ଖେଳପ୍ରେମୀଙ୍କୁ ନିରାଶ କରିପାରେ ବିସିସିଆଇର ନିଷ୍ପତ୍ତି, କାହିଁକି ଘୁଞ୍ଚିଲା ଆଇପିଏଲ୍‌-୨୦୨୬ ?

NEWS7
government-is-considering-merging-at-least-four-state-run-banks

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ଶେଷ ହେବା ପାଇଁ ଆଉ କିଛି ମ୍ୟାଚ୍ ବାକି ଅଛି । ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୮ରେ ଖେଳାଯିବ । କିନ୍ତୁ ଟି-୨୦ କ୍ରିକେଟର ଆକ୍ସନ୍ ଏବଂ ଉତ୍ସାହ ବିଶ୍ୱକପ୍ ପରେ ମଧ୍ୟ ଜାରି ରହିବ । IPLର ୧୯ତମ ସିଜିନ୍ ମାର୍ଚ୍ଚ ଶେଷରେ ଆରମ୍ଭ ହେଉଛି । ଏଥିପାଇଁ BCCI ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏହାରି ମଧ୍ୟରେ ଟୁର୍ଣ୍ଣାମେଣ୍ଟର ତାରିଖ ବଦଳାଇଛି ବିସିସିଆଇ ।

ହଠାତ୍ ଟୁର୍ଣ୍ଣାମେଣ୍ଟକୁ ଦୁଇ ଦିନ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଆଇପିଏଲ ୨୦୨୬ ଏବେ ମାର୍ଚ୍ଚ ୨୬ ପରିବର୍ତ୍ତେ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ଡିସେମ୍ବର ୨୦୨୫ରେ ଆବୁଧାବିରେ ଅନୁଷ୍ଠିତ ନିଲାମ ସମୟରେ ବିସିସିଆଇ ଘୋଷଣା କରିଥିଲା ଯେ, IPL 2026 ସିଜିନ୍ ମାର୍ଚ୍ଚ ୨୬ରେ ଆରମ୍ଭ ହେବ । କିନ୍ତୁ ଏହାର ମାତ୍ର ୩୦ ଦିନ ପୂର୍ବରୁ ବୋର୍ଡ ଏବେ ଟୁର୍ଣ୍ଣାମେଣ୍ଟକୁ ଆଉ ୨ ଦିନ ଘୁଞ୍ଚାଇ ଦେଇଛି । ଏବେ ଆଇପିଏଲ ୨୦୨୬ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ।

ସେପଟେ ଫାଇନାଲ୍ ମ୍ୟାଚ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ମେ ୩୧ରେ ଖେଳାଯିବ । ESPN-Cricinfo ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତି ଏବଂ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିବା ପାଇଁ IPL ଗଭର୍ଣ୍ଣିଂ କାଉନସିଲ୍ ଆସନ୍ତା ସପ୍ତାହରେ ବୈଠକ କରିବ। ବିସିସିଆଇ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିନାହିଁ । ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯୋଗୁଁ, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିପାରି ନାହିଁ ।

ଆଗାମୀ କିଛି ମାସ ମଧ୍ୟରେ ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ ଏବଂ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏଥିମଧ୍ୟରୁ ତାମିଲନାଡୁ (ଚେନ୍ନାଇ), ପଶ୍ଚିମବଙ୍ଗ (କୋଲକାତା) ଏବଂ ଆସାମ (ଗୌହାଟି)ରେ IPL ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟରୁ ଜଣାପଡିଛି ଯେ, ଭାରତୀୟ କ୍ରିକେଟ ବୋର୍ଡ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା କରିଛି । ସେପଟେ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଫ୍ରାଞ୍ଚାଇଜ୍ ବୋର୍ଡ ଉପରେ ଚାପ ପକାଉଛନ୍ତି । ସମ୍ଭବତଃ ବିସିସିଆଇ ଆସନ୍ତା ସପ୍ତାହ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ପ୍ରଥମ କିଛି ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ବାକି କାର୍ଯ୍ୟସୂଚୀ ଘୋଷଣା କରିବ ବସିସିଆଇ ।