ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ! ଏକ୍ସ ପୋଷ୍ଟକୁ ନେଇ ଜୋରଦାର ଟ୍ରୋଲ୍ ହେଲେ ମୋହସିନ୍ ନକଭି

NEWS7
have-a-look-some-interesting-incidents-during-naveens-oath-taking-ceremony

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ପିଛା ଛାଡ଼ୁନି ବିବାଦ । ବିଶ୍ୱକପ୍ ଏବଂ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟ ସମୟରେ ଉତ୍ତେଜନାପୂର୍ଣ୍ଣ ବୟାନଠାରୁ ଆରମ୍ଭ କରି ଧମକ ପର୍ଯ୍ୟନ୍ତ, ସେ ପ୍ରାୟତଃ ଖବରରେ ରହିଆସିଛନ୍ତି । ଏବେ ୨୦୨୬ ଟି 20 ବିଶ୍ୱକପ୍ ପୂର୍ବରୁ, ସେ ପୁଣି ଖବରରେ ରହିଛନ୍ତି । ସେ ଟୁର୍ଣ୍ଣାମେଣ୍ଟ ବୟକଟ କରିବାକୁ ଇସାରା କରୁଛନ୍ତି। ଏପରି ନାଟକ କରୁଥିବା ବେଳେ, ସେ ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ ଲେଖି ଟ୍ରୋଲ୍ ହୋଇଛନ୍ତି ।

PCB ଅଧ୍ୟକ୍ଷ ନକଭି T20 ବିଶ୍ୱକପରେ ପାକିସ୍ତାନୀ ଦଳର ଅଂଶଗ୍ରହଣକୁ ନେଇ ଏକ ନୂତନ ନାଟକ ଆରମ୍ଭ କରିଛନ୍ତି । ଏହାକୁ ନେଇ ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତ ସମୟରେ, ନକଭି ତାଙ୍କୁ ବିଶ୍ୱକପ୍ ସହିତ ଜଡିତ ସମସ୍ୟା ଏବଂ ବିକଳ୍ପଗୁଡ଼ିକ ବିଷୟରେ ଅବଗତ କରାଇଥିଲେ । PCB ଅଧ୍ୟକ୍ଷ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଶରିଫଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ପୋଷ୍ଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ସହ ତାଙ୍କର ସାକ୍ଷାତ ସଂପର୍କରେ ଏକ୍ସରେ ଲେଖିଥିଲେ ନକଭି । ଏହି ସମୟରେ ନକଭି ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ସହ ଆଲୋଚନା କରିଥିବା ନେଇ ଉଲ୍ଲେଖ କରିଥିଲେ । ଶାହବାଜ ଶରିଫଙ୍କ ବଦଳରେ ନକଭି ପ୍ରଧାନମନ୍ତ୍ରୀ ମିଆଁ ମହମ୍ମଦ ନୱାଜ ଶରିଫ ଲେଖିଥିଲେ। ନୱାଜ ଶରିଫ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଶାହବାଜ ରିଫଙ୍କ ବଡ଼ ଭାଇ।

 

ନକଭି ପ୍ରଧାନମନ୍ତ୍ରୀଙ୍କ ନାଁ ଭୁଲ ଲେଖିଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି ପିସିବି ଅଧ୍ୟକ୍ଷ ଏବଂ ଦେଶର ଗୃହମନ୍ତ୍ରୀ ମୋହସିଦ ନକଭି । ଟ୍ରୋଲ୍ ହେବା ପରେ ନକଭି ପୋଷ୍ଟ ଏଡିଟ କରି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ବୋଲି ଲେଖିଛନ୍ତି ।

ପ୍ରଧାନମନ୍ତ୍ରୀ ଶରିଫଙ୍କୁ ସାକ୍ଷାତ କରିବା ପରେ ନକଭି କହିଥିଲେ ଯେ, ବିଶ୍ୱକପ୍ ସମ୍ପର୍କରେ ନିଷ୍ପତ୍ତି ଶୁକ୍ରବାର, ଜାନୁଆରୀ ୩୦ କିମ୍ବା ସୋମବାର, ଫେବୃଆରୀ ୨ ତାରିଖରେ ନିଆଯିବ। ପାକିସ୍ତାନ ସରକାର T20 ବିଶ୍ୱକପରେ ପାକିସ୍ତାନୀ ଦଳର ଅଂଶଗ୍ରହଣ ବିଷୟରେ ନିଷ୍ପତ୍ତି ନେବେ। ସେ ଏହି ପ୍ରସଙ୍ଗରେ ଶରିଫଙ୍କ ସହ ସାକ୍ଷାତ କରିଥିଲେ । କିନ୍ତୁ ପାକିସ୍ତାନ ବର୍ତ୍ତମାନ ଜାଣିଶୁଣି ଏହି ପ୍ରସଙ୍ଗକୁ ଟାଣିବାକୁ ଚେଷ୍ଟା କରୁଛି । ତେଣୁ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।