ପାର୍ବଣ ପୂର୍ବରୁ ପୋଲିସର ପ୍ରସ୍ତୁତି ବୈଠକ, ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ

NEWS7
government-has-decided-to-close-the-below-10-students-attendance-schools

ଭୁବନେଶ୍ବର: ଆଗକୁ ଆସୁଛି ଦୋଳ ପୂର୍ଣ୍ଣିମା, ହୋଲି, ରାମ ନବମୀ, ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି ଏବଂ ଇଦ୍ ଭଳି ପର୍ବପର୍ବାଣୀ। ଏହି ପର୍ବପର୍ବାଣୀ ସମୟରେ ଯେଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ, ତା’କୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସମସ୍ତ ପର୍ବପର୍ବାଣୀ ଗୁଡ଼ିକୁ ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ପରିବେଶରେ ପାଳନ କରାଯିବା ନିମନ୍ତେ ଡିଜିପି ଖୁରାନିଆ, ବରିଷ୍ଠ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଉକ୍ତ ପର୍ବପର୍ବାଣୀ ଅବସରରେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ଉପରେ ଡିଜିପି ବୈଠକରେ ଗୁରୁତ୍ଵାରୋପ କରିଥିଲେ। ବିଶେଷକରି ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବା ପାଇଁ ତଥ୍ୟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଗୁରୁତ୍ଵ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।

ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ପାଟ୍ରୋଲିଂ, କଡାକଡ଼ି ଚେକିଂ, ଶୋଭାଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନିଶାସକ୍ତ ଗାଡିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଡି.ଜେ. ଶବ୍ଦ ପ୍ରଦୁଷଣ ଉପରେ କଟକଣା, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ ରାଲି ସମୟରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜିପି (ପର୍ସୋନେଲ) ଏସ. ପ୍ରବୀଣ କୁମାର, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜିପି (ପର୍ସୋନେଲ) । ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜି/ ଡିଆଇଜି ଏବଂ ଜିଲ୍ଲାର ସମସ୍ତ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।