ମୁମ୍ୱାଇ ମୁଲୁଣ୍ଡରେ ଭୁଶୁଡ଼ିଲା ମେଟ୍ରୋ ପିଲର୍, ସିମେଣ୍ଟ ଖଣ୍ଡ ତଳେ ଅନେକ ଗାଡ଼ି; ଜଣେ ମୃତ

NEWS7
girl-committed-suicide-after-4-days-of-engagement-died-lover-critical

ମୁମ୍ୱାଇ: ମହାରାଷ୍ଟ୍ରର ମୁମ୍ବାଇର ମୁଲୁଣ୍ଡ (ପଶ୍ଚିମ) ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଲବିଏସ ରୋଡରେ ନିର୍ମାଣାଧୀନ ଏକ ମେଟ୍ରୋ ପିଲରର ଗୋଟିଏ ଅଂଶ ହଠାତ୍ ଭାଙ୍ଗି ପଡ଼ିଲା । ଭାଙ୍ଗି ପଡ଼ିଥିବା ସିମେଣ୍ଟ ତଳେ ଅନେକ ଗାଡ଼ି ଚାପି ହୋଇଛି । ପିଲରର କିଛି ଅଂଶ ଏକ ଅଟୋ-ରିକ୍ସା ଉପରେ ମଧ୍ୟ ପଡ଼ିଥିଲା, ଫଳରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଖବର ସାମନାକୁ ଆସୁଛି ।

ବିଏମସି ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଟି ପ୍ରାୟ ଦିନ ୧୨ଟା ୨୦ ମିନିଟ ସମୟରେ ଘଟିଥିଲା । ଏକ ଅଟୋ-ରିକ୍ସାରେ ଥିବା ଚାରି ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବଡ଼ ବଡ଼ ସିମେଣ୍ଟ ଖଣ୍ଡ ଅଟୋ-ରିକ୍ସାର ପଛ ଭାଗରେ ପଡ଼ିଥିଲା । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୁମ୍ବାଇ ଅଗ୍ନିଶମ ବାହିନୀ ତୁରନ୍ତ ଭଗ୍ନାବଶେଷ ସଫା କରିବା ଆରମ୍ଭ କରିଥିଲେ । ସ୍ଥାନୀୟ ପୋଲିସ, ମେଟ୍ରୋ ପ୍ରାଧିକରଣ ଅଧିକାରୀ, ୱାର୍ଡ ପ୍ରଶାସନ କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଥିଲା ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ନିର୍ମାଣାଧୀନ ପିଲରଟି ଦୁର୍ବଳ ଥିଲା । ତେବେ ଦୁର୍ଘଟଣାର ସଠିକ୍ କାରଣ କେବଳ ବୈଷୟିକ ତଦନ୍ତ ପରେ ଜଣାପଡ଼ିବ । ମେଟ୍ରୋ ପ୍ରକଳ୍ପରେ ଜଡିତ ଇଞ୍ଜିନିୟର ଏବଂ ଠିକାଦାର କମ୍ପାନିର ଅଧିକାରୀମାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି ।