ମାଞ୍ଜା ସୂତା ସାଜିଛି ଘାତକ : ଗୁଡ଼ି ସୂତା ଲାଗି କଟିଲା ଯୁବକଙ୍କ ମୁହଁ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

NEWS7
heavy-rain-fall-alert-issued-for-13-districts-of-odisha

କଟକ ୧୫।୧: ଚୀନ ମାଞ୍ଜା ସୂତା ନେଉଛି ଜୀବନ । ଗୁଡ଼ି ସୂତା ସାଜିଛି ହତ୍ୟାକାରୀ । ଗୁଡ଼ି ସୂତାରେ କାହାର ବେକ କଟିଲାଣି ତ କାହାର ମୁହଁ ହାତ । ମକର ସଂକ୍ରାନ୍ତି ଅବସରରେ ଗୁଡ଼ିର ମାଞ୍ଜା ସୂତା ଏବେ ଲୋକଙ୍କ ପାଇଁ କାଳ ହୋଇଛି । ବାଇକ୍ ଚଳାଇ ଯାଉଥିବା ଲୋକେ ରାସ୍ତାରେ ଉଡ଼ୁଥିବା ମାଞ୍ଜା ସୂତାରେ ଲାଗି ପ୍ରାଣ ହରାଉଛନ୍ତି ତ ଆଉ କେତେକ ସ୍ଥାନରେ ଗୁରୁତର ହେଉଥିବାର ଗୋଟିଏ ପରେ ଗୋଟିଏ ଖବର ଆସିବାରେ ଲାଗିଛି । ଗୁରୁବାର ଖାନନଗର ଟ୍ରାଫିକ ଛକରେ ମାଞ୍ଜା ସୂତା ଲାଗି ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ କଟି ଯାଇଛି । ଗୁରୁତର ଯୁବକଙ୍କୁ ଏସସିବିରେ ଭର୍ତ୍ତି କରିଛି ପୋଲିସ ।

ସେହିଭଳି ଖାନନଗରର ନଦୀ ବନ୍ଧ ରାସ୍ତାରେ ସୂର୍ଯ୍ୟକାନ୍ତ ଓ ତାଙ୍କର ବନ୍ଧୁ ବାଇକ୍ ଯୋଗେ ଭୁବନେଶ୍ବର ଯିବା ସମୟରେ ଗୁଡ଼ି ସୂତା ଲାଗି ଯାଇଥିଲା । ଫଳରେ ସୂର୍ଯ୍ୟକାନ୍ତଙ୍କ ମୁହଁ ଓ ବେକ କଟି ଯାଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେବଳ କଟକ ନୁହେଁ ମକର ସଂକ୍ରାନ୍ତି ଦିନ ଗୁଡ଼ି ମାଞ୍ଜା ସୂତା ଲାଗି ଢେଙ୍କାନାଳ ମୀନାବଜାର ଅଞ୍ଚଳର ଅଭିଶେଖ ସାହୁ ଆହତ ହୋଇଥିଲେ । ସେହିପରି ପୁରୀ ସହରରେ ମଧ୍ୟ ୩ ଜଣ ବ୍ୟକ୍ତି ଆହତ ହେବା ଘଟଣା ସାମ୍ନାକୁ ଆସିଥିଲା । ତେଣୁ ପୁରୀ ପୋଲିସ ଘଟଣାକୁ ଗୁରୁତର ସହ ନେଇ ବେଆଇନ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ ଜାରି ରଖିଛି ।

କେବଳ ଓଡ଼ିଶା ନୁହେଁ ଦେଶରେ ମଧ୍ୟ ଗୁଡ଼ିର ମାଞ୍ଜା ସୂତାରେ କିଛି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗରୁତର ହୋଇଛନ୍ତି । କର୍ଣ୍ଣାଟକରେ ଜଣେ ବ୍ୟକ୍ତି ବାଇକ୍ରେ ଯିବା ବେଳେ ଗୁଡ଼ି ସୂତାରେ ଲାଗି ତାଙ୍କ ବେକ କଟି ଯାଇଥିଲା । ସେ ସେହିଠାରେ ପଡିଯିବା ସହ ଝିଅକୁ ଫୋନ୍ କରିବାକୁ ଚେଷ୍ଟା କରିଥିଲେ । ଆଉ ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଉତ୍ତରପ୍ରଦେଶ ଜୌନପୁରରେ ଜଣେ ଡାକ୍ତର ବାଇକ୍ରେ ଘରକୁ ଫେରୁଥିବା ବେଳେ ତା ବେକଙ୍କ ଗୁଡ଼ି ସୂତାରେ ଲାଗିଯାଇ କଟି ଯାଇଥିଲା । ସୁତା ଏତେ ତୀକ୍ଷ୍ଣ ଥିଲା ଯେ ଏହା ତାଙ୍କ ବେକ ହାଡ଼କୁ ବି କାଟି ଦେଇଥିଲା। ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେଲେଙ୍ଗାନା, ମଧ୍ୟ ପ୍ରଦେଶରେ ମଧ୍ୟ ୩ ଜଣଙ୍କର ଗୁଡ଼ି ମାଞ୍ଜା ସୂତା ଯୋଗୁଁ ମୃତ୍ୟୁ ହୋଇଛି ।