ସୁନେତ୍ରା ପାୱାରଙ୍କୁ ଅଧ୍ୟକ୍ଷା କରିବା ପାଇଁ NCPରେ ପ୍ରସ୍ତୁତି

NEWS7
former-president-pranab-mukharjees-son-join-tmc-today

ମୁମ୍ବାଇ ୨।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଜାତୀୟ ସଭାପତି ପଦବୀ ଗ୍ରହଣ କରିପାରନ୍ତି। ଦଳ ସଭାପତି ରୂପେ ତାଙ୍କ ନିଯୁକ୍ତିର ଔପଚାରିକ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି। ଏହି ବିଷୟରେ ଏନସିପିର ଆଗାମୀ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଚର୍ଚ୍ଚା କରାଯିବ। ଏହି ଘଟଣାକ୍ରମ ଏନସିପିର ପୂର୍ବତନ ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର(୬୬)ଙ୍କ ନିଧନର କିଛି ଦିନ ପରେ ସାମ୍ନାକୁ ଆସିଛି।

ଅଜିତ ପାୱାରଙ୍କ ଆକସ୍ମିକ ପରଲୋକ ପରେ ଏନସିପିର ବରିଷ୍ଠ ନେତାମାନେ ସୁନେତ୍ରା ପାୱାରଙ୍କ ସମର୍ଥନରେ ଏକଜୁଟ ହୋଇଛନ୍ତି ଓ ପାର୍ଟି ନେତୃତ୍ୱ ସୁନେତ୍ରାଙ୍କୁ ଜାତୀୟ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସୂତ୍ର ଅନୁସାରେ ପାର୍ଟି ମଧ୍ୟରେ ସୁନେତ୍ରାଙ୍କ ପଦୋନ୍ନତୀ ଲାଗି ସର୍ବସମ୍ମତି ପ୍ରକାଶ ପାଇଛି। ଏନସିପିର ୩୦ରୁ ଅଧିକ ପଦାଧିକାରୀ ମାନେ ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଏବଂ ମହାରାଷ୍ଟ୍ର ଏନସିପି ସଭାପତି ସୁନିଲ ତଟକରେଙ୍କୁ ଏକ ମିଳିତ ପତ୍ର ଲେଖିଛନ୍ତି। ଏଥିରେ ସର୍ବ ସମ୍ମତିରେ ସୁନେତ୍ରା ପାୱାରଙ୍କୁ ପାର୍ଟିର ସର୍ବୋଚ୍ଚ ପଦ ଅର୍ପଣ କରିବାକୁ ଦାବି କରାଯାଇଛି।

ଏହି ପଦକ୍ଷେପ ଏନସିପିର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି। କାରଣ ପାର୍ଟି ଏବେ ନିଜର ସଙ୍ଗଠନାତ୍ମକ ସଂରଚନାକୁ ମଜଭୁତ କରିବା ଓ ରାଜ୍ୟରେ ନିଜ ରାଜନୈତିକ ଉପସ୍ଥିତିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଛି। ୬୨ ବର୍ଷ ବୟଷ୍କା ସୁନେତ୍ରା ପାୱାର ଶନିବାର ମୁମ୍ବାଇ ଲୋକ ଭବନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଅବକାରୀ, ଖେଳ ଏବଂ ଯୁବ କଲ୍ୟାଣ ବିଭାଗ ଓ ସଂଖ୍ୟାଲଘୁ କଲ୍ୟାଣ ଓ ବିକାଶ ବିଭାଗ ପ୍ରଦାନ କରାଯାଇଛି।

ଏହା ବି ପଢ଼ନ୍ତୁ :-ଭାରତର ବଜେଟକୁ ପ୍ରଶଂସା କଲେ ତାଲିବାନ ସରକାର, କାହିଁକି ଆଫଗାନିସ୍ତାନବାସୀ ଏତେ ଖୁସି ?