ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଶେଷ ସଚିବସ୍ତରୀୟ ବୈଠକ, ଓଡ଼ିଶାର ପ୍ରଗତି ଓ ବିକାଶକୁ ନେଇ ଆଲୋଚନା

NEWS7
father-rapes-2-daughters-for-15-years-mother-threatens-to-remain-silent-in-luckhnow

ଭୁବନେଶ୍ବର ୩୧।୧୨: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଶେଷ ସଚିବସ୍ତରୀୟ ବୈଠକ । ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ଶେଷ ସଚିବ ସ୍ତରୀୟ ବୈଠକରେ ବିଭାଗୀୟ ସଚିବ ମାନଙ୍କ ସହ ଓଡ଼ିଶାର ପ୍ରଗତି ଓ ବିକାଶକୁ ନେଇ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ ।

ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ମୋ କାର୍ଯ୍ୟକାଳ ଭିତରେ ବହୁତ ଭଲ ସମନ୍ୱୟ ଆଉ ଟିମ୍ ୱାର୍କ ଥିଲା । ଆଜି ସଚିବ ସ୍ତରୀୟ ବୈଠକରେ ମଧ୍ୟ ସେନେଇ ଆଲୋଚନା ହେଲା । ଓଡ଼ିଶାବାସୀଙ୍କ କେମିତି ଇଜ ଅଫ ଲିଭିଙ୍ଗ ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସରେ ସୁଧାର ଆସିପାରିବ, ଓଡ଼ିଶାକୁ ଯେତିକି ନିବେଶ ଆସୁଛି ସେଥିରୁ କିଛି କ୍ଷେତ୍ରକୁ ନେଇ ବିଶ୍ବସ୍ତରର ହୋଇପାରିବ ସେନେଇ ଆଲୋଚନା ହେଲା । ଦେଢ଼ ବର୍ଷରେ ରାଜ୍ୟ ସରକାରଙ୍କୁ ବହୁତ ଉପଲବ୍ଧି ମିଳିଛି । ଅଳ୍ପ ସମୟ ଭିତରେ ସୁଭଦ୍ରା ଭଳି ବଡ଼ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେଉଛୁ । ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସବସିଡି ମିଳିଛି, ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି ବୋଲି ମନୋଜ ଆହୁଜା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବୁ ଅବସର ନେବେ ମୁଖ୍ୟ ଶାସନ ସଚିବ ଆଇଏଏସ୍ ମନୋଜ ଆହୁଜା । ମୁଖ୍ୟ ଶାସନ ସଚିବ ଭାବେ ଆଜି ହେଉଛି ତାଙ୍କ ଶେଷ କାର୍ଯ୍ୟ ଦିବସ । ୨୦୨୪ ମଧ୍ୟ ଭାଗରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିଥିଲେ । ୨୦୨୫ ମସିହା ଜାନୁଆରୀ ୧ ତାରିଖରେ ତାଙ୍କ କାର୍ଯ୍ୟକାଳକୁ ସରକାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିଥିଲେ । ବିଜେପି ସରକାର ନୂଆ କରି ଆସିଥିବା ବେଳେ ପ୍ରଶାସନ କଳକୁ କିଭଳି ଭାବରେ ନୂଆ ଢାଞ୍ଚାରେ ନେବାକୁ ହେବ ତାହା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରଶାସନିକ ବ୍ୟବସ୍ଥାକୁ କିଭଳି ଭାବେ ଲକ୍ଷ୍ୟ ଭିତ୍ତିକ କରିବା ଏବଂ ସବୁ କ୍ଷେତ୍ରରେ କିଭଳି ଟେକ୍ନୋଲୋଜିର ବ୍ୟବହାର ହୋଇପାରିବ ତା ଉପରେ ସେ ଗୁରୁତ୍ୱ ଦେଉଥିଲେ । ନୂଆ ସରକାର ଉପରେ ଲୋକଙ୍କ ଆଶା ଭରସା ଅଧିକ ରହିଥିଲା । କିଭଳି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରା କରିବେ ସେ ଦିଗରେ ପ୍ରାୟ ଦେଢ଼ ବର୍ଷ ଧରି ପ୍ରୟାସ କରିଆସିଛନ୍ତି ।