LIVE TV

କେତେ ଥର ଭୋଟ ଦେଲେ ବିହାର ସାଂସଦ ଶାମ୍ଭବୀ, ଆଙ୍ଗୁଠିରେ କାଳୀ ଚିହ୍ନ ନେଇ ଉଠିଲା ପ୍ରଶ୍ନ ?

NEWS7
former-pakistan-paceman-makes-huge-claims-about-imran-khan

ନୂଆଦିଲ୍ଲୀ ୦୮/୧୧: ବିହାରରେ ସରିଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ । ଏହି ପ୍ରଥମ ପର୍ଯ୍ୟାୟ ଭୋଟରେ ରେକର୍ଡ ୬୪.୬୬ ପ୍ରତିଶତ ଭୋଟ୍ ଦାନ ହୋଇଛି । ଯାହା ୨୦୨୦ରେ ରେକର୍ଡ ହୋଇଥିବା ୫୬.୧ ପ୍ରତିଶତ ତୁଳନାରେ ୮.୫ ପଏଣ୍ଟ ଅଧିକ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ବିହାରର ଜଣେ ସାଂସଦ ୨ଥର ମତଦାନ କରିଥିବା ଚର୍ଚ୍ଚା ହେଉଛି । କାରଣ ସାଂସଦଙ୍କ ୨ ହାତର ଅଙ୍ଗୁଠିରେ କାଳି ଲାଗିବା ଭିଡିଓ ଆସିବା ପରେ ଚର୍ଚ୍ଚା ଚାଲିଛି ।

ତେବେ ଭିଡିଓ ଭାଇରାଲ୍ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରି ଅଭିଯୋଗ ଆଣିଛନ୍ତି । ଜଣେ ଲୋକ ଏକାଧିକ ଥର ମତଦାନ କରିଥିବାର ଅଭିଯୋଗ କରୁଥିବା ବେଳେ ଏହି ଘଟଣା ଘଟିବା ଚର୍ଚ୍ଚାରେ ରହିଛି। ବିହାର ବିଧାନସଭା ନିର୍ବାଚନ ୨୦୨୫ ର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବାକୁ ଆସିଥିଲେ ଏଲଜେପି ସାଂସଦ ଶମ୍ଭବୀ ଚୌଧୁରୀ ଓ ତାଙ୍କ ପରିବାର ।

ତେବେ ଭୋଟ ଦେବା ପରେ ତାଙ୍କ ଦୁଇ ହାତରେ କାଳିର ଚିହ୍ନ ଥିବା କ୍ୟାମେରା ଆଗରେ ଦେଖାଯାଇଥିଲେ । ଯାହା ଭିଡିଓ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏହି ଭିଡିଓ ପ୍ରକ୍ରିୟାଗତ ତ୍ରୁଟି ଅଭିଯୋଗକୁ ଆହୁରି ତୀବ୍ର କରିଛି।  ପାଟନାର ବୁଦ୍ଧ କଲୋନୀର ଏକ ମତଦାନ କେନ୍ଦ୍ର ବାହାରେ ରେକର୍ଡ ହୋଇଥିବା ଏହି ଭିଡିଓରେ, ସମସ୍ତିପୁରର ୨୭ ବର୍ଷୀୟା ସାଂସଦ ଶମ୍ଭବୀ, ତାଙ୍କ ବାପା, ଜେଡି(ୟୁ) ନେତା ଅଶୋକ ଚୌଧୁରୀ ଏବଂ ମାଆ ନୀତା ଚୌଧୁରୀଙ୍କ ସହ ମତଦାନ କରିବାକୁ ଆସିଥିବା ଦେଖାଯାଇଛି।

 

ମତଦାନ ପରେ ପ୍ରଥମେ ଶମ୍ଭବୀ ନିଜ ଡାହାଣ ହାତର ଅଙ୍ଗୁଠି କ୍ୟାମେରାକୁ ଦେଖାଇବା ସହ ପରେ ସେ ନିଜ ବାମ ହାତର ଆଙ୍ଗୁଠି ଦେଖାଉଛନ୍ତି। ଦୁଇ ହାତର ଅଙ୍ଗୁଠିରେ କାଳୀ ଲାଗିଥିବା ଦେଖିବାକୁ ମିଳିଛି। ଏଭଳି ଦୁଇ ହାତରେ କାଳୀ ଲାଗିଥିବା ଦେଖି ବିବାଦ ବଢ଼ିବାରୁ ପାଟନା ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟିକରଣ ରଖିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, "କାଳୀ ଲଗାଇବା ପାଇଁ ଦାୟୀ ପୋଲିଂ କର୍ମଚାରୀ ଭୁଲବଶତଃ ପ୍ରଥମେ ଡାହାଣ ହାତର ଆଙ୍ଗୁଠିରେ କାଳୀ ଲଗାଇ ଦେଇଥିଲେ। ତା’ପରେ ସେ ତାଙ୍କ ବାମ ହାତର ଆଙ୍ଗୁଠିରେ ମଧ୍ୟ କାଳୀ ଲଗାଇଥିଲେ। ଶମ୍ଭବୀ ଥରେ ହିଁ ମତଦାନ କରିଛନ୍ତି।"