ଜାଗର ସମୟରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ, ଭିଡ଼ ରୋକିବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍

NEWS7
father-and-son-drowned-in-the-river-to-rescue-the-cow

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ଓ ପୂଜାବିଧି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଏବଂ ପୂଜାବିଧି ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା। ଏଥି ସହିତ ଚଳିତ ଜାଗର ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଲେ ଯେ ଲିଙ୍ଗରାଜ ମହାପ୍ରଭୁ ସାରା ଓଡ଼ିଶାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଆରାଧ୍ୟ ଦେବତା। ତେଣୁ ରୀତିନୀତିରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ। ଚଳିତ ଫେବୃଆରୀ ୧୫ ତାରିଖରେ ଜାଗର ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ଅନେକ ଭିଡ଼ ହେବାର ସମ୍ଭାବନା ରହିଛି । ଜାଗର ଦିନ ଲିଙ୍ଗରାଜଙ୍କ ଦର୍ଶନ ନେଇ ସବୁ ଭକ୍ତଙ୍କ ମନରେ ଆଗ୍ରହ ରହୁଥିବାରୁ ଭିଡ଼କୁ ଆୟତ୍ତ କରିବା ଏବଂ ସମସ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିବା ଏକ ବଡ ଆହ୍ୱାନ ।

ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ, ଲିଙ୍ଗରାଜ ମନ୍ଦିରର ସେବକ ଓ ନିଯୋଗସମୂହ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗର ଆବଶ୍ୟକତା ରହିଛି । ଏଥିରେ ସାମାନ୍ୟତମ ବ୍ୟତିକ୍ରମ ଅଘଟଣକୁ ଆମନ୍ତ୍ରଣ କରିପାରେ । ତେଣୁ ଚଳିତ ଜାଗରକୁ ସୁଚାରୁ ରୂପେ ପରିଚାଳନା କରିବା ଏବଂ ସବୁ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ସେବାୟତ ଓ ନିଯୋଗସମୂହ ସହ ସମନ୍ୱୟ ରଖି ସଠିକ୍ ସମୟରେ ନୀତିକାନ୍ତି ସମାପନ, ପୂଜାବିଧି ପାଳନ, ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ସୁନିଶ୍ଚିତ କରିବା ସହ ମନ୍ଦିର ଭିତରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପର୍ଯ୍ୟାପ୍ତ ବାୟୁ ଚଳାଚଳ, ଅକ୍ସିଜେନ୍ର ବ୍ୟବସ୍ଥା ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ସମୟ ଅନୁସାରେ ରୀତିନୀତିର ତଥ୍ୟ ବିଭିନ୍ନ ଟିଭି, ରେଡ଼ିଓ, ମୁଦ୍ରଣ ଗଣମାଧ୍ୟମ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରସାରଣ ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଜାଗର ଉତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବା ବିଷୟ ଆଲୋଚନରେ ସ୍ଥାନ ପାଇଥିଲା ।

ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଏବଂ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।