ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ଦେଖୁଛନ୍ତି...ଶାହବାଜ ସରିଫଙ୍କୁ ଛିଡ଼ା ହେବାକୁ କହିଲେ ଟ୍ରମ୍ପ

NEWS7
govt-will-take-help-of-saints-in-mahakumbh-to-aware-people-on-corona-pandemic

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ‘ଛିଡା ହେବାକୁ’ ନିର୍ଦ୍ଦେଶ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଘଟଣାଟି ଫେବୃଆରୀ ୧୯, ୨୦୨୬ ରେ ୱାଶିଂଟନରେ ବୋର୍ଡ ଅଫ୍ ପିସ୍ (BOP) ଶିଖର ସମ୍ମିଳନୀ ସମୟରେ ଘଟିଥିଲା । ଯେଉଁଠାରେ ଟ୍ରମ୍ପ ଦାବି କରିଥିଲେ ଯେ, ସେ ୨୦୦% ଶୁଳ୍କ ଲଗାଇବାର ଧମକ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ ରୋକିଛନ୍ତି।

ଗାଜାରେ ଶାନ୍ତି ଏବଂ ପୁନଃନିର୍ମାଣ ଉପରେ ଶିଖର ସମ୍ମିଳନୀରେ ଆଲୋଚନା ହୋଇଥିଲା । କିନ୍ତୁ ଟ୍ରମ୍ପ ତାଙ୍କ ଭାଷଣରେ ଭାରତ-ପାକିସ୍ତାନ ବିବାଦର ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ଯୁଦ୍ଧରେ ଲିପ୍ତ ଥିଲେ। ମୁଁ ଉଭୟ ଦେଶକୁ କହିଥିଲି ଯେ, ଯଦି ଯୁଦ୍ଧ ଜାରି ରହେ, ତେବେ ଉଭୟ ଦେଶ ଉପରେ ୨୦୦% ଶୁଳ୍କ ଲାଗୁ କରିବି। ଯେତେବେଳେ ଟଙ୍କା କଥା ଆସିଲା, ଉଭୟ ଦେଶ ଲଢ଼େଇ ଛାଡିଦେଇଥିଲେ। ଏପରିକି ଟ୍ରମ୍ପ ଦାବି କରିଥିଲେ ଯେ, ଉଭୟ ଦେଶର ୧୧ଟି ମହଙ୍ଗା ଜେଟ୍ ଧ୍ବଂସ ହୋଇଛି।

ଏହି ସମ୍ମିଳନୀରେ ଟ୍ରମ୍ପ ଶାହବାଜ ସରିଫଙ୍କୁ ‘ସ୍କୁଲ ପିଲା’ ବୋଲି କହିବା ସହ ତାଙ୍କୁ ଛିଡ଼ା ହେବାକୁ କହିଥିଲେ । ସେ କହିଥିଲେ, ‘ମୁଁ ଭାବୁଛି ଆପଣ ଛିଡ଼ା ହେବା ଉଚିତ। ଦୟାକରି ଆସନ୍ତୁ, ଗୋଟିଏ ସେକେଣ୍ଡ ପାଇଁ ଠିଆ ହୁଅନ୍ତୁ।’ ଟ୍ରମ୍ପଙ୍କ କଥା ଶୁଣି ସରିଫ ତୁରନ୍ତ ଛିଡ଼ା ହୋଇଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଟ୍ରମ୍ପ ଆହୁରି ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲି, ସେ ବର୍ତ୍ତମାନ ଆମକୁ ଦେଖୁଛନ୍ତି।’

ଟ୍ରମ୍ପ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ମୁନିର ଆମେରିକାର ଚିଫ୍ ଅଫ ଷ୍ଟାଫ୍ ସୁସି ୱାଇଲ୍ସଙ୍କୁ କହିଥିଲେ ଯେ, ଟ୍ରମ୍ପ ୨୫ ନିୟୁତ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ମୁନିର ତାଙ୍କୁ ‘ଦକ୍ଷିଣ ଏସିଆର ତ୍ରାଣକର୍ତ୍ତା’ ବୋଲି କହିଥିଲେ ଏବଂ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିଶ କରିଥିଲେ । କିନ୍ତୁ ଏହାକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ବୋଲି ଟ୍ରମ୍ପ କହିଥିଲେ ।

ଭିଡିଓକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ କହିଥିଲା ଯେ, କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା ବିନା ଭାରତ ଏବଂ ପାକିସ୍ତାନ ମଧ୍ୟ ଯୁଦ୍ଧ ବିରତି ହୋଇଥିଲା । DGMO ସ୍ତରୀୟ ଆଲୋଚନା ମାଧ୍ୟମରେ ୨୦୨୫ ଯୁଦ୍ଧ ବିରତି ହୋଇଥିଲା। ତେବେ ବିଓପି ସମ୍ମିଳନୀରେ ଭାରତ କେବଳ ଏକ ପର୍ଯ୍ୟବେକ୍ଷକ ଭାବରେ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲା ।