ବିମାନରେ କ୍ରୁ ସଦସ୍ୟଙ୍କୁ ଆକ୍ରମଣ କଲେ ମଦ୍ୟପ ମହିଳା, ପୁରୁଷ ଯାତ୍ରୀଙ୍କ ସହ କଲେ ଫ୍ଲର୍ଟ

NEWS7
four-child-helpless-in-soro-of-balesore-district

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିମାନ ଯାତ୍ରା ବେଶ ଆରାମଦାୟକ । ଦୂର ସ୍ଥାନକୁ ଯିବାକୁ ହେଲେ ବିମାନ ଏକ ଭଲ ବିକଳ୍ପ । ଯଦିଓ ବିମାନରେ ଯାତ୍ରା କରିବା ଅନ୍ୟ ମାଧ୍ୟମ ଅପେକ୍ଷା ମହଙ୍ଗା, କିନ୍ତୁ ସମୟ ବହୁତ କମ୍ ଲାଗେ । ବିମାନରେ ଯାତ୍ରା କରିବା ସମୟରେ, ଅନେକ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼େ । ବିଶେଷ କରି ଯାତ୍ରୀମାନେ ଶୃଙ୍ଖଳା ରଖିବା ଜରୁରୀ । କିନ୍ତୁ ଅନେକ ସମୟରେ ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳା ନେଇ ଖବର ସାମ୍ନାକୁ ଆସେ । ପରିସ୍ଥିତି ଏମିତି ହୁଏ ଯେ, ବିମାନ ଉଡ଼ାଣ ଭରିପାରେ ନାହିଁ । ଏଭଳି ଏକ ଖବର ଦୁବାଇରୁ ମସ୍କୋ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏକ ବିମାନରେ ଘଟିଛି ।

ଜଣେ ମହିଳା ଦୁବାଇରୁ ବିମାନ ଯୋଗେ ମସ୍କୋ ଯିବାର ଥିଲା । ବିମାନରେ ଅନ୍ୟ ଯାତ୍ରୀମାନେ ନିଜ ନିଜ ସିଟ୍ରେ ବସି ସାରିଥିଲେ । ମହିଳା ମଧ୍ୟ ନିଜ ସିଟ୍ରେ ବସିଥିଲେ । ହେଲେ ହଠାତ ସେ କ୍ରୁ ସଦସ୍ୟଙ୍କୁ ମଦ ମାଗିଥିଲେ ଏବଂ ସେମାନଙ୍କୁ ପିଟିଥିଲେ । ପ୍ରକୃତରେ, ମହିଳାଜଣଙ୍କ ବିମାନରେ ବସିବା ପୂର୍ବରୁ ନିଶାରେ ଥିଲେ । ନିଶା ଏତେ ଅଧିକ ହୋଇଯାଇଥିଲା ଯେ, ସେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଏବଂ କ୍ରୁ ସଦସ୍ୟଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟହାର ମଧ୍ୟ କରିଥିଲେ । ସେପଟେ ପାଖରେ ଥିବା ସହଯାତ୍ରୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସେ ଶାନ୍ତ ହେବେ କ’ଣ, ଓଲଟା ପୁରୁଷ ଯାତ୍ରୀଙ୍କୁ ଫ୍ଲଟ୍ କରିଥିଲେ ।

ମହିଳା ଯାତ୍ରୀଙ୍କ ଏଭଳି କାଣ୍ଡ ଦେଖି, ପାଇଲଟ୍ ସେଠାକୁ ଆସି ସ୍ଥିତି ଉପରେ କାବୁ ଆଣିବାକୁ ଚେଷ୍ଟା କରିଥିଲେ । ବିମାନରେ ଥିବା ଜଣେ ପୁରୁଷ ଯାତ୍ରୀ ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ତାଙ୍କୁ ପ୍ରେମ ଭରା ଅନ୍ଦାଜରେ କଥା ହୋଇଥିଲେ । ମଦ୍ୟପ ମହିଳାଙ୍କ ଏଭଳି ବ୍ୟବହାର ଦେଖି, ବିମାନରେ ହୋହଲ୍ଲା ହୋଇଥିଲା । ସମୟ ଗଡ଼ିଯାଇଥିଲେ ସୁଦ୍ଧା ବିମାନ ଉଡ଼ାଣ ଭରିପାରି ନଥିଲା । ଏହା ପରେ ପାଇଲଟ୍ ସୁରକ୍ଷା କର୍ମୀଙ୍କୁ ଡାକି ମହିଳାଙ୍କୁ ବିମାନରୁ ବାହାର କରିବାକୁ କହିଥିଲେ । ସୁରକ୍ଷା କର୍ମୀ ମହିଳାଙ୍କୁ ବିମାନରୁ ବାହାରକୁ ଆଣିଥିଲେ । ସେପଟେ କ୍ରୁ ସଦସ୍ୟ ତାଙ୍କର ଲଗେଜ୍ ଖୋଜି ବାହାରକୁ ପଠାଇଥିଲେ । ଏହି ସବୁ କାମରେ ପ୍ରାୟ ୨ ଘଣ୍ଟା ସମୟ ଲାଗି ଯାଇଥିଲା । ଫଳରେ ବିମାନ ୨ଘଣ୍ଟାରୁ ଅଧିକ ସମୟ ପରେ ଉଡ଼ାଣ ଭରିଥିଲା । ତେବେ ବିମାନରେ ଏଭଳି ଯାତ୍ରୀଙ୍କ ଅଶୋଭନୀୟ ଆଚରଣର ଘଟଣା ଅନେକ ଥର ଘଟିଛି । ଆଉ ଏଥିପାଇଁ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ।