ରାଲି ମଝିରେ ଅସୁସ୍ଥ ହୋଇପଡ଼ିଲେ ମିସ୍ ୟୁନିଭର୍ସ, ଅଧାରୁ କଲେ ବନ୍ଦ

NEWS7
girl-found-from-road-side-in-khurda

ନୂଆଦିଲ୍ଲୀ: ରାଲି ମଝିରେ ଅସୁସ୍ଥ ହୋଇପଡ଼ିଲେ ମିସ୍ ୟୁନିଭର୍ସ ୨୦୨୫ ବିଜେତା ଫାତିମା ବୋଶ୍। ଅଧାରୁ ବନ୍ଦ କଲେ ରାଲି। ରବିବାର ଇକ୍ବାଡୋରର ଅମ୍ବାଟୋ ସହରରେ ଚାଲିଥିବା ବାର୍ଷିକ ଫ୍ରୁଟ୍ ଆଣ୍ଡ୍ ଫ୍ଲାଓ୍ବାର ଫେଷ୍ଟିଭାଲ ସମୟରେ ମୁଣ୍ଡ ବୁଲାଇବାରୁ ତଳେ ପଡ଼ିଯାଇଥିଲେ ମେକ୍ସକୋର ବିୟୁଟି କ୍ବିନ।

ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ଫାତିମା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ରାଲିରେ ସେ ଏକ ସୁସଜ୍ଜିତ ଗାଡ଼ିରେ ଛିଡ଼ା ହୋଇ ହାତ ହଲାଇ ଲୋକଙ୍କୁ ଅଭିବାଦନ ଦେଉଥିଲେ। ଏସମୟରେ ତାଙ୍କୁ ଲୋକେ ମଧ୍ୟ ଖୁବ୍ ଉତ୍ସାହର ସହ ସ୍ବାଗତ ମଧ୍ୟ କରିଥିଲେ। ମାତ୍ର ରାଲି ସମୟରେ ହଠାତ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଗାଡ଼ି ଉପରେ ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଯାଇଥିଲେ।

ଅନଲାଇନରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ, ବୋଶ୍ ଲୋକଙ୍କୁ ଅଭିବାଦନ ଦେଉଥିବାବେଳେ ତାଙ୍କ ମୁଣ୍ଡ ଘୂରାଇଥିଲା। ଆଉ ସେ ଫ୍ଲୋଟରର ରେଲିଂକୁ ଧରି ଧରି ତଳେ ବସି ପଡ଼ିଥିଲେ। ଅବଶ୍ୟ ସଙ୍ଗେ ସଙ୍ଗେ ଇଭେଣ୍ଟ କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ତାଙ୍କ ଦଳର ସଦସ୍ୟମାନେ ତୁରନ୍ତ ତାଙ୍କ ସହାୟତା ପାଇଁ ପହଞ୍ଚିଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପାରାମେଡିକ୍ସଙ୍କୁ ଡକାଯାଇଥିବା ଜଣାପଡ଼ିଛି। ଯଦିଓ ସେ ତଳେ ପଡ଼ିଯାଇଥିଲେ, ସେ ସମ୍ପୂର୍ଣ୍ଣ ଚେତାଶୂନ୍ୟ ହୋଇନଥିଲେ।

ରିପୋର୍ଟ ଅନୁସାରେ, ଏହାପରେ ବୋଶଙ୍କୁ ପରେଡ କରିବାକୁ ମନା କରାଯାଇଥିଲା ଏବଂ ଡାକ୍ତରୀ ଚିକିତ୍ସା ପାଇଁ ପଠାଯାଇଥିଲା। ତେବେ ମିସ୍ ୟୁନିଭର୍ସ ସଂଗଠନ ଘଟଣାର ସଠିକ୍ କାରଣ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।

କିଛି ପର୍ଯ୍ୟବେକ୍ଷକ ମତାନୁସାରେ, ଅମ୍ବାଟୋ ସହର ସମୁଦ୍ର ପତ୍ତନଠାରୁ ପ୍ରାୟ ୨୫୦୦ ମିଟର ଉଚ୍ଚରେ ଅବସ୍ଥିତ, ଏହା ସହ ମିସ୍ ୟୁନିଭର୍ସଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟ ସରଣୀ ଯୋଗୁ ତାଙ୍କୁ ଏଭଳି ଶ୍ବାସକ୍ରିୟା ଜନିତ ସମସ୍ୟା ହୋଇଥାଇପାରେ। ତେବେ ଭୟ ସତ୍ତ୍ବେ ବି ଫ୍ଲୋଟର ଧରି ଛିଡ଼ା ହୋଇପାରିଥିଲେ ଏବଂ କିଛି ସମୟ ପାଇଁ ଲୋକଙ୍କୁ ଅଭିବାଦନ ଦେବା ସହ ଲୋକଙ୍କଠାରୁ କରତାଳି ଏବଂ ସମର୍ଥନ ଓ ପ୍ରଶଂସା ପାଇଥିଲେ।