ଅମାନିଆ ସରକାରୀ ବାବୁଙ୍କ ଉପରେ କୋର୍ଟ ଛାଟ, ଛାନିଆ ହୋଇ ଅଫିସ୍ ପଛପଟେ ପଳାଇଲେ ତହସିଲଦାର ଓ କର୍ମଚାରୀ

NEWS7
former-india-keeper-surinder-khanna-slams-pakistan-over-wanting-for-series-with-india

ଢେଙ୍କାନାଳ ୧୦।୧୨: ଅମାନିଆ ସରକାରୀ ବାବୁଙ୍କ ଉପରେ କୋର୍ଟ ଛାଟ । ମହଙ୍ଗା ପଡିଲା କୋର୍ଟ ନିର୍ଦ୍ଦେଶକୁ ଅବମାନନା। ଢେଙ୍କାନାଳ ତହସିଲଦାରଙ୍କ ସରକାରୀ ଗାଡି ସହ ଅଫିସ ଆସବାବପତ୍ର ସିଲ୍। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଦେବାରେ ଅବହେଳା ଯୋଗୁଁ ଢେଙ୍କାନାଳ ସିଭିଲ କୋର୍ଟ ତହସିଲଦାରଙ୍କ ବିରୋଧରେ ଏଭଳି କଡ଼ା ଆକ୍ସନ ନେଇଛନ୍ତି। କୋର୍ଟଙ୍କ ଆକ୍ସନରେ ଛାନିଆ ହୋଇ ଅଫିସ ପଛ ପଟ ଦେଇ ପଳାଇଲେ ତହସିଲଦାର ଓ କର୍ମଚାରୀ।

ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଅଫିସ୍ ଗାଡି ସିଲ୍ । ନାଲି ଫିତା ବାନ୍ଧି ବୋଲେରୋ ଗାଡିକୁ ସିଲ୍ କରିଛନ୍ତି କୋର୍ଟ କର୍ମଚାରୀ। ଢେଙ୍କାନାଳର ସିନିୟର ସଭିଲ୍ ଜଜ୍ଙ୍କ ନିର୍ଦ୍ଦେଶରେ ସିଲ୍ ହୋଇଛି ଢେଙ୍କାନାଳ ସଦର ତହସିଲଦାରଙ୍କ ସରକାରୀ ଗାଡ଼ି। ତହସିଲଦାରଙ୍କ ଅଫିସ ଟେବୁଲ, ଚେୟାର କମ୍ପ୍ୟୁଟର, ଆଲମାରୀଠୁ ଆରମ୍ଭ କରି ସମସ୍ତ ସରକାର ଆସବାବପତ୍ରକୁ ସିଲ୍ ପାଇଁ ରହିଛି ନିର୍ଦ୍ଦେଶ । କୋର୍ଟ ନିର୍ଦ୍ଦେଶକୁ ଅବମାନନା ବାବୁଙ୍କ ପାଇଁ ମହଙ୍ଗା ପଡିଛି। ଗାଡ଼ି ସିଲ୍ ବେଳେ ତହସିଲଦାର ଅଫିସ୍ରେ ଥିଲେ। କିନ୍ତୁ ଆକ୍ସନକୁ ଦେଖି ଅଫିସ୍ ପଛ ପଟ ଦେଇ ଖସି ଯାଇଥିଲେ ତହସିଲଦାରଙ୍କ ସହ ଅନ୍ୟ କର୍ମଚାରୀ। କୋର୍ଟ କର୍ମଚାରୀ ଜଗି ରହିଥିଲେ ମଧ୍ୟ ଅଫିସ ଖାଲି ରହିଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ତହସିଲଦାର ସ୍ୱାଧୀନ ବେହେରା ଗଣମାଧ୍ୟମକୁ ଏଡାଇଯାଇ ଅଫିସରୁ ଖସି ପଳାଇଥିଲେ।

ତହସିଲଦାରଙ୍କ ବିରୋଧରେ କାହିଁକି କୋର୍ଟଙ୍କ ଏମିତି କଡ଼ା ଆଭିମୁଖ୍ୟ ? କୋର୍ଟଙ୍କ କେଉଁ ଆଦେଶ ଅବମାନନା କଲେ ତହସିଲଦାର ? ନଜର ପକାନ୍ତୁ ପୂରା ଘଟଣା ଉପରେ। ଢେଙ୍କାନାଳ ବାଜିଚୌକ ନିକଟ ରେଲୱେ ଫ୍ଲାଇ ଓଭର୍ ବ୍ରିଜ ପାଇଁ ହୋଇଥିଲା ଜମି ଅଧିଗ୍ରହଣ । ଏଥିରେ ସ୍ବର୍ଗତ ସତ୍ୟବାଦୀ ବେହେରାଙ୍କ ପ୍ରାୟ ୧୨ଡେସିମିଲ ଜାଗା ଅଧିଗ୍ରହଣ କରିଥିଲେ ରାଜ୍ୟ ସରକାର। କ୍ଷତିପୂରଣ ବାବଦକୁ ତାଙ୍କୁ ୬ ଲକ୍ଷ ୭୪ ହଜାର ୬୨୪ ଟଙ୍କା ଦିଆଯିବା କଥା। ମାତ୍ର ଏହି ଟଙ୍କା ତାଙ୍କୁ ମିଳିନଥିଲା। ଯାହାକୁ ନେଇ ୨୦୧୩ ତାଙ୍କ ପୁଅ ଢେଙ୍କାନାଳ ସିଭିଲ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୩ରେ କ୍ଷତିଗ୍ରସ୍ତଙ୍କୁ ମୂଳ ସହ ସୁଧ ବାବଦକୁ ୧୨ଲକ୍ଷ ୧୫ହଜାର ୭୦୪ ଟଙ୍କା ପ୍ରଦାନ କରିବାକୁ ଲ୍ୟାଣ୍ଡ ଆକ୍ୟୁଜିସନ କମ୍ ତହସିଲଦାର ଢେଙ୍କାନାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୂଳ ଟଙ୍କା ୬ଲକ୍ଷ ୭୪ହଜାର ୭୨୪ଟଙ୍କା ଦେଇ ଚୁପ ବସିପିଡ଼ିଲେ ତହସିଲଦାର। କ୍ଷତିଗ୍ରସ୍ତ ଜମିହରା ପରିବାର ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶେଷରେ କୋର୍ଟଙ୍କ କଡା ନିର୍ଦ୍ଦେଶ ଢେଙ୍କାନାଳ ତହସିଲଦାରଙ୍କୁ ଅଡ଼ୁଆରେ ପକାଇ ଦେଇଛି।

ଢେଙ୍କାନାଳ ତହସିଲଦାରଙ୍କ କାର୍ଯ୍ୟାଳୟର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଅମାନିଆ ସରକାରୀ ବାବୁଙ୍କ ପ୍ରତି କୋର୍ଟଙ୍କ ଏହି କଡା ଆଭିମୁଖ୍ୟ ସବୁ ସରକାରୀ ବାବୁଙ୍କ ପାଇଁ ଏକ ଚେତାବନୀ ସଦୃଶ ହୋଇଛି ।