ପ୍ରଚଣ୍ଡ, ଅଟଳ ଓ ଅସହନୀୟ... ଅପରେସନ ସିନ୍ଦୂରର ନୂଆ ଭିଡିଓ ଜାରି କଲା ଭାରତୀୟ ସେନା, ଦେଖନ୍ତୁ Video

NEWS7
head-master-misbehaving-lady-teacher-in-school

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ଭାରତୀୟ ସେନା ଗୁରୁବାର ଅପରେସନ ସିନ୍ଦୂର ସଂପର୍କିତ ନୂଆ ଭିଡିଓ ଜାରି କରିଛି। ଏଥିରେ ପାକିସ୍ତାନ ସ୍ଥିତ ଆତଙ୍କୀ ଠିକଣା, ଏୟାରବେସ୍ ଓ ରାଡାର ସିଷ୍ଟମ ଉପରେ ହୋଇଥିବା ସଠିକ ଲକ୍ଷ୍ୟଭେଦ ହମଲାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅପରେସନ ୨୦୨୫ ମେରେ ଭାରତୀୟ ସେନା କରିଥିଲେ। ପ୍ରାୟ ତିନି ମିନିଟର ଏହି ଭିଡିଓର ଆରମ୍ଭ ଭାରତ ଉପରେ ହୋଇଥିବା ବଡ଼ ଆତଙ୍କବାଦୀ ହମଲାର ସ୍ମୃତିରୁ ହୋଇଛି। ଏଥିରେ ୨୦୦୧ ସଂସଦ ହମଲା, ୨୦୦୨ ଅକ୍ଷରଧାମ ହମଲା, ୨୦୦୮ ମୁମ୍ବାଇ ହମଲା, ୨୦୧୬ ଉରି ହମଲା, ୨୦୧୯ ପୁଲଓ୍ଵାମା ହମଲା ଓ ୨୦୨୫ର ପହଲଗାମ ଆତଙ୍କୀ ହମଲା ବିଷୟରେ ଉଲ୍ଲେଖ ରହିଛି।

ଭାରତୀୟ ସେନା ଏହି ସବୁ ଘଟଣାକୁ ‘ମାନବତା ଉପରେ ହମଲା’ ଦର୍ଶାଇଛନ୍ତି। ହିନ୍ଦୀ କ୍ୟାପସନ ସହ ଜାରି ଏହି ଭିଡିଓରେ ୨୦୨୫ ମେ ୭ ରାତିରେ ଭାରତୀୟ ସଶସ୍ତ୍ର ବଳ ସୀମା ପାର ସ୍ଥିତ ୯ ଆତଙ୍କୀ ଆଡ୍ଡା ଉପରେ ଏକ ସଙ୍ଗେ କିଭଳି ସଫଳ ଲକ୍ଷ୍ୟଭେଦ କଲେ ତାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହମଲା ଅପରେସନ ସିନ୍ଦୂର ଆଧାରରେ କରାଯାଇଥିଲା। ଭିଡିଓରେ ଲେଖା ହୋଇଛି ଅପରେସନ ସିନ୍ଦୂର ସମୟରେ ଭାରତୀୟ ସଶସ୍ତ୍ର ବଳ ଅଦମ୍ୟ ସାହାସ, ପରାକ୍ରମ ଓ ଅତୁଟ ସଂକଳ୍ପ ସହିତ ଇତିହାସ ରଚିଛି। ଆର୍ମି ଡେ ପରେଡ, ଜୟପୁରରେ ପ୍ରଦର୍ଶିତ ଏହି ଲଘୁ ଫିଲ୍ମ ମାଧ୍ୟମରେ ବୀରତାର ଏହି ପ୍ରେରଣାଦାୟୀ ଗାଥା ଦେଖନ୍ତୁ। ପ୍ରଚଣ୍ଡ, ଅଟଳ ଓ ଅସହନୀୟ... ସେନା ଅପରେସନ ସିନ୍ଦୂରର ନୂଆ ଭିଡିଓ ଜାରି କରିଛି। ପାକ୍ ଏୟାରବେସର ଧ୍ଵଂସ ଦେଖିବାକୁ ମିଳିଛି।

ଭିଡିଓରେ ପାକିସ୍ତାନର ନାଁ ନ ନେଇ ସମସ୍ତ ଦୃଶ୍ୟ ଦେଖା ଯାଇଛି। ଜମ୍ମୁ-କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ବିପୁଳ ଗୁଳି ବିନିମୟ ହେଉଥିବା ଦେଖିବାକୁ ମିଳିଛି। ଏହାରି ଜବାବରେ ଭାରତୀୟ ସେନା ପାକିସ୍ତାନୀ ଡ୍ରୋନ ମାରି ଖସାଇଥିଲେ। ଏହା ବ୍ୟତୀତ ସୀମା ସ୍ଥିତ ସାମରିକ ଠିକଣା ଏବଂ ପରେ ପାକିସ୍ତାନର ଏୟାର ଡିଫେନ୍ସ ରାଡାର ଓ ଏୟାରବେସ୍ ଧ୍ଵଂସ କରାଯାଇଛି।

ଏହି ଭିଡିଓ ଜରିଆରେ ଭାରତୀୟ ସେନା ପାକିସ୍ତାନକୁ କଠୋର ସନ୍ଦେଶ ଦେବାକୁ ଉଦ୍ୟମ କରିଛ। ଭିଡିଓର ଶେଷରେ ସ୍ପଷ୍ଟ ଶବ୍ଦରେ ଲେଖା ହୋଇଛି, ଆମ ଶତ୍ରୁ ପାଇଁ ଏହା ଏକ ଚେତାବନୀ। କାପୁରୁଷର ମୂଲ୍ୟ ଦେବାକୁ ପଡ଼ିବ। ଏହି ଭିଡିଓ କେବଳ ସୈନ୍ୟ କ୍ଷମତାର ପ୍ରଦର୍ଶନ ନୁହେଁ ବରଂ ଏହା ଏକ ସ୍ପଷ୍ଟ ସନ୍ଦେଶ ଦେଉଛୁ ଯେ ଭାରତ ଆତଙ୍କବାଦ ବିରୋଧରେ ଚୁପ୍ ହୋଇ ବସିବ ନାହିଁ। ସୂଚନାଯୋଗ୍ୟ, ଗତ ବର୍ଷ ଏପ୍ରିଲରେ କାଶ୍ମୀରର ପହଲଗାମ ଘାଟିରେ ଆତଙ୍କବାଦୀ ୨୬ ଜଣ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ। ଏହା ପରେ ଭାରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା।