୩୫ ବର୍ଷୀୟ ଯୁବକଙ୍କୁ ହୃଦୟ ଦେଇ ବସିଲେ ୬୦ ବର୍ଷୀୟା ବୃଦ୍ଧା, ଲୁଚିଛପି ବିବାହ ବି କଲେ; ବସ୍‌ଷ୍ଟାଣ୍ଡରେ ପିଟିଲେ ସ୍ବାମୀ-ପୁଅ

NEWS7
french-vaccine-maker-may-have-a-long-term-answer-to-covid

ପାଟନା: କୁହାଯାଏ ପ୍ରେମ ମାନେନି ବୟସ । ବନ୍ଧବାଡ଼ ଲଂଘି ହୋଇଯାଏ ପ୍ରେମ । ବେଳେ ବେଳେ ଏହି ପ୍ରେମ ଅଡ଼ୁଆରେ ପକାଏ । ପ୍ରେମ ତ ହୋଇଯାଏ, କିନ୍ତୁ ଏହାକୁ ବିବହାର ରୂପ ଦେବାକୁ କରିବାକୁ ପଡ଼େ ଅନେକ ତ୍ୟାଗ । ବିହାରର ବାଙ୍କା ଜିଲ୍ଲାରୁ ଏମିତି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ୬୦ ବର୍ଷୀୟା ବୃଦ୍ଧାଙ୍କୁ ୨୫ ବର୍ଷ ସାନ, ଯୁବକଙ୍କ ସହ ପ୍ରେମ ହୋଇ ଯାଇଛି । ସୁଯୋଗ ଦେଖି ଦୁହେଁ ଫେରାର ହୋଇଯାଇ ବିବାହ ବି କରିଛନ୍ତି । ଅନେକ ସ୍ବପ୍ନ ଦେଖିଥିବା ଏ ଯୋଡ଼ିଙ୍କୁ ଏବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।

ମହିଳାଙ୍କ ସ୍ବାମୀ ଏବଂ ପୁଅ, ସେମାନଙ୍କ ପ୍ରେମରେ ସାଜିଛନ୍ତି କଣ୍ଟା । ୩୫ ବର୍ଷୀୟ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସଂପର୍କରେ ଜାଣି ତାଙ୍କ ପରିବାର ଲୋକେ ହଙ୍ଗାମା କରିଛନ୍ତି । ବସଷ୍ଟାଣ୍ଡରେ ପହଞ୍ଚି ଯୁବକଙ୍କୁ ମାରପିଟ କରିଛନ୍ତି ମହିଳାଙ୍କ ସ୍ବାମୀ ଏବଂ ପୁଅ । ଏହି ସମୟରେ ମହିଳା ନିଜର ପ୍ରେମ କାହାଣୀ ସଂପର୍କରେ ଖୋଲାଖୋଲି କହିଛନ୍ତି ।

ମହିଳା କହିଛନ୍ତି, ‘ପ୍ରାୟ ୪ ମାସ ତଳେ ଫୋନ ଯୋଗେ ସେ ଆରାର ଯୁବକ ବକିଲ ମିଶ୍ରାଙ୍କ ସହ କଥା ହୋଇଥିଲେ । ଏହି ବାର୍ତ୍ତାଳାପ ଦୁହିଁଙ୍କ ମଧ୍ୟରେ ଦୂରତା କମାଇଥିଲା ଏବଂ ଧୀରେ ଧୀରେ ପ୍ରେମର ରୂପ ନେଇଥିଲା । ଫୋନ କଥା ହେଉ ହେଉ ସାକ୍ଷାତ ପାଇଁ ମନ ହେଲା । ସେମାନେ ଭାଗଲପୁର ରେଳ ଷ୍ଟେସନରେ ଭେଟ ହେବାକୁ ଯୋଜନା କଲେ । ସାକ୍ଷାତ ହେବା ପରେ ସେମାନେ ଟ୍ରେନରେ ଲୁଧିଆନା ଚାଲି ଯାଇଥିଲେ । ସେଠାରେ ପରଷ୍ପରର ସହମତି କ୍ରମେ ବିବାହ କରିଥିଲେ ଏବଂ ଏକାଠି ରହୁଥିଲେ ।’

କୌଣସି କାମରୁ ଦୁହେଁ ରବିବାର ଅମରପୁର ବସଷ୍ଟାଣ୍ଡକୁ ଆସିଥିଲେ । ସେଠାରେ ମହିଳାଙ୍କ ପରିବାର ଲୋକେ ସେମାନଙ୍କୁ ଦେଖିଥିଲେ ଏବଂ ହଙ୍ଗାମା ଆରମ୍ଭ ହୋଇଥିଲା । ମାରପିଟ ଯୋଗୁଁ ଯୁବକଜଣଙ୍କ ଆହତ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ଉପରେ ମଧ୍ୟ ମାଡ଼ ହୋଇଥିଲା । ଦୁଇଜଣଙ୍କ ବିକଳ ପରିସ୍ଥିତି ଦେଖି, ସାଧାରଣ ଲୋକେ ହସ୍ତକ୍ଷେପ କରି ସେମାନଙ୍କୁ ହସ୍ପିଟାଲ ପଠାଇଥିଲେ । ପରେ ମାମଲା ଥାନାକୁ ଯାଇଥିଲା । ଏବେ ଦୁଇ ଜଣ ପୋଲିସ ହେପାଜତରେ ଅଛନ୍ତି । ଅମରପୁର ଥାନା ଆଇଆଇସି କହିଛନ୍ତି, ଏବେ ମାମଲାର ତଦନ୍ତ କରାଯାଉଛି । ସେପଟେ ଏହି ବିଚିତ୍ର ପ୍ରେମକାହାଣୀ ସାଧାରଣରେ ଚହଳ ସୃଷ୍ଟି କରିଛି ।