ବଜେଟ୍ ଭାଷଣରେ ଟ୍ରମ୍ପଙ୍କ ନାମକୁ ବାଦ ଦେଇଛନ୍ତି ନିର୍ମଳା ସୀତାରମଣ, ହେଲେ ୨୪ ଥର ଉଚ୍ଚାରଣ କରିଛନ୍ତି ‘ଟାରିଫ’ ଶବ୍ଦ

NEWS7
fire-mishap-in-bhadrak-daughter-dies-father-critical

ନୂଆଦିଲ୍ଲୀ ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ରବିବାର ସଂସଦରେ ୨୦୨୬-୨୭ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନେଇନାହାନ୍ତି। ହେଲେ ବଜେଟ୍ ଅଭିଭାଷଣରେ ସେ ବାରମ୍ବାର ‘ଟାରିଫ’ ଶବ୍ଦ ଉଚ୍ଚାରଣ କରିଛନ୍ତି। କେବଳ ଟାରିଫ ନୁହେଁ ଏପରି ଅନେକ ଶବ୍ଦ ଅଛି ଯାହାକୁ ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ବାରମ୍ବାର ଦୋହରାଇଛନ୍ତି।

ନିର୍ମଳାସୀତାରମଣ ବଜେଟ୍ ଅଭିଭାଷଣରେ ‘ଆୟ’ଶବ୍ଦକୁ ସବୁଠୁ ଅଧିକ ୯୮ ଥର ଉଚ୍ଚାରଣ କରିଛନ୍ତି। ସେହିପରି ‘ଡ୍ୟୁଟି’ ଅର୍ଥାତ ଶୁଳ୍କ ଶବ୍ଦ ୫୧ ଥର କହିଛନ୍ତି। ‘ହାର’ ବା ରେଟ୍ ଶବ୍ଦ ୪୮ ଥର ଉଚ୍ଚାରଣ କରିଛନ୍ତି। ‘ଛୁଟ’ ବା ରିହାତି ଶବ୍ଦକୁ ସୀତାରମଣ ଭାଷଣରେ ୩୧ ଥର ଦୋହରାଇଥିବା ବେଳେ ‘ଡିଡକ୍ସନ’ ବା କାଟ ଶବ୍ଦ ୩୪ ଥର ଉଚ୍ଚାରଣ କରିଛନ୍ତି। ସେବା ୪୧ ଥର, ବିଦେଶୀ ୨୦ ଥର, ଦଣ୍ଡ ୩୧, ସୀମା ଶୁଳ୍କ ୪୧, ବୃଦ୍ଧି ୧୮, ମାଲ ୪୭, ବୈଶ୍ୱିକ ୨୬, କ୍ରେଡିଟ୍ ୧୮, ରପ୍ତାନୀ ୧୭, ରାଷ୍ଟ୍ରୀୟ ୨୦ ଓ ନିର୍ମାଣ ଶବ୍ଦ ୨୯ ଥର ଉଚ୍ଚାରଣ କରିଛନ୍ତି।

ନିର୍ମଳା ସୀତାରମଣ ପ୍ରଥମ ଥର ରବିବାର ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଆପଣାଛାଏଁ ଏକ ନୂଆ କିର୍ତ୍ତିମାନ। ସେହିଭଳି ସୀତାରମଣ ନବମ ଥର ତଥା ମୋଦି ସରକାରଙ୍କ ୧୫ତମ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ନିମନ୍ତେ ସଂସଦୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହୋଇଥିଲା। ତେବେ ବଜେଟ୍ ପାଇଁ ସଂସଦ ରବିବାର ସକାଳୁ ଚଳଚଞ୍ଚଳ ଥିଲା। ରବିବାର ବଜେଟ୍ ଏଥି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଛୁଟିଦିନ ସତ୍ତ୍ୱେ ଆଜି ଏନଏସଇ, ବିଏସଇ ଓ ଏମସିଏକ୍ସ ଭଳି ସେୟାର ବଜାର ସମ୍ପର୍କିତ କାର୍ଯ୍ୟାୟଳୟ ଖୋଲା ରହିବା ସହ କାରବାର ମଧ୍ୟ ହୋଇଛି। ତେବେ ନିବେଶକଙ୍କୁ ବଜାରରେ ହ୍ରାସ ଜୋରଦାର ଝଟକା ଦେଇଛି।