ଋଷିଆ-ୟୁକ୍ରେନ ଯୁଦ୍ଧ: ବାର୍ଲିନ ବାର୍ତ୍ତାକୁ ପ୍ରଗତିଶୀଳ କହିଲା ଆମେରିକା

NEWS7
father-accused-for-his-sons-love-case

ୱାସିଂଟନ ୧୫।୧୨: ଜର୍ମାନ ରାଜଧାନୀ ବର୍ଲିନରେ ୟୁକ୍ରେନ ଯୁଦ୍ଧ ସମାପ୍ତି ଲାଗି ସୋମବାର ମଧ୍ୟ ଔପଚାରିକ ବୈଠକ ହୋଇଛି। ଏହା ପୂର୍ବରୁ ରବିବାର ୫ ଘଣ୍ଟାର ଅନୌପଚାରିକ ବୈଠକରେ ଆମେରିକା ରାଷ୍ଟ୍ରପତିଙ୍କ ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶନର ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କିଙ୍କ ସହ ଅନେକ ପ୍ରସଙ୍ଗରେ ବାର୍ତ୍ତା କରିଥିଲେ। ଦୁଇ ଦିନ ଧରି ଜାରି ଚର୍ଚ୍ଚାକୁ ଆମେରିକା ପ୍ରଗତିଶୀଳ ବୋଲି କହିଛି। କିନ୍ତୁ ଏହା କହିନାହିଁ ଆମେରିକା ଶାନ୍ତି ପ୍ରସ୍ତାବର କେଉଁସବୁ ବିନ୍ଦୁରେ ଜେଲେନସ୍କି ସହମତ ହୋଇଛନ୍ତି।

ରବିବାର ବୈଠକରେ ଜେଲେନସ୍କି ସ୍ପଷ୍ଟ ଭାବେ କହିଥିଲେ ଯେ ୟୁକ୍ରେନ ସାମରିକ ମେଣ୍ଟ ନାଟୋରେ ସାମିଲ ହେବା ଲାଗି ନିଜ ଇଛା ତ୍ୟାଗ କରିବାକୁ ପ୍ରସ୍ତୁତ। ହେଲେ ଏହା ବଦଳେ ଆମେରିକା ସମେତ ସହଯୋଗୀ ପଶ୍ଚିମ ଦେଶଙ୍କ ପକ୍ଷରୁ ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ। ଏହି ସୁରକ୍ଷା ଗ୍ୟାରେଣ୍ଟିରେ ଜେଲେନସ୍କି ୟୁକ୍ରେନରେ ସହଯୋଗୀ ଦେଶଙ୍କ ସୈନିକଙ୍କ ମୁତୟନ ଚାହୁଁଛନ୍ତି। ହେଲେ ଏଥି ପାଇଁ ଋଷିଆ ରାଜି ହେଉନାହିଁ।

ସେପଟେ ଋଷିଆ ଏବେ ୟୁକ୍ରେନ ନାଟୋ ସଦସ୍ୟତା ନେବା ଲାଗି ଇଛା ତ୍ୟାଗ କରିବା ଯୋଗୁ ସକରାତ୍ମକ ଆଭିମୁଖ୍ୟ ଦେଖାଇଛି, କହିଛି ଯୁଦ୍ଧ ଆରମ୍ଭର ଏହା ମୂଳ କାରଣ ଥିଲା। ତେବେ ବର୍ଲିନରେ ଋଷିଆ-ୟୁକ୍ରେନ ଯୁଦ୍ଧ ରୋକିବା ପାଇଁ ବାର୍ତ୍ତା ସେତେବେଳେ ହେବ ଯେତେବେଳେ ଚଳିତ ସପ୍ତାହରେ ୟୁରୋପୀୟ ସଂଘ (ଇୟୁ)ର ୨୭ ସଦସ୍ୟ ଦେଶଙ୍କ ମୁଖ୍ୟ ବ୍ରସେଲସରେ ଋଷିଆର ଫ୍ରିଜ କରାଯାଇଥିବା ୨୫୦ ବିଲିୟନ ଡଲାର ସମ୍ପତ୍ତିର ଗ୍ୟାରେଣ୍ଟିରେ ୟୁକ୍ରେନକୁ ଋଣ ଦେବାକୁ ନିଷ୍ପତ୍ତି ନେବେ।

ୟୁକ୍ରେନକୁ ଏହି ଋଣ ୟୁରୋପୀୟ ଦେଶଙ୍କ ବ୍ୟାଙ୍କ ଦେବେ। ଋଷୀୟ ସମ୍ପତ୍ତିକୁ ଫ୍ରିଜ କରିବା ପାଇଁ ଇୟୁ ଗତ ସପ୍ତାହରେ ନିଷ୍ପତ୍ତି ନେଇଥିଲା। ତେବେ ଋଷିଆ ୟୁରୋପୀୟ ସଂଘର ଏହି ପଦକ୍ଷେପକୁ ବେଆଇନ ବୋଲି କହିଥିଲା ଓ ନିଜ ସମ୍ପତ୍ତି ଦାବି କରିଥିଲା। ତେବେ ଏ ନେଇ ନିଷ୍ପତ୍ତି ଚଳିତ ସପ୍ତାହ ଶେଷ ବେଳକୁ ଆସିଯିବା ସହ ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତିର ସମ୍ଭାବନା ମଧ୍ୟ ସ୍ପଷ୍ଟ ହୋଇଯିବ।