ବରଯାତ୍ରୀ ନେଇ UP ପହଞ୍ଚିଲେ ହରିୟାଣାର ପ୍ରସିଦ୍ଧ ଗୋ ରକ୍ଷକ ବିଟ୍ଟୁ ବଜରଙ୍ଗୀ, କନ୍ୟା ତ ମିଳିଲାନି, ଠକ ନେଇଗଲା ୩୦ ହଜାର ଟଙ୍କା

NEWS7
five-more-corona-positive-found-in-state-today

ଫରିଦାବାଦ ୨୧।୨: ହରିୟାଣା ଫରିଦାବାଦର ପ୍ରସିଦ୍ଧ ଗୋ ରକ୍ଷକ ବିଟ୍ଟୁ ବଜରଙ୍ଗୀ ଠକେଇର ଶିକାର ହୋଇଛନ୍ତି। ବିଟ୍ଟୁ ବଜରଙ୍ଗୀଙ୍କୁ ଠକ ତାଙ୍କ ମନମୁତାବକ ଝିଅ ସହ ବିବାହ କରାଇଦେବାର ପ୍ରତିଶ୍ରୁତି ଦେଇଥିଲା। ହେଲେ ଏଥି ପାଇଁ ଠକ ବିଟ୍ଟୁଙ୍କ ଠାରୁ ୩୦ ହଜାର ଟଙ୍କା ଠକି ନେଇଛି। ପୋଲିସ କହିଛି ଯେ ବଜରଙ୍ଗୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଓ ତାର ସାଥୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ବଜରଙ୍ଗୀ ୨୦୨୩ ନୂହ ସମ୍ପ୍ରଦାୟୀକ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ। ବିଟ୍ଟୁ ବଜରଙ୍ଗୀ ନିଜକୁ ଗୋ ରକ୍ଷକ ବୋଲି କହୁଛି ଓ ଗତ କିଛି ବର୍ଷ ହେଲା ତାର ଭିଜିଲାଣ୍ଟ ଗୋଷ୍ଠୀ ଚଳାଉଛି। ବଜରଙ୍ଗୀ ଫରିଦାବାଦର ଗାଜିପୁର ମାର୍କେଟ ଓ ଡବୁଆ ମାର୍କେଟରେ ଫଳ ଓ ପନିପରିବା ବିକ୍ରି କରେ।

ବଜରଙ୍ଗୀ ଅଭିଯୋଗରେ କହିଛି ଯେ ଅଭିଯୁକ୍ତ ବଣ୍ଟିକୁ ସେ ବିବାହ କରିବାକୁ ଚାହେଁ ବୋଲି କହିଥିଲା, ଯଦି କୌଣସି ପ୍ରସ୍ତାବ ମିଳେ ଜଣାଇବାକୁ ଅନୁରୋଧ କରିଥିଲା। ସେହି ଅନୁସାରେ ବଣ୍ଟି ଏକ ପ୍ରସ୍ତାବ ଆଣିଥିଲା ଓ ବଜରଙ୍ଗୀକୁ ରାନୀ ନାମକ ଜନୈକା ଯୁବତୀଙ୍କ ସହ ପରିଚୟ କରାଇଥିଲା। ଏହା ପରେ ବଣ୍ଟି ଓ ରାନୀ ଝିଅ ଦେଖାଇବା ପାଇଁ ବଣ୍ଟିକୁ ୩ ଥର ଆଲିଗଡ଼ ଡକାଇଥିଲେ। ହେଲେ ବଣ୍ଟି ଓ ରାନୀ ଯେଉଁ ସବୁ ପ୍ରସ୍ତାବ ଦେଖାଉଥିଲେ ସେଥିରେ ବଜରଙ୍ଗୀ ରାଜି ହୋଇନଥିଲା। ଏହା ପରେ ବଣ୍ଟି ଆଉ ଜଣେ ଯୁବତୀଙ୍କ ଫଟୋ ବଜଙ୍ଗୀକୁ ଦେଖାଇଥିଲା। ଏହି ଫଟୋକୁ ବଜରଙ୍ଗୀ ପସନ୍ଦ କରିଥିଲା।

ଏହା ପରେ ୫ ସେପ୍ଟେମ୍ବର ୨୦୨୫ରେ ବଣ୍ଟି ଓ ରାନୀ ଝିଅ ଘର ପରିବାର ସହିତ ବଜରଙ୍ଗୀ ଘରକୁ ଯାଇଥିଲେ ଓ କଥାବାର୍ତ୍ତା ହୋଇ ଫେବୃଆରୀ ୭ ତାରିଖକୁ ବିବାହ ନିର୍ଦ୍ଧାରିତ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିବାହ ନିମନ୍ତେ ବଜରଙ୍ଗୀ ଫେବୃଆରୀ ୬ ତାରିଖ ଦିନ ବଣ୍ଟି ଆକାଉଣ୍ଟକୁ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ସେହି ଟଙ୍କାରେ ବଣ୍ଟି କନ୍ୟା ପାଇଁ ପୋଷାକ କିଣିବାର କଥା ଥିଲା। ଏହା ପରଦିନ ଅର୍ଥାତ ଫେବୃଆରୀ ୭ ତାରିଖରେ ବଜରଙ୍ଗୀ ବରଯାତ୍ରୀ ନେଇ ଆଲିଗଡ଼ ପହଞ୍ଚିଥିବା ବେଳେ ମଧ୍ୟସ୍ଥ ବଣ୍ଟି କି କନ୍ୟାପାତ୍ରୀ ଘର ଲୋକ କେହି ମିଳିନଥିଲେ।

ଅଭିଯୋଗ ଅନୁସାରେ ଅଭିଯୁକ୍ତ ବିବାହ ପାଇଁ ନିର୍ଦ୍ଧାରିତ ସ୍ଥାନରେ ନଥିଲା କି ସେଠାରେ କୌଣସି ବିବାହ ଉତ୍ସବ ଆୟୋଜନ କରାଯାଇନଥିଲା। ଅଭିଯୁକ୍ତ ତା ମୋବାଲ ଫୋନ ବନ୍ଦ କରିଦେଇଥିଲା। ଏ ନେଇ ଯେତେବେଳେ ବଜରଙ୍ଗୀ କନ୍ୟାକୁ ଫୋନ କଲେ ସେତେବେଳେ ସେ ବିବାହ ସମ୍ପର୍କରେ କିଛି ଜାଣିନଥିବା କହିଥିଲେ। ଏଣୁ ବଜରଙ୍ଗୀଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡିଛି। ତେବେ ଜନୈକ ବରିଷ୍ଠ ପୋଲିସ ଅଫିସରଙ୍କ ଅନୁସାରେ ବଜରଙ୍ଗୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ଏଗ୍ରିମେଣ୍ଟ ଅନୁସାରେ ବିବାହ ଆୟୋଜନ ନିମନ୍ତେ ବଜରଙ୍ଗୀ ସେମାନଙ୍କୁ ୧ଲକ୍ଷ ୨୦ ହଜାର ଟଙ୍କା ଦେବାର ଥିଲା।

ପୋଲିସ ଅନୁସାରେ ବଣ୍ଟି ଓ ରାନୀଙ୍କ ବିରୋଧରେ ସାରନ ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ଠକେଇ ଅଭିଯୋଗ ରୁଜୁ ହୋଇଛି। ସୂଚନା ଅନୁସାରେ ବଣ୍ଟି ବଜରଙ୍ଗୀଙ୍କ ପଡୋଶୀ ଓ ସମ୍ପର୍କୀୟ ମଧ୍ୟ। ଏଣୁ ବଜରଙ୍ଗୀ ତାଙ୍କୁ ବିବାହ ନିମନ୍ତେ ପ୍ରସ୍ତାବ ଖୋଜିବାକୁ କହିଥିଲେ। ଏଥିରେ ରାନୀ ବଣ୍ଟି ଓ ବଜରଙ୍ଗୀକୁ ପ୍ରସ୍ତାବ ଖୋଜିବାରେ ସହାୟତା କରିଥିଲା। ବଜରଙ୍ଗୀଙ୍କ ଘରେ ନୂଆ ବୋହୂକୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ବଜରଙ୍ଗୀ ଖାଲି ହାତରେ ଘରକୁ ଫେରିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହା ବି ପଢନ୍ତୁ :-UGCର ଚେତାବନୀ : ଦେଶରେ ୩୨ ବିଶ୍ୱବିଦ୍ୟାଳୟ ଫେକ୍, ରାଜଧାନୀରେ ସର୍ବାଧିକ