ଦୁଇ ଦିନିଆ ଗସ୍ତରେ ଜୋର୍ଡାନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଅମ୍ମାନ ବିମାନବନ୍ଦରରେ ପିଏମ୍ ଜାଫର ହସନ କଲେ ସ୍ୱାଗତ

NEWS7
germany-sends-130-billion-pound-bill-to-chin-corona-virus

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦୁଇ ଦିନିଆ ଗସ୍ତରେ ଜୋର୍ଡାନରେ ପହଞ୍ଚିଛନ୍ତି । ଆରବ ଦେଶ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ଜୋର୍ଡାନର ପ୍ରଧାନମନ୍ତ୍ରୀ ଜାଫର ହାସନ ନିଜେ ଅମ୍ମାନ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ରାଜା ଅବଦୁଲ୍ଲାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଜୋର୍ଡାନ ଗସ୍ତରେ ଅଛନ୍ତି । ଭାରତ ଏବଂ ଜୋର୍ଡାନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂରଣ ଉପଲକ୍ଷେ ତାଙ୍କର ଏହି ଗସ୍ତ ହେଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ଜୋର୍ଡାନର ଅମ୍ମାନର ଏକ ହୋଟେଲରେ ପହଞ୍ଚିବା ପରେ ଭାରତୀୟ ସମୁଦାୟର ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାରି ଦିନିଆ ତିନି ରାଷ୍ଟ୍ର ଗସ୍ତର ପ୍ରଥମ ରହଣି ହେଉଛି ଜୋର୍ଡାନ । ପରେ ସେ ଇଥିଓପିଆ ଏବଂ ଓମାନ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଆଜି କିଙ୍ଗ ଅବଦୁଲ୍ଲାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବେ । ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ କିଙ୍ଗ୍ ମଙ୍ଗଳବାର ଭାରତ- ଜୋର୍ଡାନ ବ୍ୟବସାୟିକ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ । ଏଥିରେ ଉଭୟ ଦେଶର ପ୍ରମୁଖ ବ୍ୟବସାୟୀକ ପ୍ରତିନିଧି ଯୋଗଦେବେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୋର୍ଡାନକୁ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରୀ ୨୦୧୮ରେ ପାଲେଷ୍ଟାଇନ ଯିବା ସମୟରେ ଜୋର୍ଡାନରେ ଅବତରଣ କରିଥିଲେ । ୩୭ ବର୍ଷ ପରେ ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୂର୍ଣ୍ଣ ଦ୍ୱିପାକ୍ଷିକ ଗସ୍ତ ।

ଭାରତ ଏବଂ ଜୋର୍ଡାନ ମଧ୍ୟରେ ଦୃଢ଼ ଆର୍ଥିକ ସମ୍ପର୍କ ରହିଛି । ନୂଆଦିଲ୍ଲୀ ହେଉଛି ଅମ୍ମାନର ତୃତୀୟ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରର ମୂଲ୍ୟ ୨.୮ ବିଲିୟନ ଆମେରିକୀୟ ଡଲାର । ଜୋର୍ଡାନ ମଧ୍ୟ ଭାରତକୁ ସାର, ବିଶେଷକରି ଫସଫେଟ୍ ଏବଂ ପଟାସର ଏକ ପ୍ରମୁଖ ଯୋଗାଣକାରୀ । ୧୭,୫୦୦ରୁ ଅଧିକ ପ୍ରବାସୀ ଭାରତୀୟ ଏହି ଆରବ ଦେଶରେ ବାସ କରନ୍ତି ।

ସୋସିଆଲ ମିଡିଆ ପୋଷ୍ଟରେ ଜୋର୍ଡାନ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋର୍ଡାନରେ ସମ୍ମାନିତ ଅତିଥି ଭାବରେ ସ୍ୱାଗତ କରିବା ଆମ ପାଇଁ ଏକ ସମ୍ମାନର ବିଷୟ । ଏହି ଗସ୍ତ ଆମର ୭୫ ବର୍ଷର ଘନିଷ୍ଠ ଏବଂ ସ୍ଥାୟୀ ସମ୍ପର୍କକୁ ପ୍ରତିଫଳିତ କରେ ।" ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଆମ ଦୁଇ ଦେଶ ମଧ୍ୟରେ, ବିଶେଷକରି ଅର୍ଥନୈତିକ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗର ନୂତନ ଦିଗ ଅନୁସନ୍ଧାନ କରିବାକୁ ଆଗ୍ରହୀ ।"