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ଗୁରୁବାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ସିଧାସଳଖ ଫୋନ ଯୋଗେ କଥା ହୋଇଛନ୍ତି। ଆସନ ବୁଝାମଣା ନେଇ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ବି ଅଙ୍କ ଛିଡ଼ୁ ନଥିବା ସୂଚନା ମିଳିଛି।  

ସେପଟେ ନାମାଙ୍କନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇସାରିଥିବା ବେଳେ ଶେଷ ତାରିଖ ପାଖେଇ ଆସୁଛି। ଏପରି ସ୍ଥଳେ ପ୍ରମୁଖ ସହଯୋଗୀ ଦଳ - ଆରଜେଡି ଏବଂ କଂଗ୍ରେସ - ଏକ ସହମତିରେ ପହଞ୍ଚି ନପାରିବା ମହାମେଣ୍ଚର ଏକତା ଉପରେ ଅନିଶ୍ଚିତତା ସୃଷ୍ଟି କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସକୁ ଯେତିକି ଆସନ ଦିଆଯିବାକୁ ସ୍ଥିର ହୋଇଛି ଦଳ ସେଥିରେ ରାଜି ହେଉ ନାହିଁ ଏବଂ ଏହାର ପାରମ୍ପରିକ ଗଡ଼ରେ ମଧ୍ୟ ଦଳକୁ ଟିକେଟ ଦିଆଯାଉ ନାହିଁ। ଯେଉଁଥିପାଇଁ ଦଳ ଅସନ୍ତୋଷ ରହିଛି।

ତେବେ ଉଭୟ ପକ୍ଷ ମଧ୍ୟରେ ଫୋନ୍‌ ଯୋଗେ କେଉଁସବୁ କଥା ହୋଇଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ଖୁଲାସା ହୋଇ ନାହିଁ। ଆରମ୍ଭରୁ ଆରଜେଡି କଂଗ୍ରେସକୁ ୫୨ଟି ଆସନ ପ୍ରଦାନ କରିଥିଲା। ହେଲେ ଦଳ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହିତ ୬୧ ଆସନ ମାଗିଥିଲା। ଏବଂ ପାରମ୍ପରିକ ନିର୍ବାଚନମଣ୍ଡଳୀ ଦେବାକୁ ଜିଦ୍ ଧରିଥିଲା। ଏହାକୁ ନେଇ ରାଜ୍ୟସ୍ତରୀୟ କଂଗ୍ରେସ ନେତା ଏବଂ ଆରଜେଡି ମଧ୍ୟରେ ଆଲୋଚନା ସ୍ଥଗିତ ରହିଥିବା ସୂଚନା ମିଳିଛି। ଯାହା ଫଳରେ ଉଭୟ ଦଳର ଜାତୀୟ ନେତୃତ୍ୱ ମଧ୍ୟରେ ଆଲୋଚନା ହେଉଛି।

ତେବେ ଆର୍‌ଜେଡି କଂଗ୍ରେସକୁ ୬୧ ଆସନ ଦେବାକୁ ରାଜି ହୋଇଥିବା କୁହାଯାଉଛି। ହେଲେ କିଛି ପୁରୁଣା ଆସନରୁ ଦଳ ଜିଦ୍‌ ଛାଡ଼ୁ ନଥିବାରୁ ଭାଗ ଛିଡ଼ିପାରୁ ନାହିଁ। କଂଗ୍ରେସ ନାରକଟିଆଗଞ୍ଜ, ଭାସାଲିଗଞ୍ଜ ସହିତ କଂଗ୍ରେସ ଗଡ଼ କୁହାଯାଉଥିବା କହଲଗାଓଁକୁ ଦଳ ଛାଡ଼ିବାକୁ ଚାହୁଁ ନାହିଁ। ଚୈନପୁର ଏବଂ ବାଚୱାରା ସମେତ ଅନ୍ୟ ନିର୍ବାଚନମଣ୍ଡଳୀ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା କିନ୍ତୁ ସେଗୁଡ଼ିକୁ କମ୍ ବିବାଦୀୟ ବୋଲି କୁହାଯାଇଛି।

କଂଗ୍ରେସ ଭାବୁଛି ରାହୁଲ ଗାନ୍ଧୀଙ୍କର ଭୋଟ ଅଧିକାର ଯାତ୍ରାର ବିହାରରେ ଅଧିକ ପ୍ରଭାବ ପଡ଼ିଛି। ତେଣୁ ଦଳ ଏଥିର ଭଲ ପ୍ରଦର୍ଶନ କରିପାରେ। ଶୁଣିବାକୁ ମିଳୁଛି ଯେ କଂଗ୍ରେସ ୬୧ଟି ଆସନରେ ସନ୍ତୁଷ୍ଟ ହେବାକୁ ରାଜି ହୋଇଛି। ତେବେ ଦଳ ୨୦୨୦ରେ ୭୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ଏଥିରେ ମାତ୍ର ୧୯ଟିରେ ବିଜୟୀ ହୋଇଥିଲା। ତେବେ ଗତ ଥର ତୁଳନାରେ କଂଗ୍ରେସ ଏଥର ୯ଟି ଆସନ କମ ମିଳିପାରେ।

ସେପଟେ ଆରଜେଡି ସିଂହଭାଗ ଆସନ ପାଇବ ବୋଲି ଆଶା କରାଯାଉଛି। ତେବେ ପୂର୍ବ ନିର୍ବାଚନ ତୁଳନାରେ ଆର୍‌ଜେଡି ମଧ୍ୟ ଏଥର କମ୍ ଆସନ ପାଇବ। ଗତ ନିର୍ବାଚନରେ ଦଳ ୧୪୪ ପ୍ରାର୍ଥୀ ଦେଇଥିଲେ। ହେଲେ ସେଥିରୁ 75 ଜଣ ବିଜୟୀ ହୋଇଥିଲେ। ସିପିଆଇ(ଏମ୍ଏଲ୍) ଲିବରେସନ, ସିପିଆଇ(ଏମ୍), ଏବଂ ସିପିଆଇ ସମେତ ବାମପନ୍ଥୀ ସହଯୋଗୀଙ୍କ ସହିତ ପୂର୍ବତନ ରାଜ୍ୟ ମନ୍ତ୍ରୀ ମୁକେଶ ସାହାଣୀଙ୍କୁ ମଧ୍ୟ ଆସନ ମିଳିବ।