ନୋମିନେସନ ଆରମ୍ଭ ହୋଇଗଲାଣି, ଏ ପର୍ଯ୍ୟନ୍ତ ସରୁନି ତିନି ଦଳର ପ୍ରାର୍ଥୀ ଘୋଷଣା

Published By : Prameya-News7 Bureau | April 23, 2024 IST

ଭୁବନେଶ୍ଵର:  ୯-୬-୧୫ରେ ଛିଣ୍ଡୁନି ଅଙ୍କ । ଏବେ ବି କଂଗ୍ରେସର ୯,  ବିଜେଡିର ୬ ଓ ବିଜେପିର ୧୫ ବିଧାନସଭା ଆସନରେ ଫାଇନାଲ୍ ହୋଇପାରୁ ନାହାନ୍ତି ପ୍ରାର୍ଥୀ । ଏହା ଭିତରୁ ୪ ଆସନରେ ବିଜେଡି-ବିଜେପି ଛକାପଞ୍ଝା ଭିତରେ ଝୁଲିଛି ଆଶାୟୀଙ୍କ ଭାଗ୍ୟ । କିଛି ସ୍ଥାନରେ ପରସ୍ପରର ଗୋଟି ଚାଳନାକୁ ଅପେକ୍ଷା କରିଛନ୍ତି ଦୁଇ ଦଳ ବିଜେଡି ଓ ବିଜେପି । ଏସବୁ ଭିତରେ ଆସନ୍ତୁ ନଜର ପକାଇବା କେଉଁ କେଉଁ ଆସନ ପାଇଁ ଅଟକିଛି ତିନି ଦଳର ଅଙ୍କ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନୋମିନେସନ ଆରମ୍ଭ ହୋଇଗଲାଣି । ହେଲେ ଏପର୍ଯ୍ୟନ୍ତ ସରୁନି ତିନି ଦଳର ପ୍ରାର୍ଥୀ ଘୋଷଣା । ଏବେ ବି କଂଗ୍ରେସ ୯, ବିଜେଡି ୬ ଓ ବିଜେପି ୧୫ ବିଧାନସଭା ପାଇଁ ଯୋଦ୍ଧା ଘୋଷଣା କରି ନାହାନ୍ତି । ଏହା ଭିତରୁ ୪ ଆସନରେ ବିଜେଡି-ବିଜେପି ଛକାପଞ୍ଝା ଭିତରେ ଝୁଲିଛି ଆଶାୟୀଙ୍କ ଭାଗ୍ୟ । ଖୋର୍ଦ୍ଧା, ବେଗୁନିଆ, ନୀଳଗିରି, ଭୋଗରାଇ ଆସନରେ ନା’ ବିଜେଡି ନା’ ବିଜେପି କେହି ବି ପ୍ରାର୍ଥୀ ଫାଇନାଲ କରିନାହାନ୍ତି । ଏସବୁ ଆସନରେ ପରସ୍ପରର ଗୋଟି ଚାଳନାକୁ ଅପେକ୍ଷା କରିଛନ୍ତି ଦୁଇ ଦଳ । 

Also read: ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍, ତଥାପି ଲଢିପାରିବେନି ନିର୍ବାଚନ

ଖୋର୍ଦ୍ଧା ବିଧାନସଭା ଆସନରେ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ହେଲେ ଖୋର୍ଦ୍ଧାରେ ବିଜେଡି-ବିଜେପିର ଅଙ୍କ ଛିଣ୍ଡୁନି । ବିଜେଡିରୁ ବାସନ୍ତୀ ମହାପାତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଟିକେଟ୍ ଆଶାରେ ଅଛନ୍ତି । ସେହିଭଳି ବିଜେପିରୁ କାଳୁ ଚରଣ ଖଣ୍ଡେଇତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ସିଟ୍ ପାଇଁ ଆଶାୟୀ ଅଛନ୍ତି । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଖୁବ୍ ଶୀଘ୍ର ପଦ୍ମ ଧରି ଖୋର୍ଦ୍ଧା ସିଟ୍ ହାତେଇବା ଚକ୍କରରେ ରହିଥିବା ଚର୍ଚ୍ଚା ହେଉଛି । 

ବିଜେପି ଏଯାଏଁ ୧୩୨ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବାକି ଥିବା ୧୫ ଆସନ ପାଇଁ ଅଙ୍କ କଷା ଚାଲିଛି । ପ୍ରତି ସିଟ ଉପରେ ଚାଲିଛି ତର୍ଜମା । ଏମିତିକି ପ୍ରତିପକ୍ଷଙ୍କ ଗୋଟି ଚାଳନା ଉପରେ ନଜର ରଖିଛି ଦଳ । କାହାକୁ କୋଉଁଠି ପ୍ରାର୍ଥୀ କଲେ ଦଳ ବିଜୟ ସମ୍ଭାବନା ଅଧିକ ରହିବ, ବିଦ୍ରୋହ ହେବ ନାହିଁ ତାହା ଉପରେ ବି ଗୁରୁତ୍ବ ଦେଉଛି ଦଳ । ଖୋର୍ଦ୍ଧା , ବେଗୁନିଆ - ବୋଲଗଡ, କଟକ - ବାରବାଟୀ, ବରୀ, ଭଣ୍ଡାରିପୋଖରୀ, ବାସୁଦେବପୁର, ଭୋଗରାଇ, ବସ୍ତା, ନୀଳଗିରି, ହିନ୍ଦୋଳ, ତେଲକୋଇ , ଘଷିପୁରା , ଚମ୍ପୁଆ , ସାଲେପୁର, କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ ।

ନୀଳଗିର ଆସନ ସେମିତି ବିଜେଡି ବିଜେପି ପରସ୍ପରକୁ ଅନାଇବସିଛନ୍ତି । କାରଣ ବିଜେଡିକୁ ଫେରିଛନ୍ତି ବିଜେପି ବିଧାୟକ ସୁକାନ୍ତ ନାୟକ।  ସୁକାନ୍ତ ବିଜେଡି ଟିକେଟ ଦେଲେ ବିଜେଡି ନେତା ସନ୍ତୋଷ ଖଟୁଆ ଅସନ୍ତୁଷ୍ଟ ହୋଇପାରନ୍ତି । ଯେଉଁଥିପାଇଁ  ବିଜେଡି ସୁକାନ୍ତ ନାୟକଙ୍କୁ ଦଳରେ ମିଶାଇ ବି ଟିକେଟ ଘୋଷଣା କରିପାରୁନି। ଯେହେତୁ ୨୦୧୯ରେ ସନ୍ତୋଷ ଖଟୁଆ ବିଜେପି ଛାଡି ବିଜେଡିରେ ମିଶି ଟିକେଟ ନେଇ ସୁକାନ୍ତ ନାୟକଙ୍କୁ କଡା ଟକ୍କର ଦେଇଥିଲେ। । ତେଣୁ ଏଥରା ବିଜେପି ସନ୍ତୋଷ ଖଟୁଆଙ୍କ ଉପରେ ନଜର ରଖିଛି। ଏପଟେ ଭୋଗାରାଇ ରେ ବି ସେହି ସମାନ ଅବସ୍ଥା । ବିଜେପି ଆନାଇଛି ବିଜେଡିର ଗୋଟିଚାଳନାକୁ । କାରଣ ବିଜେଡି ଭୋଗରାଇରେ ନୂଆ ଚେହେରା ସମାନାକୁ ଆଣୁଛି ନା ବିଧାୟକ ଅନନ୍ତ ଦାସଙ୍କୁ ପୁଅ ଅଭିଜିତ ଦାସଙ୍କୁ ଟିକଟ ଦେଉଛି। ତାହାକୁ ଅପେକ୍ଷା କରିଛି ବିଜେପି। 

ସେପଟେ ହିନ୍ଦୋଳରେ ବିଜେଡି ବିଧାୟିକା ସୀମାରାଣି ନାଏକ ଦଳ ଛାଡିବା ପରେ ନୂଆ ସମୀକରଣ ହୋଇଛି । ସେଠୁ ସୀମାଙ୍କୁ ଟିକଟେ ଦେଇପାରେ ବିଜେପି । ବରୀ ଆସନରେ ବିଜେପି କାହାକୁ ଟିକେଟ ଦେବ ସେନେଇ ଚିତ୍ର ସ୍ପଷ୍ଟ ହୋଇପାରୁନି । କାହିଁକି ନା ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ସେପଟେ ବର୍ତ୍ତମାନର ବିଧାୟକ ସୁନନ୍ଦା ଟିକେଟ ନପାଇବାରୁ ଦଳ ଛାଡି ବିଜେପିରେ ମିଶିବେ ବୋଲି ସଙ୍କେତ ମିଳୁଛି । ସେଥିପାଇଁ  ବିଜେପି ତାର ଟିକେଟ ଘୋଷଣା କରିପାରୁନି ବୋଲି କୁହାଯାଉଛି ।

କଟକ ବାରବାଟି ଆସନରେ ଦୁଇ ଅଭିନେତାଙ୍କ ନାଁ ଶୁଣା ଯାଉଛି । ଅଭିନେତା ଅରିନ୍ଦମ ରାୟ ଓ ଅଭିନେତା ଅନୁଭବ ମହାନ୍ତି ବିଜେପିରେ ମିଶିବା ପରେ ଦଳ ଦୁଇ ଜଣଙ୍କ ଭିତରୁ କାହାକୁ ବାରବାଟିରେ ଟିକେଟ ଦେବ ତାହା ସ୍ଥିର ହୋଇପାରୁନି । ତେଲକୋଇରେ ବିଜେଡି ବିଧାୟକ ପ୍ରେମାନନ୍ଦ ନାଏକ ଏବଂ ପୂର୍ବତନ ବିଧାୟକ ବେଦବ୍ୟାସ ନାଏକ ଦୁଇ ଜଣଙ୍କୁ ଦଳରେ ମିଶାଇ ସାରିଥିବାରୁ କାହାକୁ କେମିତି ଥଇଥାନ କରିବ ସେଇ ତର୍ଜମା ଚାଲିଛି ।

କଂଗ୍ରେସର ବାକି ଅଛି ୯ ବିଧାନସଭା ଆସନ I କଟକ ଓ ମୟୁରଭଞ୍ଜ ଦୁଇ ଲୋକସଭା ଆସନ ସହିତ ୯ ବିଧାନସଭା ଆସନ କଟକ - ବାରବାଟୀ, ଜଗତସିଂହପୁର, କାକଟପୁର,ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ପାଲଲହରା, ନୀଳଗିରି, ବଡ଼ଚଣା ଆସନ ପାଇଁ କଂଗ୍ରେସ ପ୍ରାଥୀ ଘୋଷଣା କରିନାହିଁ I ଆଜି କିମ୍ବା ଆସନ୍ତା କାଲି ସୁଦ୍ଧା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେଇପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଛତ୍ରପୁରରେ ଭୋଟ ପଡିବ । ଏଥିପାଇଁ ୨୫ ତାରିଖ ନାମାଙ୍କନ ଭରିବାର ଶେଷ ଦିନ ରହିଛି । କିନ୍ତୁ ଏଯାଏଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ଆସନରେ କାହାକୁ ଟିକେଟ ମିଳିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । 

ଏହା ସହ ସିପିଆଇକୁ ସମର୍ଥନ କରି  ସିଟ ଛାଡିବ ବୋଲି କୁହାଯାଉଛି । କଟକ ବାରବାଟିରେ ମହମ୍ମଦ ମୋକିମଙ୍କ ଆଇନଗତ ସମସ୍ୟା ଥିବାରୁ ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଛି । କୁହାଯାଉଛି ମୋକିମ ପ୍ରାର୍ଥୀ ନହେହେଲେ ତାଙ୍କ ସ୍ଥାନରେ ତାଙ୍କ ଝିଅ ସୋଫିଆ ପ୍ରାର୍ଥୀ ହୋଇପାରନ୍ତି ।ସେହିଭଳି ଜିରଞ୍ଜୀବ ବିଶ୍ବାଳ ଦଳ ଛାଡିବା ପରେ ଆଶାୟୀ ଅଧିକ ଅଛନ୍ତି । ସେଥିପାଇଁ ଅଙ୍କ ଛିଣ୍ଡୁନି । କାକଟପୁରେ ବିଶ୍ବ ମହାନ୍ତି ବିଜେପି ଛାଡି ପୁଣି କଂଗ୍ରେସକୁ ଫେରି ଟିକେଟ ନେଇ ପାରନ୍ତି । ତେଣୁ ତାଙ୍କ ଅପେକ୍ଷାରେ ଥିବା କଂଗ୍ରେସ ଏହି ସିଟକୁ ଝୁଲାଇ ରଖିଛି ।

ଯେହେତୁ ବିଭିନ୍ନ ସ୍ଥାନରେ ଘମାଘୋଟ ପ୍ରଚାର ଆରମ୍ଭ ହୋଇଗଲାଣି, ବିଭିନ୍ନ ଦଳର ହେଭିଓ୍ବେଟ୍ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି ତେଣୁ , ଲାଗୁଛି ଆଗାମୀ ଦୁଇ ଚାରି ଦିନ ଭିତରେ ସବୁ ଦଳ ବାକି ଆସନରେ ପ୍ରାର୍ଥୀ ଘୋଷଣା କରିଦେବେ ।

 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.