ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ, ସମସ୍ତ ବିଭାଗ ଓ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି

NEWS7
gio-broad-band-user-cant-avail-cable-tv-subscription-free-know-why

ଭୁବନେଶ୍ଵର: ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ ହେବାକୁ ସରକାର ସମସ୍ତ ବିଭାଗ ଓ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଥିଲେ । ହେଲେ ଏହି ନିର୍ଦ୍ଦେଶକୁ ଯେପରି ଫୁ କରି ଉଡ଼ାଇ ଦିଆଯାଇଛି ।ଏବେବି ସରକାରୀ ବିଭାଗ ଗୁଡିକ ସରକାରୀ କାର୍ଯ୍ୟକୁ ଇଂରାଜୀରେ କରୁଛନ୍ତି । ଓଡ଼ିଆର ନା ଗନ୍ଧ ନାହିଁ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାରୀ ଦଳ ଏହାର ଜବାବ ରଖିଛି।

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ | ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ | ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ | ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ଏ ନେଇ ସମସ୍ତ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଚିଠି ହୋଇଛି | ନଜର ପକାନ୍ତୁ ଜାନୁଆରୀ ୧୩ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶାବଳୀ ଉପରେ | ରାଜ୍ୟ ସରକାରଙ୍କ ଏହି ତାଗିଦ ପରେ ବି ସୁଧୁରିନାହାନ୍ତି ଅଧିକାରୀ |

ନିର୍ଦ୍ଦେଶାବଳୀକୁ ସତେ ଯେମିତି ଫୁ କରି ଉଡାଇ ଦେଇଛନ୍ତି ଅଧିକାରୀ | ଏବେ ବି ଇଂରାଜୀରେ ଆସୁଛି ଚିଠି | ୧୫ ତାରିଖରେ ନଗର ଉନ୍ନୟନ ବିଭାଗର ଚିଠି ଉପରେ ନଜର ପକାନ୍ତୁ ଏବଂ ୧୭ ରେ ପଞ୍ଚାୟତିରାଜ ବିଭାଗର ଚିଠି ମଧ୍ୟ ଇଂରାଜୀରେ ଜାରି ହୋଇଛି | ନିର୍ଦ୍ଦେଶ ଥିବା ସତ୍ବେ ଇଂରାଜୀରେ ଆସୁଛି ଚିଠି | ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷାବିତ । ବାରମ୍ବାର କାହିଁକି ସରକାରଙ୍କୁ ତାଗିଦ କରିବାକୁ ପଡୁଛି, ଓଡ଼ିଆ ଅଧିକାରୀ ଓଡ଼ିଆରେ ଲେଖିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।

୨୦୨୪ ଜୁଲାଇ ୪ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ କାମ ଆରମ୍ଭ କରିଥିଲେ | ସେହିଦିନ ଓଡ଼ିଆ ଭାଷାରେ ସବୁ ନଥିପତ୍ର କାମ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ | ସେବେଠୁ ଆଜି ପର୍ଯ୍ୟନ୍ତ ଓଡ଼ିଆରେ ପ୍ରଶାସନିକ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ ହେବା ସତ୍ବେ ଓଡ଼ିଆରେ କାର୍ଯ୍ୟ ହୋଇପାରୁ ନଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ | ଅନେକ ପ୍ରତିଶୃତି ଦେଇ ସରକାରକୁ ଆସିଛି ବିଜେପି କିନ୍ତୁ କୌଣସି ପ୍ରତିଶୃତି ପୂରଣ କରିପାରିନାହିଁ ।

୧୮ ମାସ ପରେ ବି ଓଡ଼ିଆରେ ଶାସନ କାର୍ଯ୍ୟକାରୀ କରି ନପରିବା ଏହା ତାର ଉଦାହରଣ | ବିରୋଧୀଙ୍କୁ ଜବାବ ଦେଇ ସରକାରୀ ଦଳ କହିଛି, ସରକାର ସଚେତନ ଅଛନ୍ତି । ପୂର୍ବରୁ କୌଣସି କାମ ଓଡ଼ିଆରେ ହୋଇପାରୁନଥିଲା ଏବେ ଓଡ଼ିଆରେ କାମ ଆରମ୍ଭ ହୋଇଛି | ଯେଉଁ ଅଧିକାରୀ ଏହାକୁ ଅବମାନନା କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଓଡ଼ିଶା ପ୍ରଥମ ରାଜ୍ୟ, ଯାହା ଭାଷା ଭିତ୍ତିରେ ଗଠନ ହୋଇଥିଲା | ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବାର ୯୦ ବର୍ଷ ପରେ ବି ପ୍ରଶାସନିକ ସ୍ତରରେ ଶତ ପ୍ରତିଶତ ଓଡ଼ିଆ ଭାଷାର ପ୍ରଚଳନ ହୋଇପାରିନାହିଁ।