ବିଜେଡିରେ ଏବେ ଘଡିକେ ଘୋଡ଼ା ଛୁଟୁଛି, ଦୁଇ ନେତା ସସପେଣ୍ଡ ପରେ ଅନ୍ୟ ନେତା ଛାନିଆ

NEWS7
head-master-duskarma-at-school-telengana

ଭୁବନେଶ୍ଵର: ବିଜେଡିରେ ଏବେ ଘଡିକେ ଘୋଡା ଛୁଟୁଛି । ଦଳ ସୁପ୍ରିମୋ ଅଚାନକ ଦୁଇ ବିଧାୟକଙ୍କୁ ଦଳରୁ ସସପେଣ୍ଡ କରିବା ଫଳରେ ଦଳରେ କୋକୁଆ ଭୟ ଖେଳି ଯାଇଛି । ସ୍ଥିତି ଏମିତି ଯେ ଆଉ କେହି ନେତା ବର୍ତ୍ତମାନ ପାଟି ଖୋଲିବାକୁ ଡରୁଛନ୍ତି। ଏପରିକି ଭୋଜିଭାତ ନାଁରେ ଏକାଠି ହେଉଥିବା ନେତା ବି ଏବେ ମିଡିଆ ସାମ୍ନାକୁ ଆସିବାକୁ ଡରୁଛନ୍ତି । ବିଶେଷଜ୍ଞଙ୍କ ଆକଳନ ଏହା ରାଜ୍ୟସଭା ନିର୍ବାଚନ ଯାଏଁ ରହିପାରେ । ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପୁଣି ଥରେ ଦଳରେ ପୁଣି ବିବାଦ ମୁଣ୍ଡଟେକିପାରେ ।

ବିରି ମାଡ଼ ଦେଖି କୋଳଥ ଚେପା । ଦୁଇ ବିଧାୟକଙ୍କ ଉପରେ ନିଲମ୍ବନ ଆକ୍ସନ ପରେ ବିଜେଡ଼ି ନେତାଙ୍କ ପାଟିରେ ତୁଣ୍ଡି। କିଛି ଦିନ ପୂର୍ବରୁ ବିଜେଡି ପରିଚାଳନକୁ ନେଇ ପ୍ରଶ୍ନ ଉଠାଉ ଥିବା ନେତାଏ ହଠାତ୍ ଯେମିତି ନିରବ ହୋଇଯାଇଛନ୍ତି । ଦଳ ବିରୋଧି କାମ ଆଳରେ ବିଜେଡିର ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଅଚାନକ ସସପେଣ୍ଡ କରି ବିଜେଡି ସୁପ୍ରିମୋ ଦଳ ବିରୋଧରେ ମେଳିକରୁଥିବା ନେତାଙ୍କୁ ଚେକ୍ ଦେଇଛନ୍ତି । ଯେଉଁ ଆଧାରରେ ଦୁଇ ବିଧାୟକଙ୍କ ଉପରେ ଆକ୍ସନ ହେଲା ତାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଦଳର ଅନେକ ନେତା । କିନ୍ତୁ ମିଡିଆ ଆଗରେ କିଛି କହିବାକୁ ରୋକଠୋକ୍ ମନାକରୁଛନ୍ତି ।

ଭୋଜିଭାତ ନାଁରେ ଗଲା କେଇଦିନ ହେଲା ମେଳି କରି ଦଳକୁ ଅଡୁଆରେ ପକାଉଥିଲେ କିଛି ନେତା । ଏବେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡିଛି । ଯଦି ଦୁଇଜଣ ନିର୍ବାଚିତ ବିଧାୟକଙ୍କ ଉପରେ ଆକ୍ସନ ହୋଇ ପାରୁଛି ତାହାଲେ ଅନ୍ୟ ନେତାଙ୍କ ଉପରେ ବି ଆକ୍ସନ ନେବାକୁ ନବୀନ ପଛାଇବେ ନାହିଁ ବୋଲି ବଡ ବାର୍ତ୍ତା ଯାଇଛି । ଯାହା ଫଳରେ ଏବେ ବରିଷ୍ଠ କି କନିଷ୍ଠ-ଯୁବ ଆଉ ଛାତ୍ର ସବୁରି ମୁହଁରେ ଯେମିତି ତାଲା ପଡିଥିବା ଚର୍ଚ୍ଚା ହେଉଛି। କଟକ ମେୟର ସୁବାଷ ସିଂ କହିଛନ୍ତି,ଦଳରେ ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ। ସମସ୍ତେ ନିଜର ପରିସୀମା ଜାଣିବା ଉଚିତ ।

ବିଶେଷଜ୍ଞଙ୍କ ମତ,ବିଜେଡି ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଚକିତ କରିଛି । ଏପରିକି ଏହା ଦଳୀୟ ନେତାଙ୍କ ଭିତରେ ଭୟ ସୃଷ୍ଟି କରିଛି । ଯାହା ଫଳରେ ପାର୍ଟି ଲାଇନକୁ କ୍ରସ କରିବାକୁ କେହି ସାହାସ ଜୁଟାଇ ପାରିବେ ନାହିଁ । କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ଏ ଭୟ ରାଜ୍ୟସଭା ନିର୍ବାଚନ ଯାଏଁ ରହିପାରେ । ଖାଲି ପ୍ରାର୍ଥୀ ଘୋଷଣା ପରେ ପୁଣି ଥରେ ନେତା ମୁହଁ ଖୋଲିପାରନ୍ତି ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

୨୦୨୪ ନିର୍ବାଚନରେ ବିଜେଡି ହାରିଯିବା ପରେ ଦଳରେ ଗୋଷ୍ଠୀ କନ୍ଦଳ ତିବ୍ର ହେବାରେ ଲାଗିଛି । ଏମିତି କି ଦଳର ସଭାପତିଙ୍କୁ ମଧ୍ୟ ପରୋକ୍ଷରେ ଟାର୍ଗେଟ କରିବାକୁ ପଛାଉନଥିଲେ କିଛି ନେତା । ଏବେ ଦୁଇ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ପ୍ରଭାବ ଏହି ନେତାଙ୍କ ଉପରେ କେତେ ଦିନ ଯାଏଁ ରହୁଛି ତାହା ଦେଖିବାକୁ ପଡିବ ।