ସୂରଜକୁଣ୍ଡ ମେଳାରେ ବଡ଼ ଦୁର୍ଘଟଣା; ଝୁଲା ଛିଣ୍ଡିବାରୁ ୧୩ ଆହତ, ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ

NEWS7
guru-vakri-from-14th-may-zodiac-prediction

ଫରିଦାବାଦ: ହରିୟାଣାର ଫରିଦାବାଦରେ ଆୟୋଜିତ ସୂରଜକୁଣ୍ଡ ମେଳାରେ ଶନିବାର ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ମେଳାରେ ଝୁଲା ଦୋଳି ଛିଣ୍ଡିଯିବାରୁ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଘଟଣାର ପୂରା ତଦନ୍ତ କରାଯିବ। ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ଦୁର୍ଘଟଣା ଉପରେ ଶୋକ ବ୍ୟକ୍ତ କରି ଆହତଙ୍କ ଚିକିତ୍ସା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସନ୍ଧ୍ୟାରେ ସୂରଜକୁଣ୍ଡ ମେଳାରେ ଲୋକେ ଝୁଲାରେ ଝୁଲୁଥିଲେ। ଏହି ସମୟରେ ଏକ ଝୁଲାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।ଫଳରେ ଝୁଲାରେ ଝଟକା ଲାଗିବା ଆରମ୍ଭ ହୋଇଥିଲା। ତୃତୀୟ ଝଟକା ଲାଗିବା ମାତ୍ରେ ଝୁଲା ଛିଣ୍ଡି ଯାଇଥିଲା। ଆଉ ଝୁଲାରେ ବସିଥିବା ଲୋକେ ତଳେ ଖସି ପଡ଼ିଥିଲେ। ଏହି ଘଟମେଳାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ଫରିଦାବାଦର ଡିସି ଆୟୁଷ ସିହ୍ନା କହିଛନ୍ତି , ଦୁର୍ଘଟଣା ପରେ ପୋଲିସ କର୍ମଚାରୀ ଝୁଲାରେ ବସିଥିବା ଦର୍ଶକଙ୍କୁ ବଞ୍ଚାଇବା ପାଇଁ ଲାଗି ପଡ଼ିଥିଲେ। ଏହି ସମୟରେ ପୋଲିସ ଇନ୍ସପେକ୍ଟର ଜଗଦୀଶ ପ୍ରସାଦ ଗୁରୁତର ଭାବେ ଆହତ ହୋଇଥିଲେ। ଝୁଲାରର ଏକ ଅଂଶ ତାଙ୍କ ମୁହଁ ଓ ମୁଣ୍ଡରେ ମାଡ଼ ହୋଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଇନ୍ସପେକ୍ଟରଙ୍କ ଜୀବନ ବଞ୍ଚାଯାଇ ପାରି ନ ଥିଲା।

ଘଟଣାର ସୂଚନା ମିଳିବା ମାତ୍ରେ ବରିଷ୍ଠ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂରା ଇଲାକାକୁ ବ୍ୟାରିକେଡିଂ କରି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିଲେ। ଆହତଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝୁଲାର ଅପରେଟର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସି ଆୟୁଷ ସିହ୍ନା କହିଛନ୍ତି।