LIVE TV

ଜୟ ଶାହଙ୍କ ହସ୍ତକ୍ଷେପ ପରେ ପ୍ରତୀକା ରାୱଲଙ୍କୁ ମିଳିବ ବିଶ୍ୱକପ ବିଜୟ ପଦକ ! ନିୟମ ବଦଳାଇଲା ICC

NEWS7
heavy-fines-for-violation-traffic-rules-from-today

ନୂଆଦିଲ୍ଲୀ: ଜୟ ଶାହଙ୍କ ହସ୍ତକ୍ଷେପ ପରେ ପ୍ରତୀକା ରାୱଲଙ୍କୁ ଆଇସିସି ମହିଳା ବିଶ୍ୱକପର ବିଜେତା ପଦକ ମିଳିବାକୁ ଯାଉଛି । ସେ ନିଜେ ଏହି ଖୁଲାସା କରିଛନ୍ତି । ଆଇସିସିର ନିୟମ ରହିଛି ଯେ ବିଶ୍ୱକପ ବିଜୟୀ ପଦକ କେବଳ ସେହି ୧୫ ଜଣ ଖେଳାଳିଙ୍କୁ ମିଳେ, ଯେଉଁମାନେ ସ୍କ୍ୱାର୍ଡର ଅଂଶ ରହିଥାନ୍ତି । ପ୍ରତୀକା ରାୱଲଙ୍କ ମାମଲାରେ ଆଇସିସି ନିଜର ଏହି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଛି । ପ୍ରତୀକା ରାୱଲ ବାଂଲାଦେଶ ବିପକ୍ଷ ଲିଗ୍ ଷ୍ଟେଜର ଶେଷ ମୁକାବିଲାରେ ଆହତ ହୋଇ ଟିମରୁ ବାହାର ହୋଇଥିଲେ । ତାଙ୍କ ସ୍ଥାନରେ ଶେଫଲୀ ବର୍ମାଙ୍କୁ ଟିମରେ ସ୍ଥାନ ଦିଆଯାଇଥିଲା । ଶେଫାଲୀ ଫାଇନାଲରେ ୮୭ ରନ କରିବା ସହ ୨ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଭାରତକୁ ଚାମ୍ପିଅନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

ଟିମର ସଦସ୍ୟ ହେବା କାରଣରୁ ଶେଫାଲୀ ବର୍ମାଙ୍କୁ ମାତ୍ର ୨ଟି ମ୍ୟାଚ୍ ଖେଳିବା ସତ୍ତ୍ୱେ ବିଶ୍ୱକପ ବିଜୟୀ ମେଡାଲ ମିଳିଥିଲା । କିନ୍ତୁ ଲିଗ୍ ଷ୍ଟେଜରେ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ପ୍ରତୀକା ରାୱଲ ମେଡାଲରୁ ବଞ୍ଚିତ ରହିଥିଲେ । ପ୍ରତୀକା ଲିଗ୍ ପର୍ଯ୍ୟାୟରେ ଗୋଟିଏ ଶତକ ସହ ୩୦୦ରୁ ଅଧିକ ରନ କରିଥିଲେ । ଓପନିଂ ପାର୍ଟନର ସ୍ମୃତି ମନ୍ଧାନଙ୍କ ସହ ସେ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା କରିଥିଲେ ।

ପ୍ରତୀକା ରାୱଲଙ୍କୁ ମେଡାଲ ନ ମିଳିବା କାରଣରୁ ସୋସିଆଲ୍ ମିଡିଆରେ ବେଶ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫ୍ୟାନ୍ସ ତାଙ୍କ ପାଇଁ ସ୍ୱର ଉଠାଇଥିଲେ । ଭାରତର ବିଜୟରେ ତାଙ୍କ ଯୋଗଦାନ ପାଇଁ ଆଇସିସି ଉପରେ ଚାପ ପକାଇଥିଲେ । ଏବେ ପ୍ରତୀକା ରାୱଲ ନିଜେ ଖୁଲାସା କରିଛନ୍ତି ଯେ ଜୟ ଶାହଙ୍କ ହସ୍ତକ୍ଷେପ ପରେ ତାଙ୍କୁ ଏହି ମେଡାଲ ମିଳିବାକୁ ଯାଉଛି ।

ପ୍ରତୀକା ରାୱଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭାରତୀୟ ଟିମ ଭେଟିଥିଲେ । ପ୍ରତୀକା ରାୱଲ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜୟ ଶାହ ଆମ ମ୍ୟାନେଜରଙ୍କୁ ମେସେଜ କରିଛନ୍ତି ଯେ ମୁଁ ପ୍ରତୀକାଙ୍କ ପାଇଁ ମେଡାଲର ବ୍ୟବସ୍ଥା କରିବାକୁ ଚାହୁଁଛି । ଏବେ ମୋର ନିଜର ମେଡାଲ ରହିବ । ରାୱଲ ଏହା ମଧ୍ୟ କହିଛନ୍ତି ଯେ ଶାହ ପୂର୍ବରୁ ହିଁ ତାଙ୍କୁ ଆଶ୍ୱସନା ଦେଇଥିଲେ ଯେ ତାଙ୍କୁ ପଦକ ମିଳିବ, ତେବେ ଏଥିରେ କିଛି ସମୟ ଲାଗିପାରେ ।