AGR ପ୍ରସଙ୍ଗରେ ଭୋଡାଫୋନ୍ Viକୁ ଆଶ୍ବସ୍ତି, ବକେୟା ପୈଠ କରିବାକୁ ମିଳିଲା ଲମ୍ବା ଅବଧି

NEWS7
govt-failed-to-restore-electricity-and-basic-amenities-even-after-5days-of-fani

ନୂଆଦିଲ୍ଲୀ: ଆଡଜଷ୍ଟେଡ ଗ୍ରସ୍ ରେଭେନ୍ୟୁ ବା AGR ପ୍ରସଙ୍ଗରେ ଭୋଡାଫୋନ୍ ଆଇଡିଆକୁ (Vi) ଆଶ୍ବସ୍ତି। ଶୁକ୍ରବାର କମ୍ପାନି ଏକ ଫାଇଲିଂରେ ଏନେଇ ସୂଚନା ଦେଇଛି। କମ୍ପାନି କହିଛି, ୨୦୦୭ରୁ ୨୦୧୯ ଆର୍ଥିକ ବର୍ଷ ପାଇଁ ଦେବାକୁ ଥିବା ଏଜିଆର ଦେୟକୁ ଫ୍ରିଜ୍ କରାଯାଇଛି। ଏହାର ଅର୍ଥ ଏହି ରାଶି ପୈଠ କରିବାକୁ କମ୍ପାନି ଉପରେ କୌଣସି ଚାପ ରହିବ ନାହିଁ ଏବଂ ପରେ ଦେୟ କରାଯାଇପାରିବ।

ତେବେ ରିପୋର୍ଟ ଅନୁସାରେ, କମ୍ପାନି ଏହି ବକେୟା ରାଶିକୁ ୨୦୨୬ ମାର୍ଚ୍ଚ ଠାରୁ ପୈଠ କରିବା ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ, ୨୦୨୬ ମାର୍ଚ୍ଚ ଠାରୁ ୨୦୩୧ ମାର୍ଚ୍ଚ ପର୍ଯ୍ୟନ୍ତ କମ୍ପାନି ଏହି ରାଶି ପୈଠ କରିବ। ଏହି ସମୟ ଅବଧିରେ କମ୍ପାନି ବାର୍ଷିକ ସର୍ବାଧିକ ୧୨୪ କୋଟି ଟଙ୍କା ପ୍ରଦାନ କରିବ। ସେହିଭଳି ପରବର୍ତ୍ତୀ ସମୟରେ ୨୦୩୨ ମାର୍ଚ୍ଚରୁ ୨୦୩୫ ମାର୍ଚ୍ଚ ପର୍ଯ୍ୟନ୍ତ ବାର୍ଷିକ ୧୦୦ କୋଟି ଟଙ୍କା ପୈଠ କରିବ।

DoTର କମିଟି ପୁନଃ ନିର୍ଦ୍ଧାରଣ କରିବ ବକେୟା

କମ୍ପାନି ପକ୍ଷରୁ ଆହୁରି କୁହାଯାଇଛି ଯେ, AGR ଦେୟର ପୁନଃଗଣନା ପାଇଁ ଦୂରସଂଚାର ବିଭାଗ ଏକ କମିଟି ଗଠନ କରିବ। କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଆଉ ଏହା ପରେ ନୂତନ ରାଶି ମାର୍ଚ୍ଚ ୨୦୩୫ରୁ ମାର୍ଚ୍ଚ ୨୦୪୧ ମଧ୍ୟରେ ସମାନ ବାର୍ଷିକ କିସ୍ତିରେ ପ୍ରଦାନ କରାଯିବ।

ସୂଚନାଥାଉକି, ୨୦୨୫ ଡିସେମ୍ବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଭୋଡାଫୋନ୍ ଆଇଡିଆକୁ ଏହି ଆଶ୍ବସ୍ତି ମିଳିଥିଲା। ସରକାର କମ୍ପାନିର ପୁରୁଣା ଦେୟ ତୁରନ୍ତ ପୈଠ କରିବା ନିଷ୍ପତ୍ତିକୁ ରୋକ୍ ଲଗାଇବା ସହ ଏହି ବକେୟା ରାଶିକୁ ଫ୍ରିଜ କରିଥିଲେ।ଏହା ଯୋଗୁ ଅତ୍ୟଧିକ ଋଣଗ୍ରସ୍ତ ଭୋଡାଫୋନ୍ ଆଇଡିଆକୁ ବଡ଼ ଆଶ୍ୱସ୍ତି ମିଳିଥିଲା।

AGR ବିବାଦ କ’ଣ ?

AGR ବା ଆଡଜଷ୍ଟେଡ୍ ଗ୍ରସ ରେଭେନ୍ୟୁ, ହେଉଛି ସେହି ଆୟ ଯାହା ଉପରେ ଟେଲିକମ୍ କମ୍ପାନିଗୁଡ଼ିକ ସରକାରଙ୍କୁ ଲାଇସେନ୍ସ ଫି ଏବଂ ସ୍ପେକ୍ଟ୍ରମ୍ ଚାର୍ଜ ଦେବାକୁ ବାଧ୍ୟ ହୋଇଥାନ୍ତି। ଏଥିରେ କେବଳ ମୋବାଇଲ୍ ସେବାରୁ ରାଜସ୍ୱ ନୁହେଁ ବରଂ ସୁଧ, ଭଡ଼ା, ଜମି ଏବଂ ସମ୍ପତ୍ତି ବିକ୍ରିରୁ ଆୟ ଭଳି ଅନ୍ୟାନ୍ୟ ଆୟ ମଧ୍ୟ ଅନ୍ତର୍ଭୁକ୍ତ।

ଭୋଡାଫୋନ୍ ଆଇଡିଆର ଆର୍ଥିକ ସ୍ଥିତିରେ ଉନ୍ନତି

ଉଲ୍ଲେଖଯୋଗ୍ୟ, ଭୋଡାଫୋନ୍ ଆଇଡିଆ ଦୀର୍ଘ ଦିନରୁ କ୍ଷତି ସହି ଆସୁଛି। କିନ୍ତୁ ଏବେ ଏହାର ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଛି। ଆର୍ଥିକ ବର୍ଷ ୨୦୨୬ର ଦ୍ବିତୀୟ ତ୍ରୈମାସିକରେ, କମ୍ପାନିର କ୍ଷତି ୫,୫୨୪ କୋଟି ଟଙ୍କାକୁ ହ୍ରାସ ପାଇଛି। ଯାହା ଗତ ବର୍ଷର ସମାନ ତ୍ରୈମାସିକରେ ୭,୧୭୬ କୋଟି ଟଙ୍କା ଥିଲା।

କମ୍ପାନିର ପ୍ରତି ଉପଭୋକ୍ତାଙ୍କ ଠାରୁ ହାରାହାରି ରାଜସ୍ୱ ବା ARPU ମଧ୍ୟ ବଢ଼ିଛି। ଗତ ବର୍ଷ ସେପ୍ଟେମ୍ବର  ତ୍ରୈମାସିକରେ କମ୍ପାନିର ARPU ୧୮୦ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ବର୍ଷେ ତଳେ ୧୬୬ ଟଙ୍କା ଥିଲା। ଗ୍ରାହକମାନେ ଭଲ ପ୍ଲାନ ନେବା ସହ ଟାରିଫ୍ ବୃଦ୍ଧି ଯୋଗୁ ଏହି ବୃଦ୍ଧି ଘଟିଛି। ବର୍ତ୍ତମାନ ଭୋଡାଫୋନ୍ ଆଇଡିଆରେ ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ଅଛି। ଏଥିରୁ ସ୍ପଷ୍ଟ ହେଉଛି ସରକାର କମ୍ପାନିକୁ କ୍ଷତିରୁ ମୁକୁଳିବାରେ ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି।