LIVE TV

ଖଣି ଚୋରି ଓ ଅନିୟମିତତା ରୋକିବାକୁ ବଡ଼ ପଦକ୍ଷେପ : ଲିଜ୍ ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ଖଣି ଖନନ ଉପରେ ଲାଗିବ ରୋକ୍

NEWS7
first-odiya-romantic-web-series-love-recipe-trailor-released

ଭୁବନେଶ୍ବର ୧୧: ଖଣି ଚୋରି ଓ ଅନିୟମିତତା ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଓଭର ଲୋଡ଼ିଂ ଏବଂ ହାଇଗ୍ରେଡ୍ ଖଣିଜକୁ ଲୋ ଗ୍ରେଡ୍ ଦର୍ଶାଇ ହୋଇଥିବା ଅନିୟମିତତା ଉପରେ ଲାଗିବ ପୂର୍ଣ୍ଣଚ୍ଛେଦ । ଲିଜ୍ ଅଞ୍ଚଳକୁ ଛାଡି ଅନ୍ୟ ଅଞ୍ଚଳରେ ଖଣି ଖନନ ବା ଏକ୍ସେସ୍ ମାଇନିଂ ଉପରେ ଲାଗିବ ରୋକ୍ । ଏଣିକି ମାନୁଆଲି ନୁହେଁ ସଂପୂର୍ଣ୍ଣ ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ହେବ ଖଣିଜ ପଦାର୍ଥ ଗ୍ରେଡ୍ ଅନାଲିସିସ୍- ସାମ୍ପୁଲିଂ, ଟେଷ୍ଟିଂ, ଷ୍ଟକିଂ । ଯେଉଁଠି ଚୋରା ଖଣିଜ ପଦାର୍ଥ ଜବତ ହେବ, ସେଠାରେ ପୋର୍ଟେବଲ୍ ଅନାଲାଇଜର ମାଧ୍ୟମରେ ଗ୍ରେଡ୍ ଟେଷ୍ଟ କରାଯିବ । ସବୁ ଖଣିରେ RFID ବୁମ୍ ବ୍ୟାରିୟର ଲଗାଯିବ । ଏହାଦ୍ବାରା ଖଣିରୁ ମାଲବାହୀ ଗାଡ଼ି ଡେସ୍‌ପାଚ୍ ସମୟରେ ଟ୍ରାକିଂ କରାଯାଇପାରିବ ।

ଏହାସହ ପୂର୍ବରୁ ଅଧିକ ପ୍ରିମିୟମ୍ ଦେଇ ତାକୁ ଭରଣାର ଆଳ ଦେଖାଇ ଗ୍ରେଡ୍ ମ୍ୟାନେଜମେଣ୍ଟରେ ହେରଫେର ହେଉଥିଲା । ତେଣୁ ଏହାକୁ ସଂପୂର୍ଣ୍ଣ ରୋକିବା ପାଇଁ ନୂଆ ନିୟମ ଲାଗୁ କରିଛି ବିଜେପି ସରକାର । ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ୨୦୨୫ ନିୟମାବଳୀ ଲାଗୁ କଲେ ସରକାର । ପୂର୍ବରୁ ଥିବା ଓଡ଼ିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ ଓ ବେଆଇନ ଖଣି ଖନନ ନିବାରଣ ଏବଂ ଦଖଲ, ସଂରକ୍ଷଣ, ବାଣିଜ୍ୟ ଓ ପରିବହନ ନିୟନ୍ତ୍ରଣ) ନିୟମାବଳୀ ୨୦୦୭କୁ ସରକାର ଉଚ୍ଛେଦ କରିଛନ୍ତି । ଶୁକ୍ରବାର ଏ ନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।