ଅନ୍ଧବିଶ୍ୱାସ-କୁସଂସ୍କାର କବଳରେ ମଣିଷ, ୮୨ ମାସରେ ଗଡ଼ିଲାଣି ୬୯ ମୁଣ୍ଡ

NEWS7
government-constitutes-committee-to-fix-minimum-wages

ଭୁବନେଶ୍ୱର ୦୬।୧୨ : ଅନେକ ଆଇନ, ଅନେକ ସଚେତନତା । ତଥାପି ଥମୁନି ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା । ଏବେବି ଓଡ଼ିଶାରେ ଘଟୁଛି ଗୁଣିଗାରେଡି ସନ୍ଦେହରୁ ହତ୍ୟା। ଗତ ୬ ବର୍ଷ ୧୦ ମାସରେ ଗୁଣି ଗାରେଡ଼ି ସନ୍ଦେହରେ ଓଡ଼ିଶାରେ ୬୯ ଜଣଙ୍କୁ ହତ୍ୟା କରାଯାଇଛି । ଏହି ସମୟରେ ୫୩୫ଟି ମାମଲା ରୁଜୁ କରାଯାଇଛି । ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ସୁଦ୍ଧା ମୋଟ୍ ୬ ଜଣଙ୍କୁ ହତ୍ୟା କରାଯାଇଥିବା ଓଡ଼ିଶା ପୋଲିସର ରିପୋର୍ଟ କହୁଛି ।

ଏକ ଆକଳନ ଅନୁସାରେ ବର୍ଷକୁ ହାରାହାରି ୭୬ଟି ଗୁଣି ଗାରେଡ଼ି ସନ୍ଦେହରେ ମାମଲା ରୁଜୁ ହେଉଛି । ଯେଉଁଥିରୁ ୧୦ଟି ହତ୍ୟା ମାମଲା । ଏହାକୁ ରୋକିବା ପାଇଁ ସରକାର ଗୁଣି ଗାରେଡ଼ି ବିଲ୍ ଆଣିଥିଲେ । ହେଲେ ଏପର୍ଯ୍ୟନ୍ତ ଏହି ନିୟମ ନେଇ ଅନେକ ସଚେତନ ନୁହଁନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ ଜନିତ ହତ୍ୟାକାଣ୍ଡ ଅଧିକ ହେଉଥିବା ଏସ୍ସିଆର୍ବି ରିପୋର୍ଟରୁ ଜଣାପଡ଼ିଛି । ରାଜ୍ୟରେ ପ୍ରତିବର୍ଷ ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାର ପାଇଁ ହତ୍ୟାକାଣ୍ଡ ଘଟି ଚାଲିଛି । ଯାହାକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର ୨୦୧୩ରେ ଗୁଣି ଗାରେଡ଼ି ନିରୋଧ ବିଲ୍ ଆଣିଥିଲେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ପ୍ରଥମେ ସଚେତନ କରାଯିବା ଲାଗି ପଦକ୍ଷେପ ନିଆଯାଇଥିଲା । ୨୦୧୯ ଫେବୃଆରୀ ୨୮ରେ କେନ୍ଦୁଝର ଜିଲ୍ଲାରେ ଏକ ଗୁଣିଗାରେଡ଼ି ପ୍ରତିମୂର୍ତ୍ତି(ମହିଳା) ସ୍ଥାପନ କରାଯାଇଥିଲା । ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉନ୍ମୋଚନ କରିଥିଲେ । ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଏ । ଏହି ଅବସରରେ ଏକ ସଚେତନତା ରଥ ଶୁଭାରମ୍ଭ ହୋଇଥିଲା । ୨୦୧୮ରେ ସାରା ଦେଶରେ ୧୩୪ ଜଣଙ୍କୁ ହତ୍ୟା କରାଯାଇଥିଲା । ତନ୍ମଧ୍ୟରେ ଅଧିକାଂଶ ମହିଳା ଥିଲେ । କେନ୍ଦୁଝର ଜିଲ୍ଲାରେ କେବଳ ସେହିବର୍ଷ ୧୮ ଜଣଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିଲା । କିନ୍ତୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ଏ ଦିଗରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଥା ଛାଡ଼ ରାଜଧାନୀରେ ବି ଗୁଣି ଗାରେଡ଼ି ପାଇଁ ବି ଜୀବନ ଗଲାଣି । କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, ମୟୂରଭଙ୍ଗ, କେନ୍ଦୁଝର, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ଗଞ୍ଜାମ, କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ଘଟଣା ଅଧିକ ମାତ୍ରାରେ ଘଟୁଛି । କୋରାପୁଟ, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ହେଉଥିବା ମାମଲା ମଧ୍ୟରୁ ୨୫% ଗୁଣି ଗାରେଡ଼ି ଜନିତ ।

ଏସ୍ସିଆର୍ବି ରିପୋର୍ଟ ମୁତାବକ, ୨୦୧୯ରେ ଗୁଣି ଗାରେଡ଼ି ସନ୍ଦେହରେ ୮୨ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ୧୩ଟି ହତ୍ୟାକାଣ୍ଡ । ୨୦୨୦ରେ ୯୪ଟି ମାମଲା ରୁଜୁ ହୋଇଥିଲା । ଏଥିରେ ୧୪ଟି ହତ୍ୟା ମାମଲା ଥିଲା । ୨୦୨୧ରେ ଗୁଣି ଗାରେଡ଼ି ସନ୍ଦେହରେ ୭୯ଟି ମାମଲା ରୁଜୁ ହୋଇଥିଲା । ସେଥିରେ ୧୨ଟି ହତ୍ୟାକାଣ୍ଡ ଥିଲା । ୨୦୨୨ରେ ୧୦୩ଟି ମାମଲା ମଧ୍ୟରୁ ୮ଟି ହତ୍ୟାକାଣ୍ଡ ଥିଲା । ଏଥିରେ ୧୩ ମହିଳାଙ୍କୁ ମିଶାଇ ୮୯ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୨୩ରେ ୭୦ଟି ମାମଲା ରୁଜୁ ହୋଇଥିଲା । ସେଥିରେ ୯ଟି ହତ୍ୟାକାଣ୍ଡ ଘଟିଥିଲା । ୭୦ ମାମଲାରେ ୨ ମହିଳାଙ୍କୁ ମିଶାଇ ୫୨ଜଣଙ୍କୁ ଗିରଫ କରାଯାଇଛି । ମୟୁରଭଞ୍ଜରେ ସର୍ବାଧିକ ୨୬ଟି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୨୪ରେ ରାଜ୍ୟରେ ୬୨ଟି ମାମଲା ରୁଜୁ ହୋଇଥିଲା । ୭ଟି ହତ୍ୟାକାଣ୍ଡ ଥିଲା । ଗୁଣି ଗାରେଡ଼ି ମାମଲାରେ ୪୮ଜଣଙ୍କୁ ଗିରଫ କରାଯାଇଥିଲା । ମୟୁରଭଞ୍ଜରେ ସର୍ବାଧିକ ୧୬ଟି ମାମଲା ରୁଜୁ କରାଯାଇ ୭ଜଣ ଗିରଫ କରାଯାଇଥିଲା । ସୁନ୍ଦରଗଡ଼ରେ ୮ ମାମଲା ଓ ନବରଙ୍ଗପୁରରେ ୭ ମାମଲାରେ ୪ଜଣ ଲେଖାଏଁଙ୍କୁ ଗିରଫ କରାଯାଇଥିଲା ।

୨୦୨୫ ଜାନୁଆରୀରୁ ଅକ୍ଟୋବର(୧୦ମାସ) ଭିତରେ ଗୁଣି ଗାରେଡ଼ି ନେଇ ୪୩ଟି ମାମଲା ରୁଜୁ ହୋଇଛି । ସେଥିରୁ ୬ଟି ହତ୍ୟା ମାମଲା ରହିଛି । ସବୁଠାରୁ ବଡ଼ କଥା ହେଉଛି ଭୁବନେଶ୍ୱର ଉପକଣ୍ଠରେ ଗୁଣି ଗାରେଡ଼ି ପାଇଁ ଏକ ମୁଣ୍ଡ ଗଡ଼ିଛି । ଏଭଳି ଆଇନକାନୁନ୍ ଥାଇବି ଅନ୍ଦବିଶ୍ୱାସକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଅବସରପ୍ରାପ୍ତ ଏସ୍ପି ଶଶୀଭୂଷଣ ଶତପଥୀ କହିଛନ୍ତି, ଏନେଇ ଆଇନ୍ ରହିଛି । ପୋଲିସ୍ କାର୍ଯ୍ୟକାରୀ କରୁଛି । ହେଲେ ପୁରୁଣା ଚିନ୍ତାଧାରର ଲୋକଙ୍କ ପାଇଁ ଗୁଣିଗାରେଡ଼ି ସନ୍ଦେହ କମୁନାହିଁ । ଏହି ଅନ୍ଧବିଶ୍ୱାସ ପାଇଁ ଆନେକ ପରିବାର ବରବାଦ ହେଉଛି । ଏହାକୁ ରୋକିବାର ସବୁଠାରୁ ବଡ଼ ଅସ୍ତ୍ର ହେଉଛନ୍ତି ଯୁବପିଢ଼ି । ସେମାନେ ନିଜ ଅଞ୍ଚଳରେ ସଚେତନା କରିବା ଦରକାର । ତା’ଛଡା ଏବେ ଯୁବପିଢ଼ି ସଚେତନତା ପାଇଁ ବାହାରିଲେ ତାଙ୍କୁ ବିଭିନ୍ନ ମାଧ୍ୟମରେ ଚାପି ଦିଆଯାଉଛି ।

ସେହିପରି ବରିଷ୍ଠ ଅଇନ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, ଏବେବି ଅବୈଜ୍ଞାନିକ ଚେତନା ରହିଛି । ସହର ହେଉ ବା ଗାଁ । ସବୁଠି ଏବେ ଝଡ଼ା ଫୁଙ୍କା ଚାଲିଛି । ସରକାର ଖାଲି ଆଇନ୍ କରି ଦେଲେ ହେବନାହିଁ । ଏହାର କାର୍ଯ୍ୟକାରୀ ହେଉଛି ନା ନାହିଁ ତାହାର ତଦାରଖ କରିବା ଦରକାର । ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ସବୁଠି ଏ ବିଷୟରେ କାମ କରିବାର ଆବଶ୍ୟକତା ରହିଛି । ଖାଲି ସଚେତନତା କରି ଦେଲେ ଯେ ସବୁ ଠିକ୍ ହୋଇ ଯିବ ତାହା ଭାବିବା ଭୁଲ । ଅନ୍ଧବିଶ୍ୱାସକୁ ସମ୍ପୂର୍ଣ୍ଣ ମୂଳ ପୋଛ କରିବାକୁ ହେଲେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଆବଶ୍ୟକତା ରହିଛି । ତା’ଛଡ଼ା ଏସବୁ ପଛରେ କିଏ ମାଷ୍ଟରମାଇଣ୍ଡ ରହିଛନ୍ତି । ତାହା ମଧ୍ୟ ଖୋଜିବା ଦରକାର।