Flipkart to enter food delivery market, ଫୁଡ୍ ଡେଲିଭରି ମାର୍କେଟ୍‌ରେ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, ବଢ଼ିଲା ସ୍ୱିଗି-ଜମାଟୋର ଚିନ୍ତା

NEWS7
government-will-give-10000-crore-help-for-affordable-housing-says-nirmala-sitharaman

ନୂଆଦିଲ୍ଲୀ: ଇ-କମର୍ସ ଦୁନିଆରେ ପ୍ରତିଷ୍ଠିତ ହେବା ପରେ ଫ୍ଲିପକାର୍ଟ ଏବେ ଫୁଡ ଡେଲିଭରିରେ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଆମେରିକୀୟ କମ୍ପାନୀ ୱାଲମାର୍ଟର ମାଲିକାନାରେ ଥିବା ଫ୍ଲିପକାର୍ଟ ଫୁଡ୍ ଡେଲିଭରିରେ ଦ୍ୱିତୀୟ ଥର ପାଇଁ ଏଣ୍ଟ୍ରି କରିବାକୁ ପ୍ରୟାସ କରିବ। ମେ-ଜୁନ ମଧ୍ୟରେ ବେଙ୍ଗାଲୁରୁ ଏହାର ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ସଫଳ ହେଲେ ୨୦୨୬ ଶେଷ କିମ୍ବା ୨୦୨୭ ଆରମ୍ଭରେ ସାରା ଦେଶରେ ଏହାକୁ ଲାଗୁ କରିବାକୁ ଫ୍ଲିପ୍‌କାର୍ଟ ଯୋଜନା ରଖିଛି। ଏନେଇ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ଏନେଇ ଫ୍ଲିପକାର୍ଟ ପକ୍ଷରୁ ଯଦିଓ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ, ତେବେ ମିଡିଆ ରିପୋର୍ଟ ଅନୁସାରେ, କମ୍ପାନୀ ଏନେଇ ନିଜ ଭିତରେ ମାନସମନ୍ଥନ ଜାରି ରଖିଛି। ଭାରତ ଭଳି ଏକ ବଡ଼ ବଜାରରେ କମ୍ପାନୀ କେବଳ ଏକ ଆପ୍ ହୋଇ ରହିବାକୁ ଚାହଁନି, ନିଜର ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିବାକୁ ଚାହୁଁଛି।

କେମିତି ଖାଦ୍ୟ ପହଞ୍ଚାଇବ ଫ୍ଲିପକାର୍ଟ?

କେଉଁ ଉପାୟ ଆପଣାଇ କମ୍ପାନୀ ଗ୍ରାହକଙ୍କ ପାଖରେ ଫୁଡ୍ ଡେଲିଭରି କରିପାରିବ ସେ ନେଇ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଛି। କମ୍ପାନୀର ରଣନୀତିକାରମାନେ ବର୍ତ୍ତମାନ ଦୁଇଟି ବିକଳ୍ପ ଉପରେ ଚିନ୍ତା କରୁଛନ୍ତି। ପ୍ରଥମ ବିକଳ୍ପ ହେଲା ସରକାରୀ ସମର୍ଥିତ ‘ଓପନ ନେଟୱର୍କ ଫର ଡିଜିଟାଲ କମର୍ସ(ONDC)’ ସହ ମିଶି କାମ କରିବା, ଅନ୍ୟ ଏକ ବିକଳ୍ପ ହେଲା ନିଜସ୍ୱ ଏକ ପ୍ଲାଟଫର୍ମ ସୃଷ୍ଟି କରିବା। ଯାହା ଫ୍ଲିପକାର୍ଟ ପୂର୍ବରୁ ଚେଷ୍ଟା କରି ସାରିଛି।

ମଜା କଥା ହେଲା ଫ୍ଲିପକାର୍ଟ ପୂର୍ବରୁ ONDC ମାଧ୍ୟମରେ ଫୁଡ ଡେଲିଭରି କ୍ଷେତ୍ରରେ ପ୍ରବେଶ କରିବାକୁ ଚିନ୍ତା କରିଥିଲା, କିନ୍ତୁ ସେ ସଫଳ ହୋଇନଥିଲା। ଏବେ କିନ୍ତୁ କମ୍ପାନୀ ଏନେଇ ଜୋର୍ସୋରରେ ଉଦ୍ୟମ କରୁଛି। ରିପୋର୍ଟ ଅନୁସାରେ ଏହି ନୂଆ କ୍ଷେତ୍ର ପାଇଁ ଫ୍ଲିପକାର୍ଟ ଏକ ନୂଆ ଟିମ୍ ମଧ୍ୟ ଗଠନ କରୁଛି।

ଫୁଡ୍ ଡେଲିଭରି କ୍ଷେତ୍ରରେ କାହିଁକି ଏଣ୍ଟ୍ରି କରିବାକୁ ଚାହୁଁଛି ଇ-କମର୍ଶ କିଂ?

ଭାରତର ଫୁ଼ ଡେଲିଭରି ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୫ ଆର୍ଥିକ ବର୍ଷରେ ଏହାର ମୂଲ୍ୟ ପ୍ରାୟ ୯ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ବ୍ରୋକରେଜ୍ ଫାର୍ମ ଜେଫେରିଜର ଏକ ରିପୋର୍ଟ ଅନୁଯାୟୀ ୨୦୩୦ ସୁଦ୍ଧା ଏହି ବଜାର ୨୫ ବିଲିୟନ ଡଲାରକୁ ବୃଦ୍ଧି ପାଇପାରେ। ବର୍ତ୍ତମାନ ଭାରତରେ ଏହି ବଜାରରେ ଜୋମାଟୋ ଓ ସ୍ୱିଗିର ପ୍ରାଧାନ୍ୟ ରହିଛି । କାରଣ ଏ ଦିଗରେ ରାପିଡୋ ଏବଂ ONDC ର ଭାଗ ଏବେ ବି ଏକ ଖୁବ କମ୍ ରହିଛି। ଏ କ୍ଷେତ୍ରରେ ମଜଭୁତ ଖେଳାଳି ହେବାକୁ ଏବେ ବି ସମୟ ରହିଛି ବୋଲି ଫ୍ଲିପକାର୍ଟ ବିଶ୍ୱାସ କରୁଛି। ଏହା ବ୍ୟତୀତ, ୧୦-ମିନିଟ୍ ଡେଲିଭରି ପାଇଁ ବଢ଼ୁଥିବା ଚାହିଦା ଏହି କ୍ଷେତ୍ରକୁ ଆହୁରି ଆକର୍ଷଣୀୟ କରିଛି।