ଓଭରଟେକ୍ ବେଳେ ସ୍କୁଟରକୁ ଧକ୍କା ଦେଲା ହାଇଓ୍ବା, ପଛ ଚକା ଭିତରେ ପଶିଗଲା ସ୍କୁଟର

NEWS7
hand-increasing-abnormally-need-financial-help-for-treatment

ଜଳେଶ୍ବର ୮।୧: ସ୍କୁଟରକୁ ଓଭରଟେକ୍ କରି ଯାଉଥିବା ବେଳେ ଧକ୍କା ଦେଲା ହାଇୱା । ହାଇୱାର ପଛ ଚକା ଭିତରେ ପଶିଗଲା ସ୍କୁଟର । ଅଳ୍ପକେ ରକ୍ଷା ପାଇଲେ ସ୍କୁଟି ଚାଳକ । ବେଆଇନ ବାଲି ପରିବହନ ପାଇଁ ଦୁର୍ଘଟଣା ଘଟିଛି ବୋଲି ଦାବି କରି ଘଟଣାସ୍ଥଳରେ ପରିବାର ଓ ଗ୍ରାମବାସୀ ପକ୍ଷରୁ ରାସ୍ତାରୋକ କରାଯାଇଛି । ପୋଲିସ ଓ ଜଳେଶ୍ୱର ତହସିଲଦାର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ସ୍ଥିତ ବେଲପାଳ ନିକଟରେ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ପାଖାପାଖି ସାଢ଼େ ୯ଟା ସମୟରେ ବଳରାମପୁର ଗ୍ରାମର ଜଣେ ମହିଳା ରାଜଘାଟ ପଟୁ ଏକ ସ୍କୁଟର ଯୋଗେ ଆସୁଥିଲେ । ସେହି ସମୟରେ ପଛପଟୁ ଏକ ହାଇୱା ଦ୍ରୁତ ଗତିରେ ଆସି ସ୍କୁଟରକୁ ଧକ୍କା ଦେଇ ବାମ ପଟକୁ ପଶି ଯାଇଥିଲା । ହାଇୱା ଧକ୍କା ଦେବା ଫଳରେ ସ୍କୁଟରଟି ହାଇୱାର ପଛ ଚକା ଭିତରେ ପଶି ଯାଇଥିଲା । କିନ୍ତୁ ସ୍କୁଟର ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

ତେବେ ବେଆଇନ ବାଲି ପରିବହନ ପାଇଁ ଏଭଳି ଘଟଣା ଘଟିଛି ବୋଲି ଦାବି କରିବା ସହିତ କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ପକ୍ଷରୁ ରାଜଘାଟ ଜଳେଶ୍ୱର ଓଟି ରୋଡ଼ ଉପରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଉଭୟ ପଟେ ଶହ ଶହ ଗାଡି ମଟର ଅଟକି ରହିଥିବା ବେଳେ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ଓ ତହସିଲଦାର ପହଞ୍ଚ ତଦନ୍ତ ଜାରି ରଖିଛନ୍ତି ।