‘ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି, ଲୋକ ସଚେତନ ହୁଅନ୍ତୁ’, ବାରମ୍ବାର ମାଞ୍ଜା ସୂତା ଅଘଟଣ ପରେ ଜିଲ୍ଲାପାଳଙ୍କ ଅପିଲ୍

NEWS7
friday-horoscope-8

କଟକ ୧୬।୧: ପରମ୍ପରା ନାଁରେ ଯେମିତି ମୃତ୍ୟୁ ସହିତ ଦୈନିକ ଲୁଚକାଳି ଖେଳ ଚାଲିଛି । ଗୁଡ଼ି ଉଡ଼ା ସଉକ ପୁରା କରିବା ଲାଗି, ନଟେଇରେ ଲାଗୁଛି ଚାଇନିଜ୍ ମାଞ୍ଜାର ପ୍ଲାଷ୍ଟିକ ସୂତା । ଯାହା ପଥଚାରୀ ମାନଙ୍କ ଲାଗି ମୃତ୍ୟୁର ଫନ୍ଦା ସାଜୁଛି । ଗୁରୁବାର, ଏହି ଚାଇନିଜ୍ ସୂତାରେ କଟି, କେବଳ କଟକ ଖାନନଗର ଅଞ୍ଚଳରେ ୨ ଜଣ ଗୁରୁତର ହୋଇଛନ୍ତି । ଅନେକ ଅଘଟଣ ଘଟିବା ପରେ କଟକ ଜିଲ୍ଲା ପ୍ରଶାସନର ଚେତା ପସିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି, ଲୋକ ସଚେତନ ହୁଅନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ମାଞ୍ଜା ସୂତା ବ୍ୟବହାର ନକରିବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି । ମାଞ୍ଜା ସୂତା ବ୍ୟବହାର ରୋକିବାକୁ ପୂଜା କମିଟି ମାନଙ୍କ ସହାୟତା ଲୋଡ଼ିବ ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି ଆଗକୁ ପୂଜା କମିଟି ଏବଂ ଶାନ୍ତି କମିଟି ଜରିଆରେ ଜନ ସଚେତନତା ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯିବ ।

ମକର ସଂକ୍ରାନ୍ତି ପାଖେଇ ଆସିବା ମାତ୍ରେ କଟକର ଆକାଶରେ ଉଡେ ଭିନ୍ନ ଭିନ୍ନ ରକମର ଗୁଡ଼ି । କିନ୍ତୁ ଗତ କେଇ ବର୍ଷ ଭିତରେ ପାରମ୍ପରିକ ସୂତା ଜାଗାରେ ଉପଲବ୍ଧ ହେଉଛି ଚାଇନିଜ୍ ମାଞ୍ଜା ସୂତା । ଯେଉଁଥି ପାଇଁ ଗତ ୫ ବର୍ଷ ଭିତରେ ୬ ଜଣଙ୍କର ଜୀବନ ଗଲାଣି । ଏବଂ ମାଞ୍ଜା ସୂତା ଲାଗି ଦୈନିକ ଅଘଟଣ ମାନ ଘଟି ଚାଲୁଛି । ଘଟଣାର ଗୁରୁତ୍ୱ ଅନୁଭବ କରି ଚାଇନିଜ୍ ସୂତାକୁ ବେଆଇନ ବୋଲି ଘୋଷଣା କରିଛନ୍ତି ହାଇକୋର୍ଟ । ଏହାର ବ୍ୟବହାର ଏବଂ ବିକ୍ରି ଉପରେ କଟକଣା ଲଗାଇଛି ପ୍ରଶାସନ । ହେଲେ ସବୁକିଛି ଯେମିତି ଧର୍ମକୁ ଆଖିଠାର ଭଳି । ପୋଲିସ ହେଉ ଅବା ସିଏମସି ଏନଫୋର୍ସମେଣ୍ଟ ଟିମ୍, କେବଳ ଚଢ଼ାଉ ନାଁରେ ସମସ୍ତଙ୍କ ଆଇୱାସ କଲାଭଳି କାମ କରୁଛନ୍ତି । ତେବେ ଗୁରୁବାର ଘଟିଥିବା ମାଞ୍ଜା ସୂତା ଜନିତ ୨ଟି ଅଘଟଣ ପୋଲିସ ଉପରେ ଚାପ ସୃଷ୍ଟି କରିଛି । ଡିସିପି କହିଛନ୍ତି ଆଗକୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ।