କତାର, ୟୁଏଇ ନା ସାଉଦୀ ଆରବ କେଉଁଠୁ ଆସୁଛି ଆପଣଙ୍କ ଘରକୁ ଗ୍ୟାସ୍, ଏବେ ଯୋଗାଇବ କିଏ?

NEWS7
hatya-case-in-dhenkanal-3

  • ହରମୁଜ ଷ୍ଟ୍ରେଟ୍ ବନ୍ଦ ହେବା ଯୋଗୁ ଭାରତର ଏଲପିଜି ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି
  • ଦେଶରେ ‘କ୍ଲିନ କୁକିଂ’ ଅଭିଯାନ କାରଣରୁ ଏହି ନିର୍ଭରତା ପାଖାପାଖି ୩ ଗୁଣ ଅଧିକ ବଢି ଯାଇଛି
  • କୌଣସି ଖାସ କ୍ଷେତ୍ର ଉପରେ ଅଧିକ ନିର୍ଭରଶୀଳତା ଭାରତକୁ ସଂକଟରେ ପକାଇ ଦେଇଛି

ନୂଆଦିଲ୍ଲୀ ୧୧।୩: ପଶ୍ଚିମ ଏସିଆରେ ଲାଗିଥିବା ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିଛି। ଏଥି ପାଇଁ ବିଶ୍ୱର ସବୁଠୁ ବ୍ୟସ୍ତତମ ସାମୁଦ୍ରିକ ମାର୍ଗ ହରମୁଜ ଷ୍ଟ୍ରେଟ୍ ମାର୍ଚ୍ଚ ୧ ତାରିଖରୁ ବନ୍ଦ ଥିବା ଯୋଗୁ ଭାରତର ରୋଷେଇ ବଜେଟ୍ ଓ ଇନ୍ଧନ ସୁରକ୍ଷା ଦୋହଲି ଯାଇଛି। ହରମୁଜ ଷ୍ଟ୍ରେଟ୍ ବନ୍ଦ ହେବା ଯୋଗୁ ଭାରତର ତରଳିକୃତ ପେଟ୍ରୋଲିୟମ ଗ୍ୟାସ୍ (ଏଲପିଜି) ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି। ଭାରତ ତାର ଆବଶ୍ୟକତାର ୬୦%ରୁ ଅଧିକ ଆମଦାନୀ କରିଥାଏ ଓ ଏହାର ଏକ ବଡ ଭାଗ ଏହି ଉତ୍ତେଜନାପ୍ରବଣ ମାର୍ଗରୁ ଆସୁଛି।

‘କ୍ଲିନ କୁକିଂ’ ଅଭିଯାନ ଯୋଗୁ ନିର୍ଭରତା ପାଖାପାଖି ୩ ଗୁଣ ଅଧିକ ବଢିଛି
ଉପସାଗରୀୟ ଦେଶରେ ଫଶି ରହିଥିବା ସିପମେଣ୍ଟ ଓ ବଢୁଥିବା ଅନ୍ତର୍ଜାତୀୟ ଦର ମଧ୍ୟରେ ଭାରତ ଏବେ ଆମେରିକା ଭଳି ବିକଳ୍ପ ରାସ୍ତା ଓ ଘରୋଇ ସଂଶାଧନ ଆଡକୁ ମୁହଁ ବୁଲାଇଛି। ଭାରତର ବାର୍ଷିକ ଏଲପିଜି ଖର୍ଚ୍ଚ ୩୧.୩ ମିଲିୟନ ଟନ୍। ଏହାର ୮୭% ଘରୋଇ ରୋଷେଇରେ ଉପଯୋଗ ହୁଏ। ଦେଶ ଆବଶ୍ୟକତାର ପାଖାପାଖି ୬୨% ଆମଦାନୀରୁ ପୂରଣ କରିଥାଏ। ଗତ ଏକ ଦଶନ୍ଧୀ ହେଲା ଦେଶରେ ‘କ୍ଲିନ କୁକିଂ’ ଅଭିଯାନ କାରଣରୁ ଏହି ନିର୍ଭରତା ପାଖାପାଖି ୩ ଗୁଣ ଅଧିକ ବଢି ଯାଇଛି। ଏଣୁ ଅନ୍ତର୍ଜାତୀୟ ସୀମାରେ ସାମାନ୍ୟ ହଲଚଲ ସିଧା ରୋଷେଇ ଘରକୁ ପ୍ରଭାବିତ କରୁଛି।

କୌଣସି ଖାସ କ୍ଷେତ୍ର ଉପରେ ଅଧିକ ନିର୍ଭରଶୀଳତା ଏପରି ସଂକଟରେ ପକାଇଛି
ଭାରତ ମୁଖ୍ୟତଃ ଉପସାଗରୀୟ ଦେଶ କତାର (୩୪%), ୟୁଏଇ (୨୬%) ଓ ସାଉଦୀ ଆରବ (୧୫%)ରୁ ଏଲପିଜି ଆମଦାନୀ କରେ। ଏହି ଦେଶମାନେ ମିଳିତ ବିଶ୍ୱର ୯୦% ଆବଶ୍ୟକତା ପୂରଣ କରିଥାନ୍ତି। ହେଲେ ଏବେ ଏହି ଦେଶମାନେ ଯୁଦ୍ଧର ଭୌଗଳିକ ସୀମାରେ ରହିଛନ୍ତି। ଯୋଗାଣ ଲାଗି କୌଣସି ଖାସ କ୍ଷେତ୍ର ଉପରେ ଅଧିକ ନିର୍ଭରଶୀଳତା ଏହି ସଂକଟ ସମୟରେ ଭାରତକୁ ସମ୍ବେଦନଶୀଳ ପରିସ୍ଥିତିରେ ପକାଇ ଦେଇଛି।

ବର୍ଷରେ କେତୋଟି ଗ୍ୟାସ୍ ବୁକ୍ କରିପାରିବେ ଗ୍ରାହକ ? ଘରେ କେତୋଟି ରଖିବାକୁ ଅନୁମତି ରହିଛି, ଜାଣନ୍ତୁ

ଆମେରିକା ଏବେ ନୂଆ ରଣନୈତିକ ବିକଳ୍ପ
ଗୁରୁତର ସଂକଟକୁ ଦେଖି ଭାରତ ଏବେ ଆମେରିକା ମୁହାଁ ହୋଇଛି। ସରକାରୀ ତୈଳ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ଆମେରିକା ଗଲ୍ଫ କୋଷ୍ଟରୁ ବାର୍ଷିକ ୨.୨ ମିଲିୟନ ଟନ ଗ୍ୟାସ୍ ମଗାଇବାକୁ ବଡ଼ କଣ୍ଟ୍ରାକ୍ଟ କରିଛି। ଏଥି ପାଇଁ ଭାରତୀୟ ଟିମ୍ ଜୁଲାଇ ୨୦୨୫ରେ ଆମେରିକୀୟ ଉତ୍ପାଦକଙ୍କ ସହ ସିଧା ଡିଲ କରିଥିଲେ।

ସବସିଡି ଓ ବଜେଟ ବୋଝ
ବୈଶ୍ୱିକ ବଜାରରେ ଏଲପିଜି ମୂଲ୍ୟରେ ୬୦%ରୁ ଅଧିକ ବୃଦ୍ଧି ହୋଇଛି। ହେଲେ ସରକାର ଜନତାଙ୍କୁ ଆଶ୍ୱସ୍ତ କରିବା ପାଇଁ ଏଥି ନିମନ୍ତେ ମୋଟା ରକମର ସବସିଡି ଦେଉଛନ୍ତି। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୧୧୦୦ ଟଙ୍କାର ସିଲିଣ୍ଡରକୁ ୫୦୦-୫୫୦ଟଙ୍କାରେ ଦେଉଛନ୍ତି। ଏଥି ପାଇଁ ସରକାର ଗତ ଆର୍ଥିକ ବର୍ଷରେ ୪୦,୦୦୦ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ଏଥିରେ ଯୁଦ୍ଧ ଉପସାଗରୀୟ ଦେଶରେ ଯଦି ଦୀର୍ଘ ହୁଏ ତେବେ ଏହି ବିତ୍ତିୟ ବୋଝ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ।

Also Read..
ଇରାନ-ଆମେରିକା ଯୁଦ୍ଧ ବନ୍ଦ ନହେଲେ, କେତେ ବଢ଼ିବ ଗ୍ୟାସ୍ ସିଲିଣ୍ଡର ଦାମ୍ ?