ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଇମ୍ରାନ ଖାନଙ୍କ ନିବେଦନ ପାକିସ୍ତାନ କୋର୍ଟରେ ଖାରଜ

NEWS7
governor-invite-sibsena-to-form-govt-in-state

  • ଜେଲରେ ବନ୍ଦୀ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ଲାମାବାଦ ହାଇକୋର୍ଟଙ୍କ ଝଟକା
  • ନିଜ ଖର୍ଚ୍ଚରେ ବି ହୋଇ ପାରିବେନି ଚିକିତ୍ସା
  • ଚିକିତ୍ସକୀୟ ଟିମ୍ ଗଠନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ 

ଇସ୍ଲାମାବାଦ ୧୨।୩: ପାକିସ୍ତାନ କୋର୍ଟ ଗୁରୁବାର ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘରୋଇ ହସ୍ପିଟାଲ ସ୍ଥାନାନ୍ତର ନିମନ୍ତେ ନିବେଦନକୁ ଖାରଜ କରିଦେଇଛନ୍ତି ଓ ତାଙ୍କ ଚିକିତ୍ସକୀୟ ଯାଞ୍ଚ ନିମନ୍ତେ ଡାକ୍ତରଙ୍କ ଏକ ଟିମ୍ ଗଠନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ତେହେରିକ-ଏ-ଇନସାଫ ପାର୍ଟି ମାର୍ଚ୍ଚ ୨ ତାରିଖ ଦିନ ଆଡଭୋକେଟ ଲତିଫ ଖୋସାଙ୍କ ମାଧ୍ୟମରେ ଇସ୍ଲାମାବାଦ ଉଚ୍ଚନ୍ୟାୟାଳୟ (ଆଇଏଚସି)ରେ ପିଟିସନ ରୁଜୁ କରି ଖାନଙ୍କୁ ସିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ଚକ୍ଷୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିବାକୁ ନିବେଦନ କରିଥିଲା।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅରବାବ ମହମଦ ତାହିର ଓ ଜଷ୍ଟିସ୍ ଖାଦିମ ହୁସେନ ସୁମରୋ ଏହି ପିଟିସନର ଶୁଣାଣି କରିଛନ୍ତି। ଏଥିରେ ଇମ୍ରାନଙ୍କ ପକ୍ଷରୁ ଆଡଭୋକେଟ ଖୋସା ତାଙ୍କ ତର୍କ ଉପସ୍ଥାପନ କରିଥିଲେ। ଅପରପଟେ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଅୟାଜ ସୌକତ ଓ ଅତିରିକ୍ତ ଆଟର୍ଣ୍ଣି ଜେନେରାଲ ରାସିଦ ହାଫିଜ କୋର୍ଟରେ ହାଜର ହୋଇଥିଲେ। ଖୋସା କୋର୍ଟଙ୍କୁ ଇମ୍ରାନ ତାଙ୍କ ଡାହାଣ ଆଖିରେ କମ ଦେଖି ପାରୁଥିବା ଅଭିଯୋଗ କରିଥିବା କହିଛନ୍ତି। ତେବେ ତାଙ୍କର ଚିକିତ୍ସା ପାକିସ୍ତାନ ଆର୍ୟୁବିଜ୍ଞାନ ସଂସ୍ଥା (ପିଆଇଏମଏସ)ରେ କରାଯାଉଥିବା ଓ ଏ ବାବଦେ ତାଙ୍କ ଆଇନଗତ ଟିମ୍ ଅଥବା ପରିବାରକୁ ସୂଚିତ କରାଯାଇ ନଥିବା ଅଭିଯୋଗ କରିଛନ୍ତି।

ତେବେ ତର୍କ ଶୁଣିବା ପରେ ପୀଠ ଖାନଙ୍କୁ ଘରୋଇ ହସ୍ପିଟାଲ ସ୍ଥାନାନ୍ତର ନିବେଦନକୁ ଖାରଜ କରିଦେଇଛନ୍ତି। ହେଲେ ପୀଠ ଇସ୍ଲାମାବାଦ ମୁଖ୍ୟ କମିଶନ ମହମ୍ମଦ ଅଲୀ ରନ୍ଧାୱାଙ୍କୁ ଖାନଙ୍କ ଯାଞ୍ଚ ନିମନ୍ତେ ଏକ ଚିକିତ୍ସା ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ଟିମ୍ ରେ ପିଆଇଏମଏସ୍ ର ନେତ୍ର ରୋଗ ବିଭାଗର ମୁଖ୍ୟ ଡା. ମହମଦ ଆରିଫ ଓ ରାୱଲ ପିଣ୍ଡି ଅଲସିଫା ଆଇ ହସ୍ପିଟାଲର ରେଟିନା ବିଶେଷଜ୍ଞ ଡା.ନଦୀମ କ୍ୟୁରେସୀଙ୍କୁ ସାମିଲ କରାଯାଉ।

କୁହାଯାଉଛି ଇମ୍ରାନ ଖାନ ଗତବର୍ଷ ଅକ୍ଟୋବର ମାସରୁ ନେତ୍ରରୋଗରେ ପୀଡ଼ିତ ହୋଇଛନ୍ତି ଓ ତାଙ୍କର ଚିକିତ୍ସା କରାଯାଉଛି। ସରକାରଙ୍କ ଅନୁସାରେ ଚିକିତ୍ସା ପରେ ତାଙ୍କ ଆଖି ଓ ଦୃଷ୍ଟି ଉଭୟରେ ସୁଧାର ହୋଇଛି। ୭୨ ବର୍ଷ ବୟଷ୍କ ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ଅଛନ୍ତି ଓ ଅଲକାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଆଦିଆଲା ଜେଲରେ ଦଣ୍ଡ ଭୋଗୁଛନ୍ତି।