LIVE TV
LIVE TV

ଆଜି ପହଁଚିବେ ରୁଷ୍ ରାଷ୍ଟ୍ରପତି, ମୋଦୀ-ପୁଟିନ ଡିନର ପାର୍ଟି ଉପରେ ବିଶ୍ୱର ନଜର

NEWS7
fishrman-become-millionaire-get-whale-vomit-ambergris-report

ନୂଆଦିଲ୍ଲୀ, ୦୪ /୧୨: ଗୁରୁବାର ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଡିସେମ୍ବର ୪ ଏବଂ ୫ ତାରିଖରେ ସେ ଭାରତରେ ରହିବେ । ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ଭାରତ ସରକାର ସସସ୍ତ ପ୍ରସ୍ତୁତି କରି ସାରିଛନ୍ତି। ତେବେ ପୁଟିନଙ୍କ ଭାରତ ଗସ୍ତ ଉଭୟ ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଲଗାତାର ଭାବେ ଆମେରିକା ସମେତ ଅନେକ ଦେଶ ଭାରତ ଉପରେ ଋଷଠୁ ତୈଳ ନକିଣିବାକୁ ଚାପ ପକାଉଛନ୍ତି । କିନ୍ତୁ ସମସ୍ତ ଧମକକୁ ଖାତିର ନକରି ଭାରତ ଋଷ ସହ ସମ୍ପର୍କକୁ ମଜବୁତ ରଖିଛି ।

ମିଡିଆ ରିପୋର୍ଟ ଅନୁସାରେ,. ବାଣିଜ୍ୟ ଏବଂ ବ୍ୟବସାୟର ଏକାଧିକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇପାରେ। ଭାରତ ଏବଂ ରୁଷ ମଧ୍ୟରେ ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ଗଣମାଧ୍ୟମ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ କୁହାଯାଉଛି । ପୁଟିନଙ୍କ ଏହି ଗସ୍ତ ଭାରତ-ରୁଷ କୁଟନୈତିକ ସହଭାଗୀତାର ୨୫ତମ ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ କରାଯାଉଛି। ତା' ସହିତ ଦୁଇ ଦେଶ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ଯାହା ଉପରେ ଆମେରିକାଠୁ ଆରମ୍ଭ କରି ଅନେକ ପାଶ୍ଚାତ୍ୟ ଦେଶ ନଜର ରଖିଛନ୍ତି ।

ତେବେ ଡିସେମ୍ବର ୪ ତାରିଖ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପୁଟିନ ଭାରତରେ ପହଞ୍ଚିବେ। ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନରେ ଏକ ବ୍ୟକ୍ତିଗତ ରାତ୍ରଭୋଜନର ବ୍ୟବସ୍ଥା ହୋଇଛି। ଶୁକ୍ରବାର ସକାଳେ ଟ୍ରାଇ ସର୍ଭିସ ଗାର୍ଡ ଅଫ୍ ଅନର ଦିଆଯିବା ପରେ ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ ସ୍ୱାଗତ ସହିତ ଷ୍ଟେଟ୍ ଭିଜିଟ୍ ଗସ୍ତ ଆରମ୍ଭ ହେବ। ଏହାପରେ ପୁଟିନ ରାଜଘାଟ ଯାଇ ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହାପରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆନୁଷ୍ଠାନିକ ଆଲୋଚନା ହେବ। ଉଭୟ ଦେଶର ଶିଖର ସମ୍ମିଳନୀ ଆୟୋଜନ ପରେ ଯାଇ ପ୍ରମୁଖ ଘୋଷଣା ଏବଂ ଏମଓୟୁ ସ୍ୱାକ୍ଷର ହେବା ବୋଲି ଆଶା କରାଯାଉଛି। ତା’ପରେ ଉଭୟ ଭାରତ ଓ ଋଷ ପକ୍ଷରରୁ ମିଳିତ ଗଣମାଧ୍ୟମ ବିବୃତ୍ତି ପ୍ରକାଶ କରାଯାଇପାରେ।

ପୁନିଟଙ୍କ ଗସ୍ତ ନେଇ ତାଙ୍କ ଅଧିକାରୀ ଉରି ଉଶାକୋଭ କହିଛନ୍ତି ଯେ, ଉଭୟ ନେତା ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ୨୦୨୪ରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୨% ବୃଦ୍ଧି ପାଇ ୬୩.୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା। କିନ୍ତୁ ବାଣିଜ୍ୟ ଅସନ୍ତୁଳନ ନେଇ ଭାରତ ଚିନ୍ତିତ ରହୁଛି। ତେଣୁ ଭାରତର ଚିନ୍ତାକୁ ଦୂର କରିବାକୁ ରୁଷ ପ୍ରସ୍ତୁତ ଅଛି। ଏବଂ ବାହ୍ୟ ଚାପରୁ ଦ୍ୱିପାକ୍ଷିକ କାରବାରକୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ତିଆରି କରିବାକୁ ଆଲୋଚନା ହୋଇପାରେ ବୋଲି ଉଶାକୋଭ କହିଛନ୍ତି।

କେଉଁ ପ୍ରସଙ୍ଗ ଉପରେ ଫୋକସ

୨୦୩୦ ପର୍ଯ୍ୟନ୍ତ ଋଷ-ଇଣ୍ଡିଆ ଇକୋନୋମିକ କୋଅପରେସନ ଷ୍ଟ୍ରାଟେଜିକ ଏରିଆର ଡେଭଲପମେଣ୍ଟ ପାଇଁ ପ୍ରୋଗ୍ରାମ ହେବ। ଏଥିସହିତ ବାଣିଜ୍ୟ, ଉର୍ଜା, କୃଷି, ସ୍ୱାସ୍ଥ୍ୟ, ପ୍ରତିରକ୍ଷା ଓ ମିଡିଆ କଭରେଜ କ୍ଷେତ୍ର ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇପାରେ। ୫ ତାରିଖରେ ଭାରତ ମଣ୍ଡପମରେ ଭାରତ-ରୁଷ ବ୍ୟବସାୟ ଫୋରମକୁ ମୋଦୀ ଏବଂ ପୁଟିନ ମିଳିତ ଭାବରେ ସମ୍ବୋଧିତ କରିବେ। ଯେଉଁଠାରେ ନିବେଶ ସୁଯୋଗ, ଉତ୍ପାଦନ ସହଭାଗୀତା ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଆଲୋକପାତ କରାଯିବ। ଯାହା ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।