ଆମେରିକା-ଇରାନ ଯୁଦ୍ଧ: ମାଲ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ୫ ହଜାର କୋଟି କ୍ଷତି ସହିବେ ଭାରତୀୟ ଔଷଧ ରପ୍ତାନିକାରୀ

NEWS7
first-cold-feel-in-kandhamal-dist

ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତର ବାଣିଜ୍ୟ କ୍ଷେତ୍ର ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଇନ୍ଧନ ଠାରୁ ଆରମ୍ଭ କରି,ଖାଦ୍ୟ ଶସ୍ୟ, କପଡ଼ା,ରନ୍ଧନ ଗ୍ୟାସ, ଅନ୍ୟାନ୍ୟ ଖଣିଜ ଆମଦାନୀ ଓ ରପ୍ତାନୀରେ ସମସ୍ୟା ସୃଷ୍ଟି ହୋଇଛି।

ଔଷଧ କ୍ଷେତ୍ର ବି ପ୍ରଭାବିତ ହେଲାଣି। ଔଷଧରେ ମାଲ ପରିବହନ ଦର ଦ୍ୱିଗୁଣିତ ହୋଇଛି। ଏହି ମାସରେ କେବଳ ପଶ୍ଚିମ ଏସିଆକୁ ଔଷଧ ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ହେବା ଦ୍ଵାରା ରପ୍ତାନି ମୂଲ୍ୟ ୨,୫୦୦ ରୁ ୫୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଫାର୍ମାସ୍ୟୁଟିକାଲ୍ସ ଏକ୍ସପୋର୍ଟ ପ୍ରମୋସନ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଫାର୍ମେକ୍ସସିଲ୍) ଚେତାବନୀ ଦେଇଛି।

ରପ୍ତାନିକାରୀମାନେ ପ୍ରତି ଶିପମେଣ୍ଟ (ରପ୍ତାନୀ ଜାହାଜ) ପାଇଁ ୪,୦୦୦ ରୁ ୮,୦୦୦ ଡଲାର ଅତ୍ୟଧିକ ସରଚାର୍ଜ ଦେଉଛନ୍ତି। ଫଳରେ ଗଲ୍ଫ ଓ ପଶ୍ଚିମ ଏସିଆର ବ୍ୟାପକ ବଜାର ଉପରେ ନିର୍ଭର କରୁଥିବା ଔଷଧ ନିର୍ମାତାମାନଙ୍କ ପାଇଁ ଲଜିଷ୍ଟିକ୍ସ ଖର୍ଚ୍ଚ ବଢ଼ି ଯାଉଛି। ଅତ୍ୟଧିକ ବୀମା ପ୍ରିମିୟମ, ଇନ୍ଧନ ବୃଦ୍ଧି ଏବଂ ଲମ୍ବା ରୁଟରେ କାର୍ଯ୍ୟକ୍ଷମ ବିଳମ୍ବ ଯୋଗୁ ଖର୍ଚ୍ଚ ବଢ଼ୁଛି। ଏହି ଅଞ୍ଚଳକୁ ଭାରତର ଔଷଧ ରପ୍ତାନି ୫.୫ ପ୍ରତିଶତରୁ ଅଧିକ (୩୦ ବିଲିୟନ ଡଲାର) ହୋଇଥାଏ। ତେଣୁ ବ୍ୟବସାୟୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।

ଫାର୍ମେକ୍ସସିଲ୍ ଅଧ୍ୟକ୍ଷ ନମିତ ଜୋଶୀଙ୍କ ଅନୁଯାୟୀ, ଅଶୋଧିତ ତେଲର ଉଚ୍ଚ ମୂଲ୍ୟ ଏବଂ ଅନିଶ୍ଚିତ ପରିବହନ ସମୟ ମଧ୍ୟ ସକ୍ରିୟ ଔଷଧ ଉପାଦାନ (API) କ୍ରୟ ଖର୍ଚ୍ଚ ଏବଂ ଇନଭେଣ୍ଟରୀ ବିକୃତିକୁ ବୃଦ୍ଧି କରୁଛି। ଫଳରେ ବଡ଼ ଏବଂ ମଧ୍ୟମ ଆକାରର ଔଷଧ ରପ୍ତାନିକାରୀଙ୍କ ମଧ୍ୟରେ ୱାର୍କିଂ କ୍ୟାପିଟାଲ ସାଇକଲ ଉପରେ ଚାପ ପଡ଼ୁଛି।

ତେବେ ପରିସ୍ଥିତି ଉପରେ ନିକଟରୁ ନଜର ରଖାଯାଇଛି। ସମାଧାନ ପାଇଁ ଲଜିଷ୍ଟିକ୍ସ ଏବଂ ବାଣିଜ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ଜାରି ରହିଛି। ପଶ୍ଚିମ ଏସିଆରେ ଅତ୍ୟାବଶ୍ୟକ ଔଷଧର ନିରବଚ୍ଛିନ୍ନ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ମାଲ ପରିବହନ ବ୍ୟବସ୍ଥା ଏବଂ ଜାହାଜ ଚଳାଚଳ ମାର୍ଗର ବିବିଧତା ସମେତ ଅଧିକ ସରକାରୀ ସମର୍ଥନ ଆବଶ୍ୟକ ପଡ଼ୁଛି ବୋଲି ପରିଷଦ କହିଛି।